Home ଜିଲ୍ଲା ପରିକ୍ରମା ଅଟଳ ମାର୍ଗ ତଦାରଖ କଲେ ଯୁବ ବିଧାୟକ ଶିତାଶୁ ଶେଖର ମହାପାତ୍ର, ଜୁନ୍ ୧୫ ସୁଦ୍ଧା...

ଅଟଳ ମାର୍ଗ ତଦାରଖ କଲେ ଯୁବ ବିଧାୟକ ଶିତାଶୁ ଶେଖର ମହାପାତ୍ର, ଜୁନ୍ ୧୫ ସୁଦ୍ଧା କଚେରୀ ବଜାରରୁ ଲୋକନାଥ ମନ୍ଦିର ପର୍ଯ୍ୟନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

6

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ କଚେରୀ ବଜାରର ମୁଖ୍ୟ ରାସ୍ତା ଅଟଳ ମାର୍ଗର କାର୍ଯ୍ୟରେ ମନ୍ଥରତା ଦେଖାଦେଇଥିବାବେଳେ ବିଧାୟକଙ୍କ ତାଗିଦ ପରେ ତାହା ଆଗକୁ ବଢିବ ବୋଲି ସହରବାସୀ ଆଶା ପ୍ରକଟ କରିଛନ୍ତି। ଯାହା ଜଣାଯାଏ ଠିକାଦାର ନିର୍ମାଣ କାର୍ଯ୍ୟରେ ଟାଳଟୁଳ ନୀତି ଆପଣାଇଛନ୍ତି। ଯାହାକୁ ନେଇ ଜିଲ୍ଲାବାସୀ ଉଦ୍‌ବେଗ ପ୍ରକାଶ କରି ଆସୁଛନ୍ତି। ଏପରିକି ଭଦ୍ରକ ମା’ ବଙ୍କବାସୁଳି ମନ୍ଦିରରୁ ନିର୍ମିତ ଡ୍ରେନ ଅତି ସଙ୍କୁଚିତ ରହିଛି। ବହୁ ପୂର୍ବରୁ ଏହି ନାଳ ୮ ଫୁଟରୁ ଅଧିକ ଓସାର ଥିଲା । ଏବେ ନବ ନିର୍ମିତ ଡ୍ରେନ ୩ ଫୁଟ ଭିତରେ ସୀମିତ ରହିଛି। ଅତ୍ୟଧିକ ବର୍ଷା ହେଲେ ସହରର ଜଳ ନିସ୍କାସନ ହେବା ନେଇ ସନ୍ଦେହ ବଢିଛି। ତ୍ରୁଟିପୂର୍ଣ୍ଣ ଭାବେ ଅଣ ଓସାରିଆ ଡ୍ରେନ ନିର୍ମାଣ ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ର ସମ୍ଭାବନା ନେଇ ଅଭିଯୋଗ ହୋଇ ଆସୁଥିଲା । ସେହିଭଳି ରାସ୍ତା କାର୍ଯ୍ୟ ତ୍ୱରାନ୍ୱିତ ନ ହେବା ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ବିଳମ୍ବିତ କାର୍ଯ୍ୟକୁ ନେଇ ଭଦ୍ରକ ବିଧାୟକ ସିତାଂଶୁ ସେଖର ମହାପାତ୍ର, ପୂର୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଧ୍ୟାନଚାନ୍ଦ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆ, ଜିଲ୍ଲା ପୂର୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଦେବୀ ପ୍ରସନ୍ନ ଘୋଷ, ଯନ୍ତ୍ରୀ ଉତମ ନାୟକ ପ୍ରମୁଖ ଅଟଳ ମାର୍ଗ ନିର୍ମାଣ ଅଂଚଳ ପରିଦର୍ଶନ କରିଥିଲେ। ଭଦ୍ରକ ବଙ୍କବାସୁଳୀ ମନ୍ଦିରରୁ ଲୋକନାଥ ମନ୍ଦିର ଛକ,ଟାଉନ ହଲ ଛକ ଦେଇ ଅନୁଧ୍ୟାନ କରାଯାଇଥିଲା। ଶନିମନ୍ଦିର ପର୍ଯ୍ୟନ୍ତ ସ୍ଥିତିକ୍ଷେତ୍ରୀୟ ଯାଂଚ ବେଳେ ଆରମ୍ଭରୁ ଅନେକ ତ୍ରୁଟି ଥିବାର ପ୍ରମାଣିତ ହୋଇଥିଲା। ବିଶେଷକରି ନିର୍ମାଣଧୀନ ଡ୍ରେନ ସଙ୍କୁଚିତ ହେବା ନେଇ ଜଣାପଡ଼ିବା ପରେ ଏହି ଡ୍ରେନ ନିର୍ମାଣ ନେଇ ସହରବାସୀଙ୍କ ଉଦ୍‌ବେଗ ପରେ ବିଧାୟକ, ପୂର୍ତ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସ୍ଥିତି ଅନୁଧ୍ୟାନ ପରେ ତାହା ଭଙ୍ଗାଯାଇ ଅଣଓସାରିଆ ଡ୍ରେନ୍ ଓ ଅଙ୍କାବଙ୍କା ବିଦ୍ୟୁତ ପୋଲ୍ ସଜଡାଯାଇ ଏହାକୁ ଅଧିକ ଓସାର କରି ନିର୍ମାଣ କରିବାକୁ ବିଧାୟକ ସିତାଂଶୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ନୂତନ ପୋତା ଯାଇଥିବା ବିଦ୍ୟୁତ ପୋଲ ଅଙ୍କାବଙ୍କା ରହିଛି। କଚେରୀ ଅଂଚଳରୁ ସନ ସାଇନ ସ୍କୁଲ ପର୍ଯ୍ୟନ୍ତ ପୋଲ ସିଧା ରହିଥିବାବେଳେ ଲୋକନାଥ ମନ୍ଦିର ପର୍ଯ୍ୟନ୍ତ ଅଙ୍କାବଙ୍କା ଭାବେ ପୋତା ଯାଇଛି। ସ୍ଥାନୀୟ ଅଂଚଳର ବୃହତ ବ୍ୟବସାୟୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇ ଏଭଳି କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିଧାୟକ ଖପା ହୋଇଛନ୍ତି। ଅଙ୍କାବଙ୍କା ପୋଲ ଗୁଡ଼ିକ ସାନି ସରଳରେଖାରେ ସମ୍ପ୍ରସାରିତ କରି ରାସ୍ତା ପାଖ ସରକାରୀ ଜାଗାରେ ପୋତିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ଶ୍ରୀ ମହାପାତ୍ର ଆଦେଶ ଦେଇଥିବା ବେଳେ ସମ୍ପୃକ୍ତ ଠିକାଦାରଙ୍କୁ ତାଗିଦ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ କଚେରୀରୁ ଲୋକନାଥ ମନ୍ଦିର ପର୍ଯ୍ୟନ୍ତ କାର୍ଯ୍ୟ ସମାପ୍ତ କରିବାକୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି।ଏହା ପରେ ପୌରପାଳିକା ଅଧୀନରେ ଥିବା ଟାଉନ ହଲ ଛକ ନିକଟରେ ୩ଟି ମାର୍କେଟ କମ୍ପେ୍ଲକ୍ସ ଭଙ୍ଗା ଯାଇ ଜାଗା ଯୋଗାଇ ଦିଆଯିବ ବୋଲି ତହସିଲଦାର ଦର୍ଶାଇଛନ୍ତି। ସେହିଭଳି ଶନି ମନ୍ଦିର ପର୍ଯ୍ୟନ୍ତ ଯେଉଁଠି ଯାହା ସମସ୍ୟା ଅଛି ତାକୁ ଯୁଦ୍ଧକାଳୀନ ଭିଭିରେ ସମାଧାନ କରି ରାସ୍ତା କାମ ଆଗେଇ ନେବାକୁ କୁହାଯାଇଛି। ୧୭ କୋଟି ଟଙ୍କାର ନିର୍ମିତ ରାସ୍ତା କାର୍ଯ୍ୟ ଅଗଷ୍ଟ ଭିତରେ ଶେଷ କରିବାକୁ ବିଧାୟକ ଠିକାଦାରଙ୍କୁ ତାଗିଦ କରିଛନ୍ତି। ନଚେତ କଳା ତାଲିକାଭୁକ୍ତ କରାଯିବ ବୋଲି ସର୍କିଟ ହାଉସରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସେ ଚେତାବନୀ ଦେଇଛନ୍ତି। ସେହିଭଳି ଚରମ୍ପା ଫିଡର ରୋଡ଼ କାର୍ଯ୍ୟର ଅଗ୍ରଗତି ନେଇ କ୍ଷେତ୍ର ପରିଦର୍ଶନ କରାଯାଇଛି। ଏଠାରେ ଡ୍ରେନ କାର୍ଯ୍ୟକୁ ନେଇ ଏହି ଟିମ ସନ୍ତୋଷଜନକ ପ୍ରକାଶ କରିଛି। ଡବଲ ୱେ ରାସ୍ତା କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଭୟ କାର୍ଯ୍ୟକୁ ଅତି ଶୀଘ୍ର ଶେଷ କରିବାକୁ ସମୀକ୍ଷା ବୈଠକରେ ଠିକାଦାର ସମେତ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ଶ୍ରୀ ମହାପାତ୍ର ଶେଷ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.