Home ଜିଲ୍ଲା ପରିକ୍ରମା ଭଦ୍ରକର ପବିତ୍ର ସନ୍ଥିଆ ପୀଠ:ଯେଉଁଠି ଭଗବାନ ଅପୁତ୍ରିକ ଭକ୍ତର ପିଣ୍ଡଦାନ କରନ୍ତି, ଆଜି ଶ୍ରୀଚୈତନ୍ୟଙ୍କ ୫ଶହ...

ଭଦ୍ରକର ପବିତ୍ର ସନ୍ଥିଆ ପୀଠ:ଯେଉଁଠି ଭଗବାନ ଅପୁତ୍ରିକ ଭକ୍ତର ପିଣ୍ଡଦାନ କରନ୍ତି, ଆଜି ଶ୍ରୀଚୈତନ୍ୟଙ୍କ ୫ଶହ ବର୍ଷତଳର ଚନ୍ଦନ ଚର୍ଚ୍ଚିତ କନ୍ଥାବସ୍ତ୍ର ପ୍ରଦର୍ଶନ ଉତ୍ସବ

4

ଭଦ୍ରକ, ୧୭ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ସନ୍ଥିଆ (ସନ୍ଥିଆ ନଗର) ଏକ ବଡ ଗାଁ। ଭଦ୍ରକ କଚେରୀ ଛକରୁ ପ୍ରାୟ ଅଧକିଲୋମିଟର ଦୂରରେ ଏହି ଗାଁଟି ଅବସ୍ଥିତ। ଏହି ଗାଁଟିର ବହୁ ପୂଜାପୀଠ ସହ ସାଧୁସନ୍ଥଙ୍କ ଆବାସ ସ୍ଥଳୀ ଥିବା ଯୋଗୁଁ ଗ୍ରାମଟି ସନ୍ଥ ନଗର ନାମରେ ପ୍ରତିଷ୍ଠା ଅର୍ଜନ କରିଛି। ପରବର୍ତୀ ସମୟରେ ଏହା ସନ୍ଥିଆ ନାମ ଧାରଣ କରିଛି। ଏଠାରେ ମଦନ ମୋହନ ମହାପ୍ରଭୁଙ୍କ ବିଜେସ୍ଥଳୀ ଏକ ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଅଟେ। ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ଯେଉଁ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ ହୁଏ, ଠିକ୍ ତାର ଦୁଇଦିନ ପରେ ଏହି ହେରାପଂଚମୀ ପର୍ବ ସନ୍ଥିଆସ୍ଥିତ ଶ୍ରୀ ଶ୍ରୀ ରାଧାମଦନ ମୋହନ ମନ୍ଦିରରେ ମହାସମାରୋହରେ ପାଳିତ ହୋଇଥାଏ। ନାମ କୀର୍ତନ, ପ୍ରବଚନ, ଧର୍ମସଭା ଓ ପ୍ରସାଦ ସେବନରେ ଏହି ସ୍ଥାନଟି ଶ୍ରଦ୍ଧାଳୁଙ୍କ ଗହଣରେ ଫାଟିପଡେ। ଏହି ପୀଠର ପ୍ରତିଷ୍ଠାତା ସ୍ୱର୍ଗତଃ ସାର୍ବଭୌମ ଗଙ୍ଗନାରାୟଣ ବିଦ୍ୟା ବାଚସ୍ପତିଙ୍କୁ ମହାପ୍ରଭୁ ମଦନମୋହନ ନିଜେ ପିଣ୍ଡଦାନ କରିବା ଓ ଚୈତନ୍ୟ ମହାପ୍ରଭୁ ଏଠାରେ ଛାଡି ଯାଇଥିବା ନିଜର ଉତରୀୟ ବସ୍ତ୍ର ଓ କନ୍ଥା ସର୍ବସାଧାରଣରେ ପ୍ରଦର୍ଶନ କରାଯିବା ନେଇ ଏହି ପର୍ବରେ ମହାତ୍ମ୍ୟ ପ୍ରତିଷ୍ଠିତ। ଏହି ଦୁଇଟି ଦୃଶ୍ୟ ପାଇଁ ମଦନ ମୋହନ ମନ୍ଦିରରେ ବିପୁଳ ଜନ ସମାବେଶ ହୁଏ। ଏହି ପୀଠରେ ଜଣେ ମହାପୁରୁଷ ଗଙ୍ଗନାରାୟଣ ବିଦ୍ୟା ବାଚସ୍ପତି ତର୍କାଳଙ୍କାରଙ୍କ କୀର୍ତି। ଏହି ପୀଠର ସ୍ଥାପନ ସମୟ ନବମ ଶତାବ୍ଦୀର। ସ୍ଥାନୀୟ ଗୋସ୍ୱୀମା ପରିବାର ବଂଶାନୁକ୍ରମେ ନିଷ୍ଠାର ସହ ଏଠାରେ ପୂଜା ସେବା କରିଆସୁଛନ୍ତି। କେହି କେହି ଏହାକୁ ବିଦ୍ୟା ବାଚସ୍ପତି ଭବନ, ଚୈତନ୍ୟ ମଠ, ସନ୍ଥିଆ ମଠ, ଗୋସେଇଁ ବାଡି ଓ ଗୋରୁ ଆଶ୍ରମ ବୋଲି କହିଥାନ୍ତି। ଏହା ଏକ ବୈଷ୍ଣବ ଜନତୀର୍ଥ ଅଟେ। ବିଦ୍ୟା ବାଚସ୍ପତିଙ୍କର ଜନ୍ମଭୂମି ବର୍ଦ୍ଧମାନ ଜିଲାର ପଲାସା ଗାଁରେ। ବୃନ୍ଦାବନର ଆରଧ୍ୟ ଦେବ ଶ୍ରୀ ଶ୍ରୀ ମଦନ ମୋହନ ମହାପ୍ରଭୁଙ୍କର ସେ ଜଣେ ପରମ ଭକ୍ତ। ମଦନ ମୋହନଙ୍କ ପ୍ରତିମୂର୍ତିକୁ ଅଙ୍ଗଦେବତା ରୂପେ ଘେନି ବିଦ୍ୟା ବାଚସ୍ପତି ପୁରୀକୁ ଯାତ୍ରା କରୁଥିବା ସମୟରେ ଭଦ୍ରକର ସାଳନ୍ଦୀ ନଦୀ କୂଳରେ ରାତ୍ରୀଯାପନ କରିଥିଲେ। ସ୍ୱପ୍ନାଧିସ୍ତ ହୋଇ ମଦନ ମୋହନଙ୍କୁ ଏଠାରେ ସ୍ଥାପନ କରିଥିଲେ। ସେ ବେଦ ବେଦାନ୍ତ ଓ ସଂସ୍କୃତ ଶାସ୍ତ୍ର ଗୁଡିକୁ ଏପରି ପୁଲକିତ ସ୍ୱରରେ ଗାଉଥିଲେ ଯେ ତାଙ୍କ ସ୍ୱର ଜନସାଧାରଣଙ୍କୁ ବେଶ୍ ଆକର୍ଷିତ କରିଥିଲା। ତାଙ୍କର ଭଜନ କୀର୍ତନ ଓ ପ୍ରବଚନ ଶୁଣିବା ପାଇଁ ପ୍ରତିଦିନ ଶହ ଶହ ନରନାରୀଙ୍କ ସମାବେଶ ହେଉଥିଲା। ପରବର୍ତୀ ସମୟରେ ବହୁ ସାଧୁସନ୍ଥ ମାନେ ଆସି ନିଜର ପୂଜାପୀଠମାନ ସ୍ଥାପନ କଲେ। ସେ ସମୟରେ ଗୋଟେ କ୍ଷୁଦ୍ର କୁଡିଆରେ ବିଦ୍ୟା ବାଚସ୍ପତିଙ୍କର ପୂଜାପାଠ ଚାଲିଥିଲା। ସେ ଅପୁତ୍ରିକ ଥିଲେ। ମଦନ ମୋହନ ମହାପ୍ରଭୁଙ୍କୁ ବିଦ୍ୟା ବାଚସ୍ପତି ପୁଅ ଭଳି ଶ୍ରଦ୍ଧା କରୁଥିଲେ। ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପ୍ରଥା ଅନୁଯାୟୀ ମୃତ୍ୟୁ ପରେ କିଏ ତାଙ୍କ ପିଣ୍ଡଦାନ କରିବ ବୋଲି ମଦନ ମୋହନଙ୍କୁ ଜଣାଇବା ପରେ ସ୍ୱପ୍ନରେ ମଦନ ମୋହନ ମହାପ୍ରଭୁ ନିଜେ ପିଣ୍ଡଦାନ କରିବେ ବୋଲି ଆଶ୍ୱସନା ଦେଇଥିଲେ। ହେରାପଂଚମୀ ଦିବସରେ ନିଜେ ବାଚସ୍ପତିଙ୍କ ମହାପ୍ରୟାଣ ଘଟିଥିଲା। ସେହି ସମୟରୁ ପ୍ରତିବର୍ଷ ହେରାପଂଚମୀ ଦିନ ବିଦ୍ୟା ବାଚସ୍ପତିଙ୍କର ତିରୋଧାନ ଦିବସ ପାଳିତ ହୋଇଆସୁଅଛି। ୧୫୮୪ ଖ୍ରୀଷ୍ଟାବ୍ଦରେ ନୀଳାମୟ ଶ୍ରୀଚୈତନ୍ୟ ମହାପ୍ରଭୁ ବୃନ୍ଦାବନ ଯିବା ବାଟରେ ବିଦ୍ୟା ବାଚସ୍ପତିଙ୍କ ଏହି ଆଶ୍ରମ / ମନ୍ଦିର ସନ୍ଥିଆ ପୀଠକୁ ଆସି ୫ ଦିନ ୫ ରାତି ରହଣି କରିଥିଲେ। ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ୫ ଦିନ ରହଣି ମଧ୍ୟରେ ତତ୍‌କାଳୀନ ସେବକ ଶ୍ରୀ ଯଶୋଦା ନନ୍ଦନ ନ୍ୟାୟାଳାୟଙ୍କାରଙ୍କ ଭକ୍ତି ଓ ପୂଜାର୍ଚ୍ଚନାରେ ସନ୍ତୁଷ୍ଟି ହୋଇ ଗୌରାଙ୍ଗ ମହାପ୍ରଭୁ ତାଙ୍କ ସ୍ୱୟ ଉତରାୟ ପ୍ରଦାନ କରିଥିଲେ। ଏହି ଚୈତନ୍ୟଦେବଙ୍କ ପ୍ରଦତ ଉତରୀୟ ଓ କନ୍ଥା ଆଜିଯାଏ ଚିର ଅବିସ୍ମରଣୀୟ ଏକ ଆଧ୍ୟାତ୍ମିକ ସ୍ମାରକୀ ଭାବେ ଗୌଡିୟ ତଥା ହିନ୍ଦୁ ସମାଜର ଭକ୍ତମାନଙ୍କ ପାଇଁ ପରମାଦୃତ ହୋଇରହିଛି। ମହାପ୍ରଭୁଙ୍କର ବ୍ୟବହୃତ ଏହି ଅଙ୍ଗବସ୍ତ୍ରକୁ ସମ୍ଭାର କରି ଆଜି ସନ୍ଥମୁନି ସନ୍ଥିଆର ମହାତ୍ମ୍ୟ ଦେଶସାରା ପରିବ୍ୟାପ୍ତ ହୋଇଛି। ଆସନ୍ତାକାଲି ଶନିବାର ଏଠାରେ ହେରାପଂଚମୀ ଉତ୍ସବ ଓ କନ୍ଥା ପ୍ରଦର୍ଶନ ପାଳିତ ହେବ। ସକାଳେ ମନ୍ଦିର ପହଡ ଖୋଲିବା ପରେ ମଙ୍ଗଳ ଆରତି ପରେ ଠାକୁରଙ୍କ ସ୍ନାନ ଉପଚାର ହେବ। ପରେ ସାଧାରଣ ଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହେବ। ମଧ୍ୟାହ୍ନରେ କନ୍ଥା ବସ୍ତ୍ର ପ୍ରଦର୍ଶନ କରାଯିବ। ଦିନ ୧୧ ଟା ଠାରୁ ୨ ଟା ପର୍ଯ୍ୟନ୍ତ ମହନ୍ତ ମହାରାଜଙ୍କ ଦ୍ୱାରା ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କ ଲୀଲା କୀର୍ତନ ଅନୁଷ୍ଠିତ ହେବା ସହ ମଦନ ମୋହନଙ୍କ ପ୍ରତିଷ୍ଠାତା ଗଙ୍ଗନାରାୟଣ ବିଦ୍ୟ ବାଚସ୍ପତିଙ୍କୁ ସ୍ୱୟଂ ମଦନ ମୋହନ ଜୀଉଙ୍କର ଶ୍ରାଦ୍ଧ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ଲୀଳା କୀର୍ତନ ହେବା ସହ ଆଧ୍ୟାତ୍ମିକ ସେବା ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.