ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମାଂଚଳ ଓ ଅର୍ଦ୍ଧ-ସହରାଂଚଳର ବିଦ୍ୟାଳୟଗୁଡ଼ିକରେ ଆଧୁନିକ ଡିଜିଟାଲ୍ ଶିକ୍ଷାର ପ୍ରସାର ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ୱାନ ଫ୍ୟୁଚର ଫାଉଣ୍ଡେସନ ପକ୍ଷରୁ ଭଦ୍ରକ ଜିଲ୍ଲାର ଚୟନିତ ବିଦ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଏହାର ଫ୍ଲାଗ୍ଶିପ୍ କାର୍ଯ୍ୟକ୍ରମ ‘ଆର୍ଟିଫିସିଆଲ୍ ଇେଂଟଲିଜେନ୍ସ (ଏଆଇ) ଇନୋଭେସନ୍ ଆଣ୍ଡ ସ୍କିଲିଂ ହବ୍’ର ଶୁଭାରମ୍ଭ କରାଯାଇଛି। ଏଆଇ ରେଡି ଏଜୁକେଶନ କାର୍ଯ୍ୟକ୍ରମ ଅଧୀନରେ ପରିଚାଳିତ ଏହି ପଦକ୍ଷେପ ମାଧ୍ୟମରେ ସହରାଂଚଳର ଉନ୍ନତ ଶିକ୍ଷା ପ୍ରତିଷ୍ଠାନ ଓ ଗ୍ରାମାଂଚଳ ବିଦ୍ୟାଳୟ ମଧ୍ୟରେ ଥିବା ଡିଜିଟାଲ୍ ବ୍ୟବଧାନକୁ ଦୂର କରିବା ସହ ଛାତ୍ରଛାତ୍ରୀଙ୍କୁ ଆଧୁନିକ ପ୍ରଯୁକ୍ତି ସହ ସଂଯୋଗ କରାଯିବ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭଦ୍ରକ ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଅତିରିକ୍ତ ଜ଼ିଲ୍ଲାପାଳ ରବି ନାରାୟଣ ସହୂ,ମୁଖ୍ୟ ଉନ୍ନୟନ ଅଧିକାରୀ-କମ୍-ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭେନ୍ଦ୍ର ସାମଲ , ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଜ଼ିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ,ବିଭିନ୍ନ ପ୍ରଶାସନିକ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଉପସ୍ଥିତ ଥିଲେ। ସାଂସଦ ଅଭିମନ୍ୟୁ ସେଠୀ କହିଥିଲେ ଯେ, ଆଧୁନିକ ପ୍ରଯୁକ୍ତି ଓ ଡିଜିଟାଲ୍ ଜ୍ଞାନ କେବଳ ବଡ଼ ସହରର ବିଦ୍ୟାଳୟମାନଙ୍କ ପାଇଁ ସୀମିତ ରହିବା ଉଚିତ୍ ନୁହେଁ। ଗ୍ରାମାଞ୍ଚଳରେ ମଧ୍ୟ ପ୍ରଚୁର ପ୍ରତିଭା ରହିଛି ଏବଂ ସେମାନଙ୍କୁ ଉପଯୁକ୍ତ ସୁଯୋଗ ଓ ମଂଚ ପ୍ରଦାନ କରାଗଲେ ସେମାନେ ଦେଶର ଗୌରବ ବୃଦ୍ଧି କରିପାରିବେ। ତେବେ ଏଆଇ ମାନବୀୟ ବୁଦ୍ଧିମତାକୁ କେବେବି ଛାପି ନଯାଉ ବୋଲି ସେ ମତ ପ୍ରକାଶ କରିଥିଲେ। ବିଧାୟକ ସୀତାଂଶୁ ଶେଖର ମହାପାତ୍ର କହିଥିଲେ ଯେ, ରାଜ୍ୟ ସରକାରଙ୍କ ଓଡ଼ିଶା ଏଆଇ ନୀତି-୨୦୨୫ ଏବଂ ଜାତୀୟ ଶିକ୍ଷା ନୀତି-୨୦୨୦ର ଲକ୍ଷ୍ୟ ପୂରଣ ଦିଗରେ ଏହି ଏଆଇ ହବ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ମାଧ୍ୟମରେ ରାଜ୍ୟସ୍ତରୀୟ ଯୋଜନାଗୁଡ଼ିକୁ ଗ୍ରାମସ୍ତରରେ କାର୍ଯ୍ୟକାରୀ କରାଯିବ। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ବ୍ଲକ ଶିକ୍ଷା ଅଧିକାରୀ ଓ ପ୍ରଧାନଶିକ୍ଷକମାନଙ୍କୁ ଏହି ଅଭିଯାନର ଅଗ୍ରଦୂତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ। ସେ କହିଥିଲେ ଯେ, ସେମାନଙ୍କର ଦୂରଦୃଷ୍ଟି ଓ ନେତୃତ୍ୱ ହିଁ ଏହି ପ୍ରଯୁକ୍ତିକୁ ବିଦ୍ୟାଳୟ ସ୍ତରରେ ସଫଳ କରିପାରିବ। ଆସନ୍ତା ଜୁଲାଇ ମାସରୁ ପିଏମ୍ ଶ୍ରୀ ବି.ଏମ୍. ବାଗୁରାଇ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଏଆଇ ଇନୋଭେସନ୍ ଆଣ୍ଡ ସ୍କିଲିଂ ହବ୍ କାର୍ଯ୍ୟକ୍ଷମ ହେବ ବୋଲି ନିଷ୍ପତି ହୋଇଥିବାବେଳେ ଜିଲ୍ଲାର ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସହ ଏକ ସମନ୍ୱୟ ବୈଠକ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି। ଫାଉଣ୍ଡେସନର ମୁଖ୍ୟ ପରାମର୍ଶଦାତା ଶାରଦା ପ୍ରସାଦ ପଣ୍ଡା ଏହି ପ୍ରକଳ୍ପର ସଫଳ ରୂପାୟନ ପାଇଁ ସାଂସଦ, ବିଧାୟକ, ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହଯୋଗ କାମନା କରିଥିଲେ। କାର୍ଯ୍ୟକ୍ରମରେ ଏଆଇ ବିଶେଷଜ୍ଞ ମାନସ ରଥ ଓ ତନ୍ମୟ ସ୍ୱାଇଁ ଏହି ପଦକ୍ଷେପର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିବାବେଳେ ଶ୍ୟାମଳ କିଶୋର ଦାସ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ବିଶେଷଜ୍ଞମାନେ ଏହି ହବ୍କୁ କେବଳ ଏକ ପ୍ରଯୁକ୍ତି ଭିତିଭୂମି ନୁହେଁ, ବରଂ ଛାତ୍ରଛାତ୍ରୀଙ୍କୁ ପ୍ରଯୁକ୍ତିର ଉପଭୋକ୍ତାରୁ ନବସୃଷ୍ଟିକାରୀରେ ପରିଣତ କରିବା ପାଇଁ ଏକ ସ୍ଥାୟୀ ଶିକ୍ଷା ପରିବେଶ ବୋଲି ବର୍ଣ୍ଣନା କରିଥିଲେ।
Home ଜିଲ୍ଲା ପରିକ୍ରମା ଭଦ୍ରକରେ ‘ଏଆଇ ଇନୋଭେସନ୍ ଆଣ୍ଡ ସ୍କିଲିଂ ହବ୍’ର ଶୁଭାରମ୍ଭ, ଗ୍ରାମାଂଚଳ ଛାତ୍ରଛାତ୍ରୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି...








