Home ଜିଲ୍ଲା ପରିକ୍ରମା ନିର୍ମାଣର ଦେଢ଼ ବର୍ଷରେ ଆଁ କଲାଣି କଂକ୍ରିଟ ରାସ୍ତା, ମରଣଯନ୍ତା ସାଜିଛି ଧାମନଗର-ଦୋବଲ ରୋଡ୍‌, ପୂର୍ତ...

ନିର୍ମାଣର ଦେଢ଼ ବର୍ଷରେ ଆଁ କଲାଣି କଂକ୍ରିଟ ରାସ୍ତା, ମରଣଯନ୍ତା ସାଜିଛି ଧାମନଗର-ଦୋବଲ ରୋଡ୍‌, ପୂର୍ତ ବିଭାଗ ନିୟମାବଳୀକୁ ଜଳାଞ୍ଜଳି

8

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ରାଜ୍ୟରେ ଶାସନ ପରିବର୍ତନ ହେଲା, ମାତ୍ର ବଦଳିଲାନି ପୂର୍ତ ବିଭାଗର କାର୍ଯ୍ୟଶୈଳୀ କି ଠିକାଦାରଙ୍କ ମନମୁଖୀ କାର୍ଯ୍ୟ। ୨୦୨୪ରେ ଓଡ଼ିଶାରେ ନୂଆ ସରକାର ଆସିବା ପରେ ଜନସାଧାରଣଙ୍କ ସୁବିଧା ପାଇଁ ଧାମନଗରର ଅନ୍ୟତମ ମୁଖ୍ୟ ରାସ୍ତା କୁହାଯାଉଥିବା ଧାମନଗର-ଷେଣ୍ଢପୁର ଭାୟା ଦୋବଲ ରାସ୍ତାର ମରାମତି ଓ ପୁନଃ-ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା। ଅତ୍ୟନ୍ତ ପରିତାପର ବିଷୟ ଯେ, ନିର୍ମାଣର ମାତ୍ର ଦେଢ଼ ବର୍ଷ ନପୂରୁଣୁ ଏହି କୋଟି କୋଟି ଟଙ୍କାର କଂକ୍ରିଟ ରାସ୍ତାଟି ଏବେ ବିଭିନ୍ନ ସ୍ଥାନରେ ଫାଟି ଆଁ କଲାଣି। ପୂର୍ତ ବିଭାଗର ସରକାରୀ ଗାଇଡ୍‌?ଲାଇନ୍ ଏବଂ ବୈଷୟିକ ନିୟମାବଳୀକୁ ସମ୍ପୂର୍ଣ୍ଣ ରୂପେ ଜଳାଞ୍ଜଳି ଦେଇ କରାଯାଇଥିବା ଏହି ନିମ୍ନମାନର ନିର୍ମାଣ ଯୋଗୁଁ ସ୍ଥାନୀୟ ଅଂଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତାର ସ୍ଥିତି ଏବେ ଅତ୍ୟନ୍ତ ଶୋଚନୀୟ। ଧାମନଗର କଲେଜ ସାମ୍ନାରେ ରାସ୍ତାକୁ ପ୍ରାୟ ୬ ଇଂଚ ଉଚ୍ଚା କରି କଂକ୍ରିଟ୍ ଢଳେଇ କରାଯାଇଥିଲା। ଆଶ୍ଚର୍ଯ୍ୟର ବିଷୟ, ଏହି ୬ ଇଂଚ ମୋଟାର ନୂତନ ସ୍ଲାବ୍ ମଧ୍ୟ ଭାରୀଯାନର ଚାପ ସହିନପାରି ଫାଟିଗଲାଣି। ସେହିପରି ଖଡ଼ିପଦାରୁ ଦୋବଲ ମଧ୍ୟବର୍ତୀ ଅଂଚଳରେ ଏଯାଏଁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ସୁଦ୍ଧା ହୋଇନାହିଁ। ଗୋଟିଏ ପଟେ ଠିକାଦାର କାମ ଅଧାପନ୍ତରିଆ କରି ରଖିଥିବା ବେଳେ, ଅନ୍ୟପଟେ ନିର୍ମିତ ହୋଇସାରିଥିବା ଅଂଶରେ ଏବେଠାରୁ ହିଁ ବଡ଼ ବଡ଼ ଫାଟ ଦେଖାଦେବା ବିଭାଗୀୟ ଅପାରଗତାକୁ ପଦାରେ ପକାଇଛି। ଧାମନଗର ଓ ଦୋବଲ ଅଂଚଳର ଭୌଗୋଳିକ ସ୍ଥିତି ଅନୁସାରେ ଏହି ରାସ୍ତା ତଳେ କେଲୁଅ ବା ଅତ୍ୟଧିକ ଚିକିଟା ମାଟି ରହିଛି। ଏହି ମାଟିର ପ୍ରକୃତି ହେଉଛି ବର୍ଷା ଦିନେ ଏହା ଫୁଲିଯାଏ ଏବଂ ଖରା ଦିନେ ସଙ୍କୁଚିତ ହୋଇଯାଏ। ଓଡ଼ିଶା ସରକାରଙ୍କ ପୂର୍ତ ବିଭାଗର ରାସ୍ତା ନିର୍ମାଣ ନିୟମାବଳୀ ଅନୁଯାୟୀ, ଏଭଳି ମାଟି ଉପରେ କଂକ୍ରିଟ୍ ରାସ୍ତା ପ୍ରସ୍ତୁତ କରିବା ପୂର୍ବରୁ ସ୍ୱତନ୍ତ୍ର ସ୍ଥିରୀକରଣ ଡିଜାଇନ୍ କରିବା ବାଧ୍ୟତାମୂଳକ। ମାତ୍ର ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ କୌଣସି ସ୍ୱତନ୍ତ୍ର ପ୍ରତିକାରମୂଳକ ବ୍ୟବସ୍ଥା ନକରି ସିଧାସଳଖ ଢଳେଇ କରିଦିଆଗଲା, ଯାହା ଆଜି ରାସ୍ତା ଫାଟିବାର ପ୍ରମୁଖ କାରଣ ସାଜିଛି। ତାପମାତ୍ରାର ଅତ୍ୟଧିକ ପରିବର୍ତନ ତଥା ସଙ୍କୋଚନ ଓ ପ୍ରସାରଣ ଯୋଗୁଁ ରାସ୍ତାର ଦୁଇଟି ଲେନ୍ ମଝିରେ ଥିବା ସଂଯୋଗସ୍ଥଳ ଗୁଡ଼ିକ ଏବେ ପ୍ରଶସ୍ତ ହେବାରେ ଲାଗିଛି। ନିୟମ ଅନୁସାରେ ଏହି ଜଏଂଟ ଗୁଡ଼ିକୁ ସଠିକ୍ ସମୟରେ କାଟି ସେଥିରେ ବେକର୍ ରଡ୍ ଏବଂ ବିଟୁମିନ ବା ସିଲାଂଟ ଭରିବା କଥା। ମାତ୍ର ତାହା ନକରାଯିବାରୁ ଏହି ସଂଯୋଗସ୍ଥଳ ଗୁଡ଼ିକ ଚଉଡ଼ା ହୋଇ ଲମ୍ବା ଓ ଗଭୀର ଗାଢ଼ରେ ପରିଣତ ହେଲାଣି। ବିଶେଷ କରି ରାତି ସମୟରେ ଦ୍ରୁତଗତିରେ ଯାଉଥିବା ବାଇକ୍ ଚାଳକଙ୍କ ଚକା ଏହି ଗାଢ଼ରେ ପଶିଯିବା ଫଳରେ ଅନେକ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ବୈଷୟିକ ତ୍ରୁଟି ସହିତ ବୋଝ ଉପରେ ଲଳିତା ବିଡ଼ା ସାଜିଛି ବେଆଇନ ଓଭରଲୋଡିଂ। ବୈତରଣୀ ନଦୀରୁ ପ୍ରତିଦିନ ଶହ ଶହ ଓଭରଲୋଡେଡ୍ ବାଲି ବୋଝେଇ ହାଇୱା ଏବଂ ଟ୍ରକ୍ ଏହି ରାସ୍ତା ଦେଇ ଦିନରାତି ଚଳାଚଳ କରୁଛି। ଏହା ସହିତ ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ବୃଦ୍ଧି ପାଇଥିବାରୁ ମେଟାଲ, ଚିପ୍ସ ଏବଂ ଲୁହା ରଡ୍ ବୋଝେଇ ଭାରୀ ଯାନ ମଧ୍ୟ ଏହି ରାସ୍ତା ଉପରେ ନିରନ୍ତର ଯାତାୟତ କରୁଛନ୍ତି। ରାସ୍ତାର ନିର୍ଦ୍ଧାରିତ ଭାର ବହନ କ୍ଷମତାଠାରୁ କେତେ ଗୁଣ ଅଧିକ ଓଜନର ଗାଡ଼ି ଚାଲୁଥିବାରୁ, ଦୁର୍ବଳ ବେସ୍ ଉପରେ ଥିବା କଂକ୍ରିଟ୍ ସ୍ଲାବ୍ ଏହି ଚାପ ସହି ନପାରି ଭାଙ୍ଗି ଆଁ କରୁଛି। ସରକାରଙ୍କ ପୂର୍ତ ବିଭାଗ ନିୟମ ଅନୁଯାୟୀ, କୌଣସି ବି ନୂତନ କଂକ୍ରିଟ୍ ରାସ୍ତାର ଡିଫେକ୍ଟ ଲାଏବିଲିଟି ପିରିୟଡ୍ ଅତିକମରେ ୩ ରୁ ୫ ବର୍ଷ ରହିଥାଏ। ଏହି ସମୟ ମଧ୍ୟରେ ଯଦି ରାସ୍ତା ଖରାପ ହୁଏ, ତେବେ ସମ୍ପୃକ୍ତ ଠିକାଦାର ନିଜ ଖର୍ଚ୍ଚରେ ଏହାର ସମ୍ପୂର୍ଣ୍ଣ ମରାମତି ବା ପୁନଃ-ନିର୍ମାଣ କରିବା ପାଇଁ ଆଇନଗତ ଭାବେ ବାଧ୍ୟ। ଏ ସମ୍ପର୍କରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି ଯେ, ରାଜ୍ୟ ସରକାର ତୁରନ୍ତ ଏକ ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ପଠାଇ ଧାମନଗର-ଦୋବଲ ରାସ୍ତାର ଯାଂଚ କରନ୍ତୁ। ମାଟିର ପ୍ରକୃତି ଅନୁସାରେ ସ୍ୱତନ୍ତ୍ର ଡିଜାଇନ୍ ପ୍ରସ୍ତୁତ କରାଯାଇ ଠିକାଦାରଙ୍କ ଜରିଆରେ ରାସ୍ତାର ପୁନଃ-ନିର୍ମାଣ କରାଯାଉ ଏବଂ ଓଭରଲୋଡିଂ ଗାଡ଼ି ଗୁଡ଼ିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନଚେତ୍ ଆଗାମୀ ଦିନରେ ବୃହତ ଆନ୍ଦୋଳନ ମାଧ୍ୟମରେ ବିଭାଗୀୟ ଅଧିକାରୀଙ୍କୁ ଘେରିବା ପାଇଁ ଧାମନଗରବାସୀ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.