ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନର ଉଦ୍ୟମ ତଥା ପରବର୍ତୀ ଯତ୍ନ କାର୍ଯ୍ୟକ୍ରମ ଜରିଆରେ ଶିଶୁ ଯତ୍ନ ଅନୁଷ୍ଠାନରୁ ବାହାରିଥିବା ୬ ଜଣ ଅନ୍ତେବାସୀ ନିଯୁକ୍ତି ପାଇଛନ୍ତି। ଏହି ଉପଲକ୍ଷେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ୬ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ନିଯୁକ୍ତି ପାଇଥିବା ଅନ୍ତେବାସୀମାନଙ୍କ ମଧ୍ୟରୁ ବିକାଶ ଧଳ, ରାହୁଲ ବର୍ମା ଓ ରୁଦ୍ର ନାରାୟଣ ରାଉତ ଗରଦପୁରସ୍ଥିତ ଗାନ୍ଧୀ ଓଡ଼ିଶା ବାଳାଶ୍ରମର ଅନ୍ତେବାସୀ ଥିଲେ। ସେହିପରି ବିଶ୍ୱ ରଞ୍ଜନ ପଣ୍ଡା, ଅଲେଖ ଚନ୍ଦ୍ର ଦାସ ଓ ଅଚ୍ୟୁତାନନ୍ଦ ଦାସ କାଞ୍ଜିଆପାଳସ୍ଥିତ ମହାପୁରୁଷ ଆଶ୍ରମର ଅନ୍ତେବାସୀ ଥିଲେ। ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ସମୟରେ ଏହି ଶିଶୁମାନେ ଭଦ୍ରକସ୍ଥିତ ପ୍ରଫୁଲ୍ଲ ଚନ୍ଦ୍ର ଶିଳ୍ପ ତାଲିମ କେନ୍ଦ୍ର ଏବଂ ଧାମନଗରସ୍ଥିତ ନିତ୍ୟାନନ୍ଦ ଶିଳ୍ପ ତାଲିମ କେନ୍ଦ୍ରରେ ଫିଟର ଓ ଇଲେକ୍ଟ୍ରିସିଆନ ବିଭାଗରେ ଦୁଇ ବର୍ଷିଆ ଶିଳ୍ପ ତାଲିମ ଗ୍ରହଣ କରିଥିଲେ। ତାଲିମ ସମାପ୍ତ କରିବା ପରେ ସେମାନେ ବାଙ୍ଗାଲୋରସ୍ଥିତ ଘରୋଇ କମ୍ପାନୀ ଟିବିଆ ଗ୍ରୀନ୍ ଏନର୍ଜିରେ ନିଯୁକ୍ତି ସୁଯୋଗ ପାଇଛନ୍ତି। ପରବର୍ତୀ ଯତ୍ନ ସେବା କ୍ଷେତ୍ରରେ କାର୍ଯ୍ୟରତ ଭୁବନେଶ୍ୱରସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ସି.ୱାଇ.ଏସ୍.ଡି. ପକ୍ଷରୁ ମଧ୍ୟ ଏହି ଶିଶୁମାନଙ୍କୁ ନିଯୁକ୍ତି ପାଇବାରେ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇଥିଲା। ଆଜି ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ ନିଯୁକ୍ତି ପାଇଥିବା ଶିଶୁମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ସେ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ନିଜ ଦକ୍ଷତା ଓ ପରିଶ୍ରମ ବଳରେ ଜୀବନରେ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି, ଭଦ୍ରକ ପକ୍ଷରୁ ମଧ୍ୟ ନିଯୁକ୍ତି ପାଇଥିବା ଶିଶୁମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ସୁବ୍ରତ କୁମାର ବିଶ୍ୱାଳ, ସଦସ୍ୟ ପ୍ରଦୀପ୍ତ କୁମାର କର, ସୁବାଶ ଚନ୍ଦ୍ର ଦେବତା ଓ ଲଲିତା ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡାଙ୍କ ସମେତ ବିଭାଗୀୟ କର୍ମଚାରୀ, ସି.ୱାଇ.ଏସ୍.ଡି.ର ଧନଞ୍ଜୟ କର, ଗାନ୍ଧୀ ଓଡ଼ିଶା ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ଏବଂ ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀ ସସ୍ମିତା ନାୟକ, ଆକାଶ ଚନ୍ଦ୍ର ପୃଷ୍ଟି, ତଥାଗତ ଜେନା, ଚନ୍ଦନ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।







