Home ଓଡ଼ିଶା ଭେଂଟିଲେଟର ବିନା ମରୁଛନ୍ତି ରୋଗୀ: କ’ଣ ପାଇଁ ୪୨୦ଟି ଭେଂଟିଲେଟର ଧରି ବସିଛନ୍ତି ସରକାର –...

ଭେଂଟିଲେଟର ବିନା ମରୁଛନ୍ତି ରୋଗୀ: କ’ଣ ପାଇଁ ୪୨୦ଟି ଭେଂଟିଲେଟର ଧରି ବସିଛନ୍ତି ସରକାର – କଂଗ୍ରେସ

58

ଭୁବନେଶ୍ୱର ୨୧-୯ (ଓଡ଼ିଆ ପୁଅ) – ରାଜ୍ୟରେ ଦୈନିକ ପ୍ରାୟ ୪୦୦ ରୁ ଉର୍ଦ୍ଧ୍ୱ କୋଭିଡ୍ – ୧୯ ଆକ୍ରାନ୍ତ ବାହାରୁଛନ୍ତି, ଦୈନିକ ୧୦ ରୁ ଉର୍ଦ୍ଧ୍ୱ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ରାଜ୍ୟରେ କେରୋନା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୭୦୦ ଟପିଲାଣି ଏବଂ ଭେଂଟିଲେଟର ଅଭାବରୁ ପ୍ରତ୍ୟେକ ଦିନ ରୋଗୀ ମରୁଛନ୍ତି। ଏଭଳି ସ୍ଥଳେ କ’ଣ ପାଇଁ ଓ କାହା ସ୍ୱାର୍ଥ ପାଇଁ ରାଜ୍ୟ ସରକାର ୪୨୦ଟି ଭେଂଟିଲେଟର ଇନଷ୍ଟାଲସନ ନକରି ଚାପି ରଖିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଆଜି କଂଗ୍ରେସ ଭବନ ଠାରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ତଥା ଆଇନ୍ଜୀବୀ ନିଶିକାନ୍ତ ମିଶ୍ର କହିଛନ୍ତି ଯେ ଗତ ତା ୧୫-୯-୨୦୨୦ ରିଖରେ କଂଗ୍ରେସ ସାଂସଦ ରାଜୀବ ଶତାବଙ୍କ ପ୍ରଶ୍ନର ଉତର ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନ କୁମାର ଚୌବେ ପ୍ରକାଶ କରିଥିଲେ ଯେ ସମଗ୍ର ଦେଶର ୭ଟି ରାଜ୍ୟକୁ ହାଇ ଫୋକସ୍ ମାନ୍ୟତା ଦିଆଯାଇଛି ଓ ସେହି ୭ ରାଜ୍ୟ ମଧ୍ୟରେ ଓଡିଶା ମଧ୍ୟ ଅଛି। କୋଭିଡ୍-୧୯ ମୁକାବିଲା ପାଇଁ କେଉଁ ରାଜ୍ୟକୁ କେତେ ମାସ୍କ, ପିପିଇ କିଟ୍ ଏବଂ ଲାଇଫ୍ ସେଭିଂ ଭେଂଟିଲେଟର ଦିଆଯାଇଛି ତାହାର ତାଲିକା ପ୍ରକାଶ କରିଥିଲେ। ବିଶେଷକରି ରାଜ୍ୟମାନଙ୍କୁ ଦିଆଯାଇଥିବା ଭେଂଟିଲେଟର ମଧ୍ୟରୁ କେଉଁ ରାଜ୍ୟ ସେଥିମଧ୍ୟରୁ କେତେ ଇନ୍ଷ୍ଟାଲ୍ କରିଛନ୍ତି ତାହାର ଏକ ତାଲିକା ମାନ୍ୟବର ସଭ୍ୟଙ୍କ ଅବଗତି ନିମନ୍ତେ ଗୃହକୁ ଦେଇଥିଲେ।

କିନ୍ତୁ ବଡ ଦୁଃଖ ଓ ପରିତାପର ବିଷୟ ଯେ ଓଡିଶା ପାଇଥିବା ୫୬୭ଟି ଭେଂଟିଲେଟର ମଧ୍ୟରୁ ତା ୧୪-୯-୨୦୨୦ ରିଖ ସୁଦ୍ଧା ମାତ୍ର ୧୪୭ ଟି ଭେଂଟିଲେଟର ଇଷ୍ଟାଲେସନ୍ କରିଛନ୍ତି, ଯାହା ଗୃହରେ ପ୍ରକାଶିତ ତଥ୍ୟରୁ ପ୍ରମାଣ ମିଳୁଛି ବୋଲି ଶ୍ରୀ ମିଶ୍ର କହିବା ସହିତ ସାଧାରଣରେ ତ ଗୋଟେ ହେଲେ ମାସ୍କ ବାଂଟିନାହାନ୍ତି, ଭେଂଟିଲେଟର ଅଭାବରୁ ଲୋକେ ମରୁଥିବା ବେଳେ କାହା ସ୍ୱାର୍ଥରେ ଏବଂ କେଉଁ ମହତ୍ ଉଦ୍ଦେଶ୍ୟରେ ୪୨୦ଟି ଭେଂଟିଲେଟରକୁ ସରକାର ଧରି ବସିଛନ୍ତି ବୋଲି ଶ୍ରୀ ପ୍ରଶ୍ନ କରିଛନ୍ତି।

କେନ୍ଦ୍ର ୫୬୭ଟି ଭେଂଟିଲେଟର ଆମ ରାଜ୍ୟକୁ ନଦେଇ ଗୃହରେ ଓଡିଶା ସଂପର୍କରେ ଭୁଲ୍ ତଥ୍ୟ ଦେଇଛି କି ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ। ନଚେତ୍ କ’ଣ ପାଇଁ ବାକି ୪୨୦ ଟି ଭେଂଟିଲେଟର ଇନ୍ଷ୍ଟଲ କରୁନାହାନ୍ତି, ତାହା ସ୍ପଷ୍ଟ କରିବା ସହିତ ତୁରନ୍ତ ବାକି ଥିବା ଭେଂଟିଲେଟରକୁ ଇନ୍ଷ୍ଟାଲ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ବିପିନ୍ ଦାଶ ଓ ପିସିସି ସଂପାଦକ ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.