Home ଓଡ଼ିଶା ‘ଭାରତରେ ସଡ଼କ ଦୁର୍ଘଟଣା-୨୦୧୮’ ରିପୋର୍ଟ : ସଡ଼କ ସୁରକ୍ଷା ଉପାୟ ଦ୍ୱାରା ୨୦୧୦ରୁ ୨୦୧୮ ମଧ୍ୟରେ...

‘ଭାରତରେ ସଡ଼କ ଦୁର୍ଘଟଣା-୨୦୧୮’ ରିପୋର୍ଟ : ସଡ଼କ ସୁରକ୍ଷା ଉପାୟ ଦ୍ୱାରା ୨୦୧୦ରୁ ୨୦୧୮ ମଧ୍ୟରେ ଦୁର୍ଘଟଣା ହ୍ରାସ

224

ନୂଆ ଦିଲ୍ଲୀ ୨୦-୧୧ (ଓଡ଼ିଆ ପୁଅ) ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଆଜି ‘ଭାରତରେ ସଡ଼କ ଦୁର୍ଘଟଣା-୨୦୧୮’ ରିପୋର୍ଟ’ ଜାରି କରାଯାଇଛି। ଏହା ହେଉଛି ମନ୍ତ୍ରଣାଳୟ ଅଧୀନ ପରିବହନ ଗବେଷଣା ଶାଖାର ବାର୍ଷିକ ପ୍ରକାଶନୀ, ଯେଉଁଥିରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପୋଲିସ ଠାରୁ ମିଳିଥିବା ତଥ୍ୟ ଆଧାରରେ ଦୁର୍ଘଟଣା, ମୃତ ଏବଂ ଆହତଙ୍କ ସଂଖ୍ୟାର ବର୍ଷୱାରୀ ବିବରଣୀ ଉପଲବ୍ଧ କରାଯାଇଥାଏ।

