ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକରେ ପ୍ରାଥମିକ ଶିକ୍ଷା ସଂପୂର୍ଣ ଭାବେ ଦିଗହରା ହୋଇ ପଡିଛି। ଗୋଟିଏ ପଟରେ ଶିକ୍ଷା ବ୍ୟବସ୍ଥା ମୁରବୀ ଶୂନ୍ୟ ହୋଇପଡିଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଚାନ୍ଦବାଲି ବ୍ଲକରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ୨୮୬ । ଏହି ସମସ୍ତ ବିଦ୍ୟାଳୟ ମଧ୍ୟରୁ ୧୧୭ଟି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ଫାଙ୍କା ପଡିଛି । ଶିକ୍ଷକ ଏବଂ ଛାତ୍ରଙ୍କ ଅନୁପାତ ସମାନୁପାତ କଥା ଅନୁଯାଇ ପ୍ରାଥମିକ ବିଦ୍ୟାଳୟରେ ୧୬ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ନିଯୁକ୍ତି ପାଇବା କୁ ସରକାରୀ ନିୟମ ଥିବା ବେଳେ ମାଧ୍ୟମିକ ବିଦ୍ୟାଳୟରେ ୨୩ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୪୨ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ନିଯୁକ୍ତି ପାଇଁ ସରକାରୀ ନିୟମ ଥିବା ବେଳେ ଏହି ନିୟମକୁ କୌଣସି ଭାବରେ ଚାନ୍ଦବାଲି ବ୍ଲକରେ ପାଳନ କରାଯାଉ ନାହିଁ। ୧୦ଟି ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକ ଙ୍କୁ ନେଇ ବିଦ୍ୟାଳୟ ଚାଲିଛି। ଅନ୍ୟ ପକ୍ଷରେ ଚାନ୍ଦବାଲି ବ୍ଲକରେ ବ୍ଲକ ଶିକ୍ଷାଧିକାରୀ ସହ ଶିକ୍ଷାଧିକାରୀ ଏବଂ ଶିକ୍ଷାଧିକାରୀଙ୍କ ଅଫିସରେ କିରାଣୀ ପଦବୀ ମଧ୍ୟ ଫାଙ୍କା ପଡିଛି।ସବୁଠାରୁ ରୋଚକର ବିଷୟ ଏହି ବ୍ଲକରେ ୪ଶହ ଶିକ୍ଷକ ପଦବୀ ମଧ୍ୟ ଫାଙ୍କା । ଏହି ସମସ୍ତ ତଥ୍ୟ ସରକାରଙ୍କ ନିକଟରେ ଥିବା ସତ୍ୱେ ଏହି ସମସ୍ତ ପଦବୀ ପୂରଣ ଦିଗରେ ସରକାର ଯତ୍ନବାନ ନୁହନ୍ତି ଫଳରେ ପ୍ରାଥମିକ ଶିକ୍ଷା ସଂପୂର୍ଣ ଦିଗହରା ହୋଇ ପଡିଛି। ବ୍ଲକରେ ସମୁଦାୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୫୯୯୬ ଥିବା ସତ୍ୱେ ଏହି ଅନୁପାତରେ ଶିକ୍ଷକ ନିଯୁକ୍ତି ଦିଆଯାଉ ନାହିଁ ଫଳରେ ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ ଦିଗହରା ହୋଇ ପଡିଛି ବୋଲି ଶିକ୍ଷକ ସଂଘ ନେତା ପ୍ରଫୁଲ ଦାସ ଅଭିଯୋଗ ଆଣିଛନ୍ତି। ବର୍ତମାନ ସମସ୍ତ ପଦ ପଦବୀ ଫାଙ୍କା ପଡିଥିବା ବେଳେ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ଶୁଭେନ୍ଦୁ ମହାରାଜଙ୍କ ବଦଳି ହେବା ପରେ ଦାଖା ହାଇସ୍କୁଲର ପ୍ରଧାନ ଶିକ୍ଷକ ବର୍ତମାନ ବ୍ଲକ ଶିକ୍ଷାଧିକାରୀ ପଦ ସମ୍ଭାଳୁଛନ୍ତି। ପୂର୍ବତନ ଶିକ୍ଷକ ପ୍ରଫୁଲ ଦାସ ଏହି ବିଷୟରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଫଳ ଶୂନ। ତୁରନ୍ତ ଚାନ୍ଦବାଲି ବ୍ଲକରେ ଶିକ୍ଷକ ନିଯୁକ୍ତି ଦେବା ସହ ବ୍ଲକ ଶିକ୍ଷାଧିକାରୀ, ସହ ଶିକ୍ଷାଧିକାରୀ ଏବଂ ଫାଙ୍କା ପଡିଥିବା ସମସ୍ତ ପଦପଦବୀରେ ରାଜ୍ୟ ସରକାର ତୁରନ୍ତ ନିଯୁକ୍ତି ଦିଆ ଯିବାକୁ ସେ ଦାବୀ ଜଣାଇଛନ୍ତି।






