ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅବପାତ ପ୍ରଭାବ ଯୋଗୁଁ ଜିଲାରେ ବାଦଲଫଟା ବର୍ଷା ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି। ବନ୍ୟାଂଚଳ ବାସୀଙ୍କ ପାଇଁ ରିଲିଫ୍ ଚାଉଳ ବାବଦରେ ୪୫୬୧୨.୪୩ କ୍ୱିଂଟାଲ ଭଦ୍ରକ ଜିଲା ପାଇଁ ମଂଜୁର କରିଛନ୍ତି। ଏହାମଧ୍ୟରୁ ୩୧୨୨୦.୦୩ କ୍ୱିଂଟାଲ ଚାଉଳ ଉଠାଯାଇଛି। ବନ୍ୟା ପୀଡିତଙ୍କୁ ଆଜିସୁଦ୍ଧା ୧୯୯୭୯.୨୦ କ୍ୱିଂଟାଲ ଚାଉଳ ରିଲିଫ୍ ବାବଦରେ ବଂଟନ କରାଯାଇଛି। ସେହିପରି ଘରଭଂଗା ବାବଦରେ ୨ କୋଟି ୪୬ ଲକ୍ଷ ୯୧ ହଜାର ଟଙ୍କା ରାଜ୍ୟ ସରକାର ମଂଜୁର କରିଛନ୍ତି। ଚାଷଜମିର କ୍ଷୟକ୍ଷତି ବାବଦରେ କ୍ଷତିପୂରଣ ସହାୟତା ରାଶି ୩୫ କୋଟି ୮୦ ଲକ୍ଷ ୭୯ ହଜାର ୫ ଶହ ଟଙ୍କା ମଂଜୁର କରିଥିବାବେଳେ ଚାଷୀମାନଙ୍କୁ ଆଜିସୁଦ୍ଧା ୫ କୋଟି ୨୬ ଲକ୍ଷ ୫୭ ହଜାର ୭୬୫ ଟଙ୍କା ବଂଟନ କରାଯାଇଛି। ଅନୁଗ୍ରହ ପୂର୍ବକ ସହାୟତା ରାଶି ବାବଦରେ ୫ କୋଟି ଟଙ୍କା, ବନ୍ୟା ପ୍ରଭାବିତ ପରିବାରଙ୍କ ପାଇଁ ୟୁଟେନସିଲ୍ ବାବଦରେ ୯ କୋଟି ୨୧ ଲକ୍ଷ ୨ ହଜାର ୫ ଶହ ଟଙ୍କା ଓ ପୋଷାକ ପତ୍ର ବାବଦରେ ୯ କୋଟି ୨୧ ଲକ୍ଷ ୨ ହଜାର ୫ ଶହ ଟଙ୍କା ରାଜ୍ୟ ସରକାର ମଂଜୁର କରିଛନ୍ତି ବୋଲି ଆଜି ଜିଲାପାଳଙ୍କ ସଦ୍ଭାବନା ଗୃହରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗଣମାଧ୍ୟମକୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟ ପ୍ରଦାନ କାଳରେ ମନ୍ତ୍ରୀ ଶ୍ରୀ ସୁରଜଙ୍କ ସହ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ, ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ ଓ ସରୋଜ ଦତ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ପିଡି ଶୁଭେନ୍ଦ୍ର ସାମଲଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ସୁରଜ ଗଣମାଧ୍ୟମକୁ ଦେଇଥିବା ତଥ୍ୟ ମୂଳେ ଆଜି ସନ୍ଧ୍ୟା ସୁଦ୍ଧା ରାଜଘାଟ ଠାରେ ସାଳନ୍ଦୀ ନଦୀର ଜଳପତନ ବିପଦ ସଂକେତ ୧୭.୦୦ ଫୁଟ ଉପରେ ୧୯.୫୦ ରେ ପ୍ରବାହିତ ହେଉଛି। ସେହିଭଳି ଆଖୁଆପଦା ଠାରେ ବୈତରଣୀ ନଦୀର ଜଳପତନ ବିପଦ ସଂକେତ ୧୮.୩୩ ମିଟର ତଳେ ୧୭.