ରିପୋର୍ଟର ପ୍ରମୁଖ ନିଷ୍କର୍ସ ନିମ୍ନରେ ଦିଆଗଲା :
– ରିପୋର୍ଟ ଅନୁଯାୟୀ, ୨୦୧୮ ବର୍ଷରେ ଦେଶରେ ସଡ଼କ ଦୁର୍ଘଟଣାରେ ୦.୪୬ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୭ରେ ୪, ୬୪, ୯୧୦ଟି ଦୁର୍ଘଟଣା ତୁଳନାରେ ୨୦୧୮ରେ ୪, ୬୭, ୦୪୪ଟି ସଡ଼କ ଦୁର୍ଘଟଣା ଘଟିଛି। ଏହି ଅବଧି କାଳରେ ମୃତ୍ୟୁ ହାର ମଧ୍ୟ ପାଖାପାଖି ୨.୩୭ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୭ରେ ୧, ୪୭, ୯୧୩ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୦୧୮ରେ ୧, ୫୧, ୪୭୧ ଜଣ ମୃତ୍ୟୁବରଣ କରିଛନ୍ତି। ସଡ଼କ ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ୨୦୧୭ ତୁଳନାରେ ୨୦୧୮ରେ ୦.୩୩ ପ୍ରତିଶତ ହ୍ରାସ ପାଇଛି।
– ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ୨୦୧୦ ପର୍ଯ୍ୟନ୍ତ ଦୁର୍ଘଟଣା, ମୃତକ ଏବଂ ଆହତଙ୍କ ସଂଖ୍ୟାରେ ନିରନ୍ତର ବୃଦ୍ଧି ଘଟିଚାଲିଥିଲା। ଏହାର କିଛି ବର୍ଷ ପର୍ଯ୍ୟନ୍ତ ଦୁର୍ଘଟଣା ସଂଖ୍ୟାରେ ସାମାନ୍ୟ ହ୍ରାସବୃଦ୍ଧି ଦେଖାଦେବା ପରେ ଏହା ଏବେ ଅନେକାଂଶରେ ସ୍ଥିର ହୋଇଯାଇଛି। ଏହାବ୍ୟତୀତ ୨୦୧୦-୨୦୧୮ ଅବଧି ମଧ୍ୟରେ ଦୁର୍ଘଟଣା ସହିତ ଦୁର୍ଘଟଣାର ବାର୍ଷିକ ବୃଦ୍ଧି ହାର ମଧ୍ୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ସତ୍ୱେ ଗତ ଦଶନ୍ଧି ତୁଳନାରେ ଦୁର୍ଘଟଣା କମ ରହିଛି।
– ସମଗ୍ର ସଡ଼କ ନେଟୱର୍କର ୧.୯୪ ପ୍ରତିଶତ ଅଂଶ ହେଉଛି ଜାତୀୟ ରାଜପଥ। ୨୦୧୮ରେ ଏଥିରେ ମୋଟ ସଡ଼କ ଦୁର୍ଘଟଣାର ୩୦.୨ ପ୍ରତିଶତ ଏବଂ ମୋଟ ମୃତ୍ୟୁର ୩୫.୭ ପ୍ରତିଶତ ଘଟଣା ଘଟିଛି। ସେହିପରି ସଡ଼କ ନେଟୱର୍କର ୨.୯୭ ପ୍ରତିଶତ ଅଂଶ ଅକ୍ତିଆର କରିଥିବା ରାଜ୍ୟ ରାଜପଥ ୨୫.୨ ପ୍ରତିଶତ ଦୁର୍ଘଟଣା ଏବଂ ୨୬.୮ ପ୍ରତିଶତ ମୃତ୍ୟୁର କାରଣ ସାଜିଛି। ଅନ୍ୟାନ୍ୟ ସଡ଼କ ମୋଟ ସଡ଼କ ନେଟୱର୍କର ୯୫.୧ ପ୍ରତିଶତ ସ୍ଥାନ ହାସଲ କରିଥିବା ବେଳେ ଏଥିରେ ଯଥାକ୍ରମେ ୪୫ ପ୍ରତିଶତ ଦୁର୍ଘଟଣା ଏବଂ ୩୮ ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣା ଘଟିଛି।
– ଦୁର୍ଘଟଣାଜନିତ ମୃତକଙ୍କ ମଧ୍ୟରେ ପାଦରେ ଚାଲି ଯାଉଥିବା ଲୋକଙ୍କ ସଂଖ୍ୟା ୧୫ ପ୍ରତିଶତ ଥିବା ବେଳେ ୨.୪ ପ୍ରତିଶତ ସାଇକେଲ ଚାଳକ, ୩୬.୫ ପ୍ରତିଶତ ଦୁଇ ଚକିଆ ଗାଡ଼ି ଚାଳକ ରହିଛନ୍ତି। ଏହି ଶ୍ରେଣୀ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାର ୫୩.୯ ପ୍ରତିଶତ ହୋଇଥିବା ବେଳେ ବୈଶ୍ୱିକ ଆକଳନ ଅନୁରୂପ ସବୁଠୁ ଅସୁରକ୍ଷିତ ଶ୍ରେଣୀ ମଧ୍ୟରେ ଆସୁଛନ୍ତି।
– ୨୦୧୮ରେ ବିଗତ ଦୁଇ ବର୍ଷ ଭଳି ୧୮ରୁ ୪୫ ବର୍ଷ ବୟସ୍କ ପାଖାପାଖି ୬୯.୬ ପ୍ରତିଶତ ଲୋକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ମୋଟ ସଡ଼କ ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ମଧ୍ୟରୁ ୧୮ରୁ ୬୦ ବର୍ଷ ଆୟୁ ବର୍ଗର କର୍ମଜୀବୀଙ୍କ ସଂଖ୍ୟା ୮୪.୭ ପ୍ରତିଶତ ଥିବା ଜଣାପଡ଼ିଛି।
– ୨୦୧୮ରେ ହିଟ ଆଣ୍ଡ ରନ ମାମଲାରେ ୧୮.୯ ପ୍ରତିଶତ ମୃତ୍ୟୁ ହୋଇଛି, ୨୦୧୭ରେ ଏହା ୧୭.୫ ପ୍ରତିଶତ ଥିଲା। ୨୦୧୮ରେ ପାଖାପାଖି ୫୬ ପ୍ରତିଶତ ଲୋକଙ୍କ ମୃତ୍ୟୁ ସାମ୍ନାସାମ୍ନି ଏବଂ ପଛରୁ ଗାଡ଼ି ଧକ୍କା ହେବା କାରଣରୁ ହୋଇଛି। ୨୦୧୮ରେ ଏହି ଶ୍ରେଣୀରେ ମୃତକଙ୍କ ସଂଖ୍ୟା ଅଧିକ ବୃଦ୍ଧି ପାଇଛି।
– ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ୮୬% ପୁରୁଷ ଥିବା ବେଳେ ୧୪% ମହିଳା ଅଛନ୍ତି।
– ବିଭିନ୍ନ କାରଣ ଯଥା ମାନବୀୟ ତ୍ରୁଟି, ସଡ଼କ ପରିସ୍ଥିତି ଏବଂ ବାହନର ସ୍ଥିତି ଆଦିକୁ ନେଇ ଦୁର୍ଘଟଣା ଘଟୁଥିବା ଜଣାଯାଇଛି।
– ଟ୍ରାଫିକ ନିୟମ ଉଲ୍ଲଙ୍ଘନ ବର୍ଗରେ, ଦ୍ରୁତ ଗାଡ଼ି ଚାଳନା ଯୋଗୁ ୬୪.୪% ଦୁର୍ଘଟଣାଜନିତ ମୃତ୍ୟୁ ଘଟୁଛି। ସେହିପରି ଭୁଲ ରାସ୍ତାରେ ଚଳାଇବା ଯୋଗୁ ୫.୮%, ବାହନ ଚଳାଇବା ସମୟରେ ୨.୪%, ଏବଂ ମଦ ପିଇ ଗାଡ଼ି ଚଳାଇବା ଯୋଗୁ ୨.୮% ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି।
– ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିବା ଯୋଗୁ ୧୩% ଦୁର୍ଘଟଣା ଘଟିଛି।
– ହେଲମେଟ ବ୍ୟବହାର ନକରିବା ଯୋଗୁ ୨୯% ଏବଂ ସିଟ ବେଲ୍ଟ ବ୍ୟବହାର ନକରିବା ଯୋଗୁ ୧୬% ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି।
– ୧୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଯୋଗୁ ୪୧% ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି।
– କ୍ଷମତା ଠାରୁ ଅଧିକ ମାଲ ଏବଂ ଯାତ୍ରୀ ପରିବହନ କାରଣରୁ ୧୨% ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି।
– ୨୦୧୮ରେ ତାମିଲନାଡ଼ୁରେ ସର୍ବାଧିକ ଦୁର୍ଘଟଣା ଘଟିଥିବା ବେଳେ ଉତର ପ୍ରଦେଶରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି।

