Home ଜିଲ୍ଲା ପରିକ୍ରମା ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ତୁରନ୍ତ ଗିରଫ ଦାବୀ

ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ତୁରନ୍ତ ଗିରଫ ଦାବୀ

168

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଗଣତାନ୍ତ୍ରିକ ମହିଳା ସମିତିର ଆହ୍ୱାନ କ୍ରମେ ଗତ ୧୦ ତାରିଖ ବିଶ୍ୱ ମାନବାଧିକାର ଦିବସ ପରିପ୍ରେକ୍ଷୀରେ ଓରିଅନ ହୋଟେଲ ଠାରେ ହେଉଥିବା ଆଲୋଚନାଚକ୍ରରେ ସର୍ବଭାରତୀୟ ନାରୀ ନେତ୍ରୀ ତାପସୀ ପ୍ରହରାଜଙ୍କ ବକ୍ତବ୍ୟକୁ କଟୁ ସମାଲୋଚନା କରି ତମାମ ମହିଳାମାନଙ୍କ ବିରୋଧୀ ମନ୍ତବ୍ୟ ପ୍ରଦାନ କରିଥିବା ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କୁ ତୁରନ୍ତ ଗରିଫ କରିବା ପାଇଁ ଆଜି ମିଳିତ ଭାବରେ ଭଦ୍ରକର ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ, ମହିଳା ନେତ୍ରୀ ଓ ଜିଲ୍ଲାର ଶତାଧିକ ମହିଳା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପ୍ରଥମେ ବନ୍ତ ଛକ ଠାରୁ ଶତାଧିକ ମହିଳାମାନଙ୍କର ଏକ ଶୋଭାଯାତ୍ରା ବାହାରି ବିଷ୍ଣୁ ସେଠୀଙ୍କୁ ଗିରଫ ଦାବୀରେ ସହର ପରିକ୍ରମା କରିଥିଲେ । ପରେ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଧାରଣା ଓ ପ୍ରତିବାଦ ସଭା ସଭାପତି ପ୍ରଭାତି ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବିଜେପି ନେତାଙ୍କର ମହିଳା ବିରୋଧି ଆଭିମୁଖ୍ୟର ଅସଲ ମୁଖା ବିଧାୟକ ବିଷ୍ଣୁ ସେଠୀଙ୍କ ଠାରେ ପ୍ରତିଫଳିତ ହୋଇଛି ବୋଲି ତାଙ୍କର ମହିଳା ବିରୋଧି ଓ ସମ୍ବିଧାନ ବିରୋଧି ମନ୍ତବ୍ୟରୁ ପରିପ୍ରକାଶ ହୋଇଛି । ମିଥ୍ୟାରେ ମହିଳାଙ୍କୁ ମା’ କହି ‘ପୁରୁଷମାନଙ୍କ ସହିତ ସମାନ ହୋଇ ପାରିବେ ନାହିଁ, ଅଧିକାର ଅର୍ଥ ସ୍ୱେଚ୍ଛାଚାରିତାର ଲାଇସେନ୍‌ସ ମାଗୁଛନ୍ତି, ମହିଳମାନଙ୍କୁ ଗରେ ରଖି ପୂଜା କରାଯାଏ, କିନ୍ତୁ ସେ ପଦାକୁ ଆସି ପାରିବେ ନାହିଁ, ଗୃହବନ୍ଦୀ ହୋଇ ରହିବେ’