Home ଜିଲ୍ଲା ପରିକ୍ରମା ବିଧାୟକଙ୍କ ସ୍ୱପ୍ନର ସ୍ମାର୍ଟ ସିଟି ଏବେ ଅଧୁରା , କୁଜିନେତାଙ୍କ ଦବ୍‌ଦବା ଜନିତ ଟେଣ୍ଡର ଫିକ୍ସିଂ...

ବିଧାୟକଙ୍କ ସ୍ୱପ୍ନର ସ୍ମାର୍ଟ ସିଟି ଏବେ ଅଧୁରା , କୁଜିନେତାଙ୍କ ଦବ୍‌ଦବା ଜନିତ ଟେଣ୍ଡର ଫିକ୍ସିଂ ଓ ଉଠାଦୋକାନୀଙ୍କ କବ୍‌ଜାରେ ସହରର ସୌନ୍ଦର୍ଯ୍ୟ ଦିଗହରା

11

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକକୁ ଏକ ସ୍ମାର୍ଟ ସିଟିରେ ପରିଣତ କରାଇବା ପାଇଁ ସ୍ଥାନୀୟ ବିଧାୟକଙ୍କ ଘୋଷଣା ଏବେ ପଦ୍ମ ଘୁଂଚି ଘୁଂଚି ଯିବାଭଳି ପ୍ରତୀୟମାନ ହୋଇଛି । ଯଦିଓ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକଙ୍କ ଉଦ୍ୟମରେ ପୌରପାଳିକାକୁ କୋଟି କୋଟି ଟଙ୍କାର ବିଭିନ୍ନ ବିଭାଗୀୟ ଅନୁଦାନ ରାଶି ଆସିଛି । ଏବଂ ଟେଣ୍ଡର ମାଧ୍ୟମରେ ତାହାର ସଦୁପଯୋଗ ହୋଇଚାଲିଛି । ମାତ୍ର କେତେକ କ୍ଷେତ୍ରରେ ଶାସକ ଦଳର କିଛି କୁଜି ଯୁବନେତାଙ୍କ ଦ୍ୱାରା ବିଧାୟକଙ୍କ ସ୍ୱପ୍ନ ସାକାର ହେବାରେ ପ୍ରତିକୂଳ ପରିସ୍ଥିତି ଦେଖାଦେଉଛି । ଯାହାର ସଦ୍ୟତମ ନଜିର ଦେଖିବାକୁ ମିଳିଛି ଭଦ୍ରକ ପୌରପାଳିକା ଅଧୀନସ୍ଥ ସହରର କେନ୍ଦ୍ରସ୍ଥଳ କୁହାଯାଉଥିବା ଅସ୍ଥଳରେ ନିର୍ମାଣ ହେବାକୁ ଥିବା ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ପାଠାଗାର ଗୃହ (ଲାଇବ୍ରେରୀ ବିଲ୍ଡିଂ) ର ଟେଣ୍ଡର କ୍ଷେତ୍ରରେ । ଶୁଣାଯାଏ, ଏହି ବିଲ୍ଡିଂର କାର୍ଯ୍ୟ ପାଇଁ କରାଯାଇଥିବା ଟେଣ୍ଡର ଫିକ୍ସିଂ ହୋଇଛି । କାହିଁକି ନା ଦୁଇଜଣ ଠିକାଦାରଙ୍କୁ ଏହି କାର୍ଯ୍ୟ ଦେବା ପାଇଁ ଜଣେ ଶାସକ ଦଳର ଯୁବନେତା ୨ ଲକ୍ଷ ଟଙ୍କା ହାତଗୁଂଜା ଦେଇଛନ୍ତି । ତେବେ ଏହି ଟେଣ୍ଡର ଫିକ୍ସିଂ ଘଟଣାର ଅଭିଯୋଗ ପାଇବା ପରେ ଖୋଦ୍ ଜିଲାପାଳ ଡ. ଜ୍ଞାନ ଦାସ ଟେଣ୍ଡର ଫାଇଲ୍‌ଟିକୁ ମଗାଇ ଅଭିଯୋଗର ସତ୍ୟତା ନେଇ ଛାନଭିନ୍ ଆରମ୍ଭ କରିଛନ୍ତି ।

ଯଦିଓ ଏହି ଟେଣ୍ଡରଟି ବାତିଲ ହେବ କି ନା, ସେଥିନେଇ ବଲ୍ ଜିଲାପାଳଙ୍କ କୋଟ୍‌ରେ ରହିଛି, ମାତ୍ର ଏ ସଂପର୍କରେ ସଂପୃକ୍ତ ପୌର ଯନ୍ତ୍ରୀ ପ୍ରହଲ୍ଲାଦ ମହାପାତ୍ର ଘଟଣାର ସତ୍ୟତା ନେଇ ନିଜ ମୁଣ୍ଡରୁ ଦୋଷ ଖସାଇ ଏ ପ୍ରତିନିଧିକୁ ପ୍ରକୃତ ତଥ୍ୟ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେଇପାରିବେ ବୋଲି କହିଛନ୍ତି । ତେବେ ଯାହା ହେଉନା କାହିଁକି ଟେଣ୍ଡର ଫିକ୍ସିଂ ଜନିତ କାଏମ କିମ୍ବା ବାତିଲ ସଂପର୍କରେ ସବିଶେଷ ତଥ୍ୟ ନଦେଇ କାର୍ଯ୍ୟନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ ଏଭଳି ଏକ ବିବଦମାନ ପ୍ରସଙ୍ଗ ଯୋଗୁଁ ଜିଲାପାଳ ଡ. ଦାସ ଫାଇଲ୍‌ଟିକୁ ରଖି ଆଲୋଚନା ପାଇଁ ସମୟ କରିଥିବା ବିଷୟ ଏ ପ୍ରତିନିଧିଙ୍କୁ କହିଛନ୍ତି । ଏହି ଘଟଣାରୁ ବିଧାୟକଙ୍କ ସ୍ୱପ୍ନ କିଭଳି ସାକାର ହେବ, ତାହା ‘ଆକଶ କଇଁଆ ଚିଲିକା ମାଛ’ ହୋଇଯାଇଛି । ଅନୁରୂପ ସହରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ଉଚ୍ଚ ଅଧିକାରୀଙ୍କ ଆବାସିକ କାର୍ଯ୍ୟାଳୟର ପାଚେରୀରେ ଆମ ରାଜ୍ୟ ଓ ଜିଲାର କଳା ଭାସ୍କର୍ଯ୍ୟ, ସ୍ଥାପତ୍ୟକୁ ନେଇ ଲକ୍ଷ ଲକ୍ଷ ଟଙ୍କାର ୱାଲ୍ ପେଣ୍ଟିଂ କରାଯାଇଥିଲେ ବି ତାହା କିଭଳି ବାସ୍ତବ ରୂପରେଖ ନେଇପାରିନାହିଁ, ତାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ସହର ମଧ୍ୟରେ ଥିବା ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ସମ୍ମୁଖ କାନ୍ଥ ଓ ଯାଜପୁର ଜଳସେଚନ ବିଭାଗ ଅଧୀନସ୍ଥ ଭଦ୍ରକ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ନିକଟ ପାଚେରୀରେ । ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ମୁଖ୍ୟ ଫାଟକର ଉଭୟପଟ କାନ୍ଥକୁ ବିଭିନ୍ନ ଚିତ୍ରକଳାରେ ସୌନ୍ଦର୍ଯ୍ୟକରଣ କରାଯାଇଥିବାବେଳେ ତାହା ସମ୍ମୁଖରେ ବିଭିନ୍ନ ଉଠାଦୋକାନୀ ଖଟ ପକାଇ ସେମାନଙ୍କର ବେପାର ବଣିଜ କରିଚାଲିଛନ୍ତି । ସେହିଭଳି କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଗେଟ୍ ସମ୍ମୁଖ କାନ୍ଥର ଚିତ୍ରକୁ ଅବରୋଧ କରି ବ୍ୟବସାୟ ମେଲାଇଛନ୍ତି କେତେକ ପଇଡ ଓ ଫଳ ବ୍ୟବସାୟ । ସେହିଭଳି ଅପର୍ତ୍ତିବିନ୍ଧା ଛକଠାରୁ ଆରମ୍ଭ କରି ପୁରୁଣା ଜିଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ନିକଟ ଗ୍ରାମ୍ୟ ଉନ୍ନୟନ ବିଭାଗ ଗେଟ୍ ସମ୍ମୁଖ ରାସ୍ତାକୁ ଜବରଦଖଲ କରିଚାଲିଛନ୍ତି ବହୁ ଠେଲା ଟ୍ରଲି ବ୍ୟବସାୟୀ । ଏମାନଙ୍କ ଯୋଗୁଁ ସହରର ଏହି ମୁଖ୍ୟ ରାସ୍ତାରେ ଟ୍ରାଫିକ୍ ଦିଗହରା ହୋଇ ପ୍ରତିଦିନ ବହୁ ଦୁର୍ଘଟଣା ଘଟି ଚାଲିଛି । ଏମାନଙ୍କୁ ରୋକିବା ପାଇଁ ସହରାଞ୍ଚଳ ପୁଲିସ୍‌ର ପିସିଆର ଭ୍ୟାନ୍‌ର ପ୍ରତିଦିନ ‘ଲୁଚାଛପା’ ଖେଳ ଚାଲିଛି । ଗୋଟିଏ ପଟେ ପୁଲିସ୍ ଗାଡି ସେମାନଙ୍କୁ ସେଠାରୁ ଘଉଡାଇ ଦେଉଥିବାବେଳେ ଗାଡି ଯିବା ପରେ ପୁଣି ପୂର୍ବ ଦୃଶ୍ୟ ଦେଖିବାକୁ ମିଳୁଛି । ଏଣୁ ବିଧାୟକଙ୍କ ସ୍ୱପ୍ନ ବାସ୍ତବ ରୂପରେଖ ନେବାନେଇ ସହରବାସୀ ସନ୍ଦୀହାନ ହେବା ସ୍ୱାଭାବିକ୍ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.