୮୩ ରେ ବନ୍ୟାଜଳ ପ୍ରବାହିତ ହେଉଛି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇ ସଜାଗ ରହି ଯୁଦ୍ଧକାଳୀନ ଭିତିରେ ରିଲିଫ, ଉଦ୍ଧାର ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛି। ଏହି ବନ୍ୟା ଯୋଗୁଁ ଜିଲାର ଭଦ୍ରକ, ବନ୍ତ, ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି, ବାସୁଦେବପୁର ତିହିଡି ୭ଟି ବ୍ଲକ୍ ଓ ଭଦ୍ରକ ପୌରପାଳିକା, ଧାମନଗର ଏନଏସି ୨ଟି ବିଶେଷ ଭାବେ ପ୍ରଭାବିତ ହୋଇଛି। ଜିଲା ପ୍ରଶାସନର ସୂଚନା ଅନୁଯାୟୀ ଏହିସବୁ ବ୍ଲକ୍ ଗୁଡିକର ୮୧ଟି ପଂଚାୟତ, ୧୯ଟି ୱାର୍ଡ ଓ ୨୦୫ ଟି ଗାଁ ପ୍ରଭାବିତ ହୋଇଛି। ୨ ଲକ୍ଷ ୧ ହଜାର ୨୩୧ ଲୋକ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବାବେଳେ ୫୨ ହଜାର ୮୩୯ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି। ସ୍ଥାନାନ୍ତରିତ ହୋଇଥିବା ବ୍ୟକ୍ତିମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ୭୨ଟି ଫ୍ରି କିଚେନ ବନ୍ୟା ପ୍ରଭାବିତ ଅଂଚଳରେ ସଂଗଠିତ କରାଯାଇଛି। ୧୩୯.୮୨ କ୍ୱିଂଟାଲ ଚୁଡା ଓ ୨୧.୧୬ କ୍ୱିଂଟାଲ ଗୁଡ ବନ୍ୟାଂଚଳ ବାସୀଙ୍କୁ ଯୋଗାଇ ଦିଆଯାଇଛି। ଏହାବ୍ୟତୀତ ଏହି ବନ୍ୟାରେ ୧ ଲକ୍ଷ ୧୬ ହଜାର ୮୩୮ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବଡ ହେଲେ ୮୧ ହାଜର ୧୬୨ ଓ ଛୋଟ ହେଲେ ୩୫ ହଜାର ୬୭୬ । ପଶୁସମ୍ପଦ ବିଭାଗ ପକ୍ଷରୁ ବନ୍ୟାଂଚଳରେ ୮୪୨ ପଶୁଙ୍କୁ ଚିକିତ୍ସା କରାଯାଇଛି। ବନ୍ୟାଂଚଳ ବାସୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ମେଡିକାଲ ଟିମ୍ ଓ ପରିମଳ ବ୍ୟବସ୍ଥାକୁ ବନ୍ୟାଂଚଳରେ ସୁଦୃଢ କରାଯାଇଛି। ଏହାବ୍ୟତୀତ ୨୧ଟି ମେଡିକାଲ ଟିମ୍, ୫ଟି ଭେଟିନାରୀ ଟିମ୍ ଓ ୨ଟି କ୍ୟାମ୍ପ ମାଧ୍ୟମରେ ପଶୁ ଚିକିତ୍ସା ଯୋଗାଇ ଦିଆଯାଉଛି। ୨ଟି ମୋବାଇଲ୍ ୱାଟର ଟ୍ରିଟ୍ମେଂଟ ପ୍ଲାଂଟ ନିୟୋଜିତ ରହିଥିବାବେଳେ ୧୯ ଜଣ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସାପ କାମୁଡା ୨ଟି କେସ୍ ଚିହ୍ନଟ କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍ ଟିମ୍ ଧୁଷୁରୀ ଓ ତିହିଡି ବ୍ଲକ୍ରେ ନିୟୋଜିତ କରାଯାଇଛି। ଭଦ୍ରକ ବ୍ଲକ୍ରେ ୧୬ଟି ପଂଚାୟତର ୩୧ଟି ଗାଁ, ୨୭୩୭୦ ଲୋକ ପ୍ରଭାବିତ ହୋଇଛନ୍ତି। ଏହାମଧ୍ୟରୁ ୪୫୬୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୭ଟା ଫ୍ରି କିଚେନ ବ୍ୟବସ୍ଥା କରାଯାଇଛି। ୨୨.