ଦୁର୍ଘଟଣା ରୋକିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ସଡ଼କ ଓ ବାହନ ପାଇଁ ଶିକ୍ଷା ଏବଂ ଇଞ୍ଜିନିୟରିଂ ଆଧାରିତ ବ୍ୟାପକ ସଡ଼କ ସୁରକ୍ଷା ରଣନୀତି କାର୍ଯ୍ୟକାରୀ କରାଯାଉଛି। ପ୍ରବର୍ତ୍ତନ ଏବଂ ଜରୁରିକାଳୀନ ପଦକ୍ଷେପ ଯଥା ଡ୍ରାଇଭର ତାଲିମ ସ୍କୁଲ ପ୍ରତିଷ୍ଠା, ସଚେତନତା ସୃଷ୍ଟି, ଅଟୋମୋବାଇଲ ସୁରକ୍ଷା ମାନକ ସୁଦୃଢ଼ କରିବା, ସଡ଼କ ଭିତିଭୂମି ଉନ୍ନତି, ସଡ଼କ ସୁରକ୍ଷା ଅଡିଟ ଆଦି ଗ୍ରହଣ କରାଯାଉଛି। ବ୍ଲାକ ସ୍ପଟ ଚିହ୍ନଟ କରି ସଂଶୋଧନ କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏସବୁ ପଦକ୍ଷେପ ଯୋଗୁ ୨୦୧୦-୨୦୧୮ ଅବଧିରେ ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି।

ମନ୍ତ୍ରଣାଳୟ ପକ୍ଷରୁ ସଡ଼କ ସୁରକ୍ଷା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଚଳିତ ବର୍ଷ ମୋଟର ଯାନ ସଂଶୋଧନ ବିଧେୟକ ୨୦୧୯ ଲାଗୁ କରାଯାଇଛି। ଏଥିରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପାଇଁ ଅଧିକ ଜରିମାନା ଲାଗୁ, ବୈଦ୍ୟୁତିକ ନିରୀକ୍ଷଣ, ନାବାଳକଙ୍କ ଗାଡ଼ି ଚାଳନା ପାଇଁ ଅଧିକ ଦଣ୍ଡ ବ୍ୟବସ୍ଥା, ଗାଡ଼ି ଫିଟନେସ ଓ ଡ୍ରାଇଭିଂ ଟେଷ୍ଟର କମ୍ପୁ୍ୟଟରୀକରଣ ଆଦି ବ୍ୟବସ୍ଥା କରାଯାଇଛି। ଏହା ଗାଡ଼ି ଚାଳକ ଏବଂ ସଡ଼କ ଉପଯୋଗକାରୀଙ୍କୁ ଅଧିକ ସଚେତନ କରିବା ସହିତ ସଡ଼କ ଦୁର୍ଘଟଣା ଏବଂ ଏ ସଂକ୍ରାନ୍ତ ମୃତ୍ୟୁ ମାମଲା ହ୍ରାସ କରିବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.