Home ଜିଲ୍ଲା ପରିକ୍ରମା ବଡ଼ ସରକାର ବାବାଙ୍କ “ଫାତେହା ଓ ଧର୍ମସଭା” ସମାରୋହ ଉଦଯାପିତ, ଶାନ୍ତିଶୃଙ୍ଖଳା ସହିତ ଲକ୍ଷାଧିକ ଭକ୍ତଙ୍କ...

ବଡ଼ ସରକାର ବାବାଙ୍କ “ଫାତେହା ଓ ଧର୍ମସଭା” ସମାରୋହ ଉଦଯାପିତ, ଶାନ୍ତିଶୃଙ୍ଖଳା ସହିତ ଲକ୍ଷାଧିକ ଭକ୍ତଙ୍କ ସମାଗମ

25

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାଇପାସ ରୋଡ଼ ସ୍ଥିତ ସରକାରନଗର ଖାନକାହ ପରିସରରେ ଗୁଲସନେ ଗୌଷପାକ୍ ଟ୍ରଷ୍ଟର ସଭାପତି ହାଫିଜ ହାଜି ସେଖ ମହମ୍ମଦ ଇସହାକ ଓ ସମ୍ପାଦକ ସେକ ଅତା ମୋହିଉଦ୍ଦିନ ଏବଂ ଟ୍ରଷ୍ଟ ଓ କମିଟିର ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ସିଦ୍ଧ ପୁରୁଷ ସୈୟଦ ଶାହା ନସିମ ଅଖତର କାଦରୀ ଓରଫ ହଜରତ୍ ବଡ଼ ସରକାରବାବା (ର.ଅ)ଙ୍କ ନବମ ବାର୍ଷିକ ଫାତେହା ପର୍ବ ପାଳିତ ହୋଇଯାଇଅଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଦିଲ୍ଲି, ମୁମ୍ବାଇ, କାଶ୍ମିର, କଲିକତା, ବିହାର, ହାଇଦ୍ରାବାଦ, ଏହ୍ଲାବାଦ ସହିତ ଅନ୍ୟାନ୍ୟ ରାଜ୍ୟରୁ ମଧ୍ୟ ଭକ୍ତମାନେ ଯୋଗ ଦେଇଥିଲେ । ଚଳିତ ବର୍ଷ ଭକ୍ତମାନେ ଜନସମୁଦ୍ର ଭଳି ଆସି ପହଞ୍ôଚଥିଲେ । ଏହି ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲେ ଏବଂ ପ୍ରତ୍ୟେକ ଭକ୍ତମାନେ “ସଦଭାବନାର ପ୍ରତୀକ” ବଜାୟ ରଖି ଓ ଭାଇଚାରାକୁ ବଜାୟ ରଖି ଶାନ୍ତିଶୃଙ୍ଖଳା ସହିତ ଉତ୍ସବକୁ ସଫଳ କରିଥିଲେ । ଉତ୍ସବର ପୂର୍ବଦିନ ଭକ୍ତମାନେ ଖାନକା କମିଟିରେ ଶିରିଣୀ (ଭୋଗ) ପାଇଁ ଫଳ ସାମଗ୍ରୀ ଆଣି ପହଞ୍ଚାଇ ଦେଇଥିଲେ । ଅର୍ଦ୍ଧରାତ୍ରିରେ ବଡ଼ ବାବାଙ୍କ ମଜାର(ସମାଧି) ପୀଠରେ ଜଳ ଲାଗି ଗୋସଲଖାନି କରି କମିଟି ଚାଦର ଚଢ଼ା ଯାଇଥିଲା । ସକାଳ ନମାଯ ପାଠ ସାରି କୁର୍‌ଆନ୍ ଖାନି, ମିଲାଦ ଶରିଫ ଏବଂ ଫାତେହା ଉତ୍ସବ ହୋଇଥିଲା । ଫାତେହା ସରିଲା ପରେ ସମସ୍ତ ଭକ୍ତଙ୍କୁ ଫଳପ୍ରସାଦ ବଣ୍ଟନ କରାଯାଇଥିଲା । ଏହି ଉତ୍ସବରେ ପ୍ରତ୍ୟେକ ଧର୍ମର ଅନୁଗାମୀ ଭକ୍ତମାନେ ଆସି ବାବାଙ୍କୁ ଦର୍ଶନ କରିଛନ୍ତି ଓ ଏଠି କୌଣସି ଭେଦଭାବ ରହେ ନାହିଁ ।

ଉତ୍ସବ ଦିନ ସକାଳରୁ ଅର୍ଦ୍ଧ ରାତ୍ରି ପର୍ଯ୍ୟନ୍ତ ବାବାଙ୍କ ଭକ୍ତମାନେ ଚାଦର ଶୋଭାଯାତ୍ରା କରି ଚାଦର ଚଢ଼ାଇଥିଲେ । ଭକ୍ତମାନଙ୍କ ପାଇଁ ଖାନ୍‌କାହଠାରେ ଫ୍ରି ଟି ଷ୍ଟଲ ଖୋଲାଯାଇଥିଲା ଓ ଭଦ୍ରକ ପୌରପାଳିକା ତରଫରୁ ପୌରାଧ୍ୟକ୍ଷା ଗୁଲମକ୍କି ଦଲୱାଜି ହବିବ ଉପସ୍ଥିତ ରହି ଭକ୍ତମାନଙ୍କ ପାଇଁ ହେଲଥ୍ କ୍ୟାମ୍ପର ଆୟୋଜନ କରିଥିଲେ । ଏହି ଉତ୍ସବରେ ରାଜନୈତିକ ଦଳର ନେତା ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଟାଉନ ବିଜେଡି ସଭାପତି ତାହେର ମହମ୍ମଦ, ରାଜ୍ୟ କଂଗ୍ରେସର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ସୁବ୍ରତ ଦାସ, ନଳିନୀ ମହାନ୍ତି, ଟାଉନ କଂଗ୍ରେସ ସଭାପତି ହାଜି ଅବଦୁଲ ମୁକିତ୍ ଖାନ ଏବଂ ଅନ୍ୟାନ୍ୟ ନେତାମାନେ ଯୋଗଦାନ କରିଥିଲେ । ଖାନକାହ ପରିସର ବାହାରେ ଗୁଲସନେ ନସିମଠାରେ କାଦରୀ ବିରାଦରାନ କମିଟି ତରଫରୁ ଉର୍ଷେ କାଦରୀୟା ଧର୍ମସଭା ସନ୍ଧ୍ୟା ୭ ଘଟିକାଠାରୁ ଆରମ୍ଭ ହୋଇଥିଲା । ଏହି ଧର୍ମସଭାରେ ଓଡ଼ିଶାର ସୁପ୍ରସିଦ୍ଧ କବି ମୁସ୍ତାକ ଗୋହରଙ୍କ ସଂଚାଳନରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କର୍ଣ୍ଣାଟକର ମୌଲାନା (ପଣ୍ଡିତ) ସୈୟଦ ସାହା ତନୱିର ହାଶମି, ୟୁପିରୁ ମୌଲାନା ସୈୟଦ ସାହା କମାଲ ହସନ ଏବଂ ଭାରତର ବିଭିନ୍ନ ରାଜ୍ୟର ବିଶିଷ୍ଟ କବି (ଶାୟର)ମାନେ ଆସି ଯୋଗଦାନ କରି ବଡ଼ ସରକାର ବାବାଙ୍କ ନୀତିବାଣୀ ଉପରେ ଆଲୋକପାତ କରିଥିଲେ ଏବଂ ଏହି ଧର୍ମସଭାକୁ ସଭାପତି ସେକ ହବିବୁଲ୍ଲା, ସମ୍ପାଦକ ସେକ ଅଖତର, ଜାୱେଦ ଅଖତର, ସେଖ ଅବୁ କଲାମ ଓ ସେକ କମିରୁଦ୍ଦିନ ପ୍ରମୁଖ ଉପସ୍ଥିତ ରହି ସଭାଟିକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.