୫ କ୍ୱିଂଟାଲ ଚୁଡା ଓ ୯ କ୍ୱିଂଟାଲ ଗୁଡ ଯୋଗାଇ ଦିଆଯାଇଛି। ସେହପରି ଭଣ୍ଡାରିପୋଖରୀ ବ୍ଲକ୍ରେ ୧୦ଟି ପଂଚାୟତର ୩୪ଟି ଗାଁ, ୧୨୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ଏହାମଧ୍ୟରୁ ୧୧୫ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୨ଟା ଫ୍ରି କିଚେନ ବ୍ୟବସ୍ଥା କରାଯାଇଛି। ୧୭ କ୍ୱିଂଟାଲ ଚୁଡା ଓ ୧ କ୍ୱିଂଟାଲ ଗୁଡ ଯୋଗାଇ ଦିଆଯାଇଛି। ଧାମନଗର ବ୍ଲକ୍ରେ ୨୫ଟି ପଂଚାୟତର ୬୯ଟି ଗାଁ, ୬୨୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ଏହାମଧ୍ୟରୁ ୧୯୩୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୩୮ଟା ଫ୍ରି କିଚେନ ବ୍ୟବସ୍ଥା କରାଯାଇଛି। ଧାମନଗର ଏନଏସିର କେବଳ ୧୧ଟି ୱାର୍ଡ ପ୍ରଭାବିତ ହୋଇଥିବାବେଳେ ୨୨୦୦୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ୩୨୦୦ ଲୋକ ସ୍ଥାନାନ୍ତର ହୋଇଛନ୍ତି। ୨ଟି ଫ୍ରି କିଚେନ କରାଯାଇଥିବାବେଳେ ୪ କ୍ୱିଂଟାଲ ଚୁଡା ଓ ୧ କ୍ୱିଂଟାଲ ଗୁଡ ଦିଆଯାଇଛି। ତିହିଡି ବ୍ଲକ୍ରେ ୧୦ଟି ପଂଚାୟତର ୩୦ଟି ଗାଁ, ୫୪୨୮୧ ଲୋକ ପ୍ରଭାବିତ ହୋଇଛନ୍ତି। ଏହାମଧ୍ୟରୁ ୨୪୨୫୯ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୧୪ଟା ଫ୍ରି କିଚେନ ବ୍ୟବସ୍ଥା କରାଯାଇଛି। ୫୦ କ୍ୱିଂଟାଲ ଚୁଡା ଓ ୫ କ୍ୱିଂଟାଲ ଗୁଡ ଯୋଗାଇ ଦିଆଯାଇଛି। ବନ୍ତ ବ୍ଲକ୍ରେ ୧୨ଟି ପଂଚାୟତର ୨୬ଟି ଗାଁ, ୨୮୩୨ ଲୋକ ପ୍ରଭାବିତ ହୋଇଛନ୍ତି। ୧.୪୨ କ୍ୱିଂଟାଲ ଚୁଡା ଓ ୦.୬୦ କ୍ୱିଂଟାଲ ଗୁଡ ଯୋଗାଇ ଦିଆଯାଇଛି। ବାସୁଦେବପୁର ବ୍ଲକ୍ରେ ୧ଟି ପଂଚାୟତର ୧ଟି ଗାଁ, ୧୭ ଲୋକ ପ୍ରଭାବିତ ହୋଇଛନ୍ତି। ଚାନ୍ଦବାଲି ବ୍ଲକ୍ରେ ୭ଟି ପଂଚାୟତର ୧୪ଟି ଗାଁ, ୧୭୮୯୧ ଲୋକ ପ୍ରଭାବିତ ହୋଇଛନ୍ତି। ଭଦ୍ରକ ପୌରପାଳିକାର ୮ଟି ୱାର୍ଡରେ ୨୮୪୦ ଲୋକ ପ୍ରଭାବିତ ହୋଇଛନ୍ତି। ଏହାମଧ୍ୟରୁ ୧୪୦୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୯ଟା ଫ୍ରି କିଚେନ, ୪୪.୯୦ କ୍ୱିଂଟାଲ ଚୁଡା ଓ ୧.୫୬ କ୍ୱିଂଟାଲ ଗୁଡ ଯୋଗାଇ ଦିଆଯାଇଛି।
Home ଜିଲ୍ଲା ପରିକ୍ରମା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ବନ୍ୟା ସମୀକ୍ଷା,ଭଦ୍ରକ ଜିଲା ବନ୍ୟାରେ ୭ଟି ବ୍ଲକ୍, ୮୧ ପଂଚାୟତରେ ୨...








