Home ଜିଲ୍ଲା ପରିକ୍ରମା ମା ଭଦ୍ରକାଳୀଙ୍କର ଜଗଦ୍ଧାତ୍ରୀ ବେଶ

ମା ଭଦ୍ରକାଳୀଙ୍କର ଜଗଦ୍ଧାତ୍ରୀ ବେଶ

13

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ବିଶ୍ୱମାତା ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ପଞ୍ଚମ ଦିବସରେ ମା’ ଜଗଦ୍ଧାତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । କୋହଲା ପାଗ ସତ୍ତ୍ୱେ ମା’ଙ୍କ ପୀଠରେ ଭକ୍ତମାନଙ୍କର ଭିଡ଼ ଲାଗିଥିଲା । ଭକ୍ତମାନେ ଧାଡ଼ି ବାନ୍ଧି ଧୂପ,ଦୀପ, ନୈବେଦ୍ୟ ଅର୍ପଣ କରି ମା’ ଙ୍କର ଆଶିଷ ଭିକ୍ଷା କରିଛନ୍ତି । ମା’ ଭଦ୍ରକାଳୀ କୋଳରେ ବାଳ ଗୋପାଳଙ୍କ ବିଗ୍ରହକୁ ଧାରଣ କରି ବହୁ ଅନାଦି କାଳରୁ ପୀଠରେ ପୂଜା ପାଉଛନ୍ତି । ଜଗଦ୍ଧାତ୍ରୀ ବେଶରେ ମା’ଙ୍କର ମୁଖମଣ୍ଡଳ କୃଷ୍ଣ ବର୍ଣ୍ଣ ଥିବା ବେଳେ ବାଘ ମା’ଙ୍କର ବାହନ ଥିଲା । ମା’ ନାଲି ଓ ହଳଦି ରଙ୍ଗର ପାଟବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ,ରୋପ୍ୟ ଅଳଙ୍କାରରେ ସୁସଜ୍ଜିତ ହୋଇଥିଲେ । ମା’ ଆଜି ଚତୁର୍ଭୁଜା ରୂପ ଧାରଣ କରି ହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ।

ମା’ ଭଦ୍ରକାଳୀ ହେଉଛନ୍ତି ଜଗଦ୍ଧାତ୍ରୀ । ମା’ ଏ ଜଗତକୁ ଧାରଣ କରିଛନ୍ତି, ସେ ପୋଷଣ କରୁଛନ୍ତି ଓ ସେ ପୁଣି ପାଳନ କରୁଛନ୍ତି । ସେ ସୃଷ୍ଟିର ପ୍ରତ୍ୟେକ ପ୍ରାଣୀଠାରେ ବିଦ୍ୟମାନ । ପ୍ରାଣୀଜଗତ, ଜୀବ ଜଗତ, ଉଦ୍ଭିଦ ଜଗତ ଓ ଜଡ଼ ଜଗତ ସବୁଠି ତାଙ୍କର ଶକ୍ତି ଓ ସତ୍ତା ଅନୁଭୂତ ହୁଏ । ଆଦ୍ୟାଶକ୍ତି ମା’ ଙ୍କ ବିନା ନିଦ୍ଦେର୍ଶରେ ଗଛରୁ ପତ୍ରଟିଏ ମଧ୍ୟ ହଲିନଥାଏ । ଆଜି ପଞ୍ଚମ ଦିବସରେ ଜଗଦ୍ଧାତ୍ରୀ ରୂପରେ ଅତି ସୁନ୍ଦର, ମନୋରମ ବେଶ ଧାରଣ କରି ପୂଜା ପାଉଛନ୍ତି । ଜଗଦ୍ଧାତ୍ରୀ ବେଶକୁ ଦର୍ଶନ କଲେ ଭକ୍ତ ଶକ୍ତି ପ୍ରାପ୍ତହୁଏ । କାର୍ଯ୍ୟ ସିଦ୍ଧି ହେବା ସହ ସମସ୍ତ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ କରାଯାଏ । ବିଶ୍ୱଶାନ୍ତି ଯଜ୍ଞର ପଞ୍ଚମ ଦିବସରେ ଯଜ୍ଞ ମଣ୍ଡପରେ ଆହୁତି ପ୍ରଦାନ ସହିତ ଗୀତା ପାଠ, ବେଦପାଠ, ଭାଗବତ ପାଠ, ଚଣ୍ଡୀ ପୀଠ ଓ ନାମ ସଂକୀର୍ତ୍ତନ ଚାଲୁ ରହିଛି । ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ସମୟରେ ମା’ଙ୍କ ପୀଠରେ ଭଜନ- କୀର୍ତ୍ତନ ମଧ୍ୟ ଯଜ୍ଞମଣ୍ଡପ ପାଶ୍ୱର୍ରେ କରାଯାଉଛି । ଆସନ୍ତା କାଲି ମା’ଙ୍କର ମହା ସରସ୍ୱତୀ ବେଶ ତଥା ଶନିବାର ମହାଯଜ୍ଞର ପୂର୍ଣ୍ଣାହୁତି ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.