ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ସକାଳ ୭.୦୦ ଘଟିକା ସମୟରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ମାରାଥନ୍ ଦୌଡ଼ ଅନୁଷ୍ଠିତ ହୋଇଛି। ଏହି ମାରାଥନ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ବାଇପାସ୍ ଛକ ଦେଇ ପୁନର୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶେଷ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ସବୁଜ ପତାକା ଦେଖାଇ ଏହି ମାରାଥନ୍ କୁ ଶୁଭାରମ୍ଭ କରିଥିଲେ। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ମାରାଥନ୍ ପରେ ଆୟୋଜିତ ସଂକ୍ଷିପ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ, ସିଟି ଡି.ଏସ୍.ପି. ଅନିଲ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା, ଡେପୁଟି କଲେକ୍ଟର ତଥା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଦେବବ୍ରତ ମହାପାତ୍ର ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଆସନ୍ତା ଡିସେମ୍ବର ୧୩ ତାରିଖରେ ଆୟୋଜିତ ହେବାକୁ ଥିବା ‘ଓଏମସି ପୁରୀ କୋଷ୍ଟାଲ ମାରାଥନ’ ର ପ୍ରୋମୋ ରନ୍ ରେ ଅଧିକରୁ ଅଧିକ ଯୁବକ ଯୁବତୀଙ୍କୁ ଅଂଶଗ୍ରହଣ କରାଇବା। ଓଡ଼ିଶାରେ ପ୍ରଥମ ଥର ପାଇଁ ୩୦ରୁ ଅଧିକ ସ୍ଥାନରେ ଏକକାଳୀନ ଭାବେ “ରନ୍ ଥ୍ରୋ ଓଡ଼ିଶା’ ନାମରେ ଏହି ପ୍ରୋମୋ ରନ୍ ଅନୁଷ୍ଠିତ ହେଉଛି। ଏହାର ମୁଖ୍ୟ ଲକ୍ଷ୍ୟ ପର୍ଯ୍ୟଟନ ସଚେତନତା ସୃଷ୍ଟି କରିବା ଓ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ ସ୍ଥଳୀକୁ ପ୍ରୋତ୍ସାହିତ କରିବା।








