Home ଜିଲ୍ଲା ପରିକ୍ରମା ଭାରତ ସ୍ୱାଧୀନତାର ଆଦି ପ୍ରବକ୍ତା ମହାତ୍ମା ବ୍ରାର୍ଡ଼ଲାଫ୍ ଙ୍କ ଜୟନ୍ତୀ “ଆମୋଫୋଇ” ପକ୍ଷରୁ ପାଳିତ

ଭାରତ ସ୍ୱାଧୀନତାର ଆଦି ପ୍ରବକ୍ତା ମହାତ୍ମା ବ୍ରାର୍ଡ଼ଲାଫ୍ ଙ୍କ ଜୟନ୍ତୀ “ଆମୋଫୋଇ” ପକ୍ଷରୁ ପାଳିତ

143

“ସାଙ୍ଗିଆବିହୀନ ନାମ, ପଇତାବିହୀନ କାନ୍ଧ, ପୂଜାବିହୀନ ଜୀବନଧାରା, ପୁରୋହିତବିହୀନ ପ୍ରେମବିବାହ, ଏକ-ସନ୍ତାନ ପରିବାର, ପ୍ରାର୍ଥନାବିହୀନ ଇଂରାଜୀ ମାଧ୍ୟମ ଶିକ୍ଷା ବିନା ଭାରତ ମାଟିରୁ ଜାତି-ପ୍ରଥା ଓ ଭେଦଭାବର ବିଲୁପ୍ତି ଅସମ୍ଭବ” – ବ୍ରାର୍ଡ଼ଲାଫ୍ ଜୟନ୍ତୀ ସଭାରେ ମତପ୍ରକାଶ

ଭୁବନେଶ୍ୱର ୨୮/୦୯ (ଓଡ଼ିଆ ପୁଅ) : ଜାତି-ଜାତକ-ଯୌତୁକଶୂନ୍ୟ ପ୍ରେମବିବାହକାରୀ ସଂସ୍କାରବାଦୀ ସଂସ୍ଥା “ଆମୋଫୋଇ” ପକ୍ଷରୁ ଗୁରୁବାର ମଧ୍ୟାହ୍ନରେ ସ୍ଥାନୀୟ ରେଡ଼୍କ୍ରସ୍ ଭବନର ସଭାଗୃହରେ ବିଶିଷ୍ଟ ନିରୀଶ୍ୱରବାଦୀ ନେତା, ଅଦ୍ୱିତୀୟ ମୁକ୍ତଚିନ୍ତକ ଚାର୍ଲସ୍ ବ୍ରାର୍ଡ଼ଲାଫ୍ଙ୍କ ୧୮୬ତମ ଜନ୍ମବାର୍ଷିକୀ ପାଳିତ ହୋଇ ଯାଇଛି। ଏହି ସଭାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦର୍ଶନ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଫେସର ତଥା ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆର ସଭାପତି ଡ଼.ବିଜୟାନନ୍ଦ କର ଅଧ୍ୟକ୍ଷତା କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଶା ଏଚ୍ଆରଓ (ହ୍ୟୁମାନିଷ୍ଟ୍ ରେସ୍ନାଲିଷ୍ଟ୍ ଅରର୍ଗାନାଇଜେସନ୍)ର ସଭାପତି ପ୍ରଫେସର ଧନେଶ୍ୱର ସାହୁ। ଏଥିରେ ମୁଖ୍ୟ ବକ୍ତାରୂପେ ଯୋଗଦେଇଥିଲେ ଓଡ଼ିଶା ଦଳିତ ଅଧିକାର ମଂଚର ସଭାପତି ସ୍ତମ୍ଭକାର ମି.ମାନସ ଜେନା।

ସ୍ୱାଗତ ଭାଷଣ ଦେବାକୁ ଯାଇ “ଆମୋଫୋଇ” ସଂସ୍ଥାର ପ୍ରତିଷ୍ଠାତା ସଂପାଦକ ବି.ରାମଚନ୍ଦ୍ର ସିଏସ୍ଟି ଭୋଲଟେୟାର କହିଥିଲେ ଯେ ମୁକ୍ତଚିନ୍ତନ ଉପରେ ଯଥାର୍ଥ ଆଲୋଚନା ଚାର୍ଲସ୍ ବ୍ରାର୍ଡ଼ଲାଫଙ୍କୁ ବାଦ ଦେଇ କରାଯାଇ ନପାରେ। କାରଣ ଚାର୍ଲସ୍ ବ୍ରାର୍ଡ଼ଲାଫଙ୍କ ପାଖରେ ଯେଉଁ ଅନନ୍ୟ ନିର୍ଭୀକତା ଓ ଅସାଧାରଣ ସ୍ପଷ୍ଟବାଦୀତା ଥିଲା ତାହା ହିଁ ତାଙ୍କୁ ବେଶ୍ ଉଚ୍ଚ ସ୍ତରକୁ ନେଇଯାଇଥିଲା। ୧୬-୧୭ ବର୍ଷ ବୟସରୁ ସେ ନିଜ ପ୍ରତିଭାର ପରିଚୟ ଦେଇଥିଲେ। ସେ ଜାଣିପାରିଥିଲେ ଯେ ବାଇବେଲ୍ ଓ ଆର୍ଟିକିଲ୍ସ ଅଫ୍ ଫେଥ୍ ରେ ଯାହା ସବୁ ଲେଖାଯାଇଛି ତାହା ଅମୂଳକ ଓ ଅବାନ୍ତର। ସେ ଯୀଶୁଙ୍କୁ ସମ୍ମାନ ଦେଉନଥିଲେ। ତାଙ୍କର ଏପରି ଆଚରଣ ହେତୁ ତାଙ୍କର ବାପା ମା’ ତାଙ୍କୁ ଘରୁ ବିଦାକରି ଦେଇଥିଲେ। ତଥାପି ସେ ଭାଂଗି ପଡ଼ିବା ପରିବର୍ତ୍ତେ ନିଜର ଦୃଢ଼ତା ଓ ସଂକଳ୍ପବୋଧତାକୁ ନେଇ ଆଗକୁ ମାଡ଼ି ଚାଲିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ନର୍ଥାମଟନ୍ ନିର୍ବାଚନ ମଣ୍ଡଳୀରୁ ବ୍ରିଟିଶ୍ ହାଉସ୍ ଅଫ୍ କମନସ୍କୁ ୧୮୮୦-୧୮୯୧ ଯାଏ ବାରମ୍ବାର ନିର୍ଚାଚିତ ହୋଇଥିଲେ। ସେ ଈଶ୍ୱରଙ୍କ ନାମରେ ଶପଥ ନେବା ପାଇଁ ମନାକରିଥିଲେ। ସେଥିପାଇଁ “ଆଇ ଡ଼ୁ ସୋଲେମଲି ଆଫାରମ୍” ବିକଳ୍ପ ରାସ୍ତା ଏହି ଏକ ଜିଦିଆ ହେତୁବାଦୀଙ୍କ ହେତୁ ସାରା ବିଶ୍ୱକୁ ଆସିପାରିଛି। ଭାରତ ସମ୍ବିଧାନରେ ମଧ୍ୟ ଏହା ସ୍ଥାନିତ ହୋଇଛି।

ଚାର୍ଲସ୍ ବ୍ରାର୍ଡ଼ଲାଫ୍ ରାଜତନ୍ତ୍ର ଓ ସାମ୍ରାଜ୍ୟବାଦର ଘୋର ବିରୋଧି ଥିଲେ। ତେଣୁ ସେ ଭାରତର ସ୍ୱାଧୀନତା ପାଇଁ ଅଡ଼ି ବସିଥିଲେ। ଏଥିପାଇଁ ତାଙ୍କୁ ବ୍ରିଟ୍ଶ ହାଉସ୍ ଅଫ୍ କମନସ୍ରେ “ଭାରତର ପ୍ରତିନିଧି” ବୋଲି ଭାରତୀୟ ଜାତୀୟ କଂଗ୍ରେସର ୨ ତୁଙ୍ଗନେତା: ଉମେଶ ଚନ୍ଦ୍ର ବାନାର୍ଜି ଓ ଦାଦାଭାଇ ନାରୋଜି ଘୋଷଣା କରିଥିଲେ।

ମୁଖ୍ୟ ଅତିଥି ପ୍ରଫେସର ସାହୁ ଚାର୍ଲସ୍ ବ୍ରାର୍ଡ଼ଲାଫଙ୍କ ହେତୁବାଦୀ ଦୃଷ୍ଟିଭଂଗୀ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ବ୍ରାର୍ଡ଼ଲାଫ ଯଥାର୍ଥରେ ଥିଲେ ଜଣେ ସଚ୍ଚୋଟ ସାଲିସ୍ବିହୀନ ନିଷ୍କକଳଙ୍କ ଫ୍ରିଥିଙ୍କର। ସେଥିପାଇଁ ବ୍ରାର୍ଡ଼ଲାଫ କହିପାରିଥିଲେ ଯେ “ନିରୀଶ୍ୱରବାଦ ଓ ମୁକ୍ତଚିନ୍ତନ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ସଦୃଶ”। ମୁଖ୍ୟବକ୍ତା ମାନସ ଜେନା ଜାତିପ୍ରଥା ଓ ଭେଦଭାବର ବିଲୋପ ପାଇଁ ଇଂରାଜୀ ମାଧ୍ୟମ ଶିକ୍ଷା, ପୂଜାବିହୀନ ଜୀବନଧାରା, ପ୍ରେମବିବାହ ଉପରେ ଗୁରୁତ୍ୱଆରୋପ କରିଥିଲେ। ନିର୍ବାଚନ ପଦ୍ଧତି ଜର୍ମାନୀ ଢ଼ାଞ୍ଚାରେ କରାଗଲେ ଭାରତରେ ମୁକ୍ତ ଚିନ୍ତକଙ୍କ ସଂଖ୍ୟା ଆଶାତିତ ଭାବେ ବଢ଼ିପାରିବ ଏବଂ ସେମାନେ ଆସେମ୍ଲି ଓ ପାର୍ଲିଆମେଣ୍ଟରେ ପହଂଚି ସେମାନଙ୍କ ନେତୃତ୍ୱର ପରାକାଷ୍ଟା ନିଶ୍ଚୟ ଦେଖାଇ ପାରିବେ ବୋଲି ଶ୍ରୀ ଜେନା କହିଥିଲେ।

ଉତ୍ସବରେ ଧାର୍ଯ୍ୟ ଟପିକ୍ : “ପୁରୋହିତବିହୀନ୍ ପ୍ରେମବିବାହ, ପ୍ରାର୍ଥନାବିହୀନ ଇଂରାଜୀ ମାଧ୍ୟମ ଶିକ୍ଷା, ଏକ-ସନ୍ତାନ ପରିବାର, ବିଶ୍ୱ ସରକାର, ମିକ୍ସଡ଼୍ ଆନୁପାତିକ ପ୍ରତିନିଧିତ୍ୱ (ପି.ଆର) ଭିତ୍ତିକ ନିର୍ବାଚନ ଓ ପଲ୍ଟିକାଲ୍ ପାର୍ଟିକୁ କରପୋରେଟ୍ ହାଉସ୍ ରୁ ମିଳୁଥିବା ଚାନ୍ଦାର ନିଷେଧୀକରଣ ବିନା ସାମାଜିକ-ଅର୍ଥନୈତିକ-ରାଜନୈତିକ ନ୍ୟାୟ ଅସମ୍ଭବ” ଉପରେ ଫୁଲବାଣୀର ବିଶିଷ୍ଟ ହେତୁବାଦୀ ନେତା ମହମ୍ମଦ ସୁକୁରୁ, ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆର ଉପସଭାପତି ହରିଶ୍ ଚନ୍ଦ୍ର କର, ବିଶିଷ୍ଟ ସ୍ତମ୍ଭକାର ଓ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କର ଫେସ୍ବୁକ୍ରେ ସାଟାରିକାଲ୍ କ୍ରିଟିକ୍ ତୁଷାରକାନ୍ତ ଶତପଥୀ, ଆମ୍ବେଦକର ପନ୍ଥୀ ଜାତିପ୍ରଥା ବିରୋଧି ନେତା ମଧୂସୂଦନ ଯାଦବ ପ୍ରମୁଖ ନିଜ ନିଜର ମତ ବ୍ୟକ୍ତ କରି ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ନ୍ୟାୟ ପ୍ରତିଷ୍ଠା ପାଇଁ ଆହ୍ୱାନ ଦେଇଥିଲେ।

“ଆମୋଫୋଇ”ର ସହପ୍ରତିଷ୍ଠାତା ମାଡ଼ାମ୍ ସ୍ୱପ୍ନା ବିଜୟିନୀ ବ୍ରାର୍ଡ଼ଲାଫ୍ଙ୍କ ଉପରେ ସ୍ୱ-ଲିଖିତ ପ୍ରବନ୍ଧ ପାଠ କରିଥିଲେ। ଉତ୍ସବରେ “ପ୍ୟାର କରନା ତ ଡ଼ରନା କିୟା” ଶୀର୍ଷକ ଇଂରାଜୀ ପୁସ୍ତକ ଉନ୍ମୋଚିତ ହୋଇଥିଲା।

ଉତ୍ସବର ସଭାପତି ଡ଼. ବିଜୟାନନ୍ଦ କର କହିଲେ ଯେ : ଚାର୍ଲସ୍ ବ୍ରାର୍ଡ଼ଲାଫ୍ଙ୍କ ମୁକ୍ତ ଚିନ୍ତନକୁ ସାରା ବିଶ୍ୱରେ ଗୁରୁତ୍ୱ ଦିଆଗଲେ ବିଶ୍ୱ ଯୁଦ୍ଧ ବିଗ୍ରହ, ଅନ୍ୟାୟ, ଅନୀତି ଓ ଦୂରାଚାର ଦୂରହେବା ସହିତ ବିଶ୍ୱ ସରକାର ପ୍ରତିଷ୍ଠିତ ହୋଇପାରିବ ଏବଂ ମଣିଷ ସମାଜରୁ ସମସ୍ତ ଅନ୍ଧବିଶ୍ୱାସ ବିଲୁପ୍ତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.