Home ଜିଲ୍ଲା ପରିକ୍ରମା ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ନିଃଶୁଳ୍କ ଗମନାଗମନ ବ୍ୟବସ୍ଥା

ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ନିଃଶୁଳ୍କ ଗମନାଗମନ ବ୍ୟବସ୍ଥା

2

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୨୧ ଜୁନ ୨୦୨୬ ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍ ପ୍ରବେଶିକା ପରୀକ୍ଷା-୨୦୨୬ (୨) ରେ ଅଂଶଗ୍ରହଣ କରୁଥିବା ପରୀକ୍ଷାର୍ଥୀମାନଙ୍କୁ ନିଃଶୁଳ୍କ ଗମନାଗମନ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ଆଜି ଅପରାହ୍ନ ୫ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ, ଭଦ୍ରକଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୂପ ଅଭିଷେକ ବେହେରା, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଆଂଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ମୋଟରଯାନ ନିରୀକ୍ଷକ ବାମଦେବ ସାହୁ, ଭଦ୍ରକ ବସ୍ ସିଣ୍ଡିକେଟ୍‌ର ସଭାପତି ଶ୍ରୀନିବାସ ପତି, ସମ୍ପାଦକ ରାଜେନ୍ଦ୍ର ମହାପାତ୍ର, ଜିଲ୍ଲା ପରିଚାଳକ, ଓ.ଏସ୍‌.ଆରଟି.ସି. ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷା ଉପସ୍ଥିତ ଥିଲେ। ପରୀକ୍ଷାର୍ଥୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୨୦ ଜୁନ ଅପରାହ୍ନ ଏବଂ ୨୧ ଜୁନ ସକାଳେ ଜିଲ୍ଲାର ୭ଟି ବ୍ଲକ୍ ମୁଖ୍ୟାଳୟରୁ ଭଦ୍ରକ ପର୍ଯ୍ୟନ୍ତ ‘ଆମ ବସ୍‌’ ଯୋଗେ ନିଃଶୁଳ୍କ ଯାତାୟାତ ସୁବିଧା ଯୋଗାଇ ଦେବାକୁ ନିଷ୍ପତି ହୋଇଥିଲା। ସେହିପରି ୨୧ ଜୁନ ଦିନ ସକାଳ ୮ଟାରୁ ବନ୍ତଛକଠାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ସଟଲ୍ ସେବା ପାଇଁ ମୋଟ ୭ଟି ‘ଆମ ବସ୍‌’ ନିୟୋଜିତ କରାଯିବ। ଏଥିମଧ୍ୟରେ ଭଦ୍ରକ ଅଟୋନମସ୍ କଲେଜକୁ ୨ଟି, ସରକାରୀ ପଲିଟେକ୍ନିକ୍‌, ଭଦ୍ରକକୁ ୨ଟି, ଭଣ୍ଡାରିପୋଖରୀ ପଲିଟେକ୍ନିକ୍‌କୁ ୨ଟି ଏବଂ ଭଦ୍ରକ ମହିଳା ମହାବିଦ୍ୟାଳୟକୁ ୧ଟି ବସ୍ ଚଳାଚଳ କରିବ। ସମସ୍ତ ବ୍ୟବସ୍ଥାର ତଦାରଖ ଓ ସୁପରିଚାଳନା ପାଇଁ ମୋଟରଯାନ ନିରୀକ୍ଷକ ବାମଦେବ ସାହୁଙ୍କୁ ନୋଡାଲ ଅଫିସର ଭାବେ ମନୋନୀତ କରାଯାଇଛି। ପରୀକ୍ଷାର୍ଥୀମାନେ ଆବଶ୍ୟକତା ପଡ଼ିଲେ ତାଙ୍କ ମୋବାଇଲ ନମ୍ବର ୭୯୭୮୦୧୪୧୭୫ ରେ ଯୋଗାଯୋଗ କରିପାରିବେ। ଏହାଛଡ଼ା, ନିଟ୍ ପରୀକ୍ଷାର୍ଥୀମାନେ ନିଜର ଆଡମିଟ୍ କାର୍ଡ ପ୍ରଦର୍ଶନ କଲେ ବେସରକାରୀ ବସ୍‌ରେ ମଧ୍ୟ ନିଃଶୁଳ୍କ ଯାତ୍ରା କରିପାରିବେ ବୋଲି ଭଦ୍ରକ ବସ୍ ସିଣ୍ଡିକେଟ୍‌ର ସଭାପତି ଓ ସମ୍ପାଦକ ସୂଚନା ଦେଇଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ବୈଠକ ସମାପ୍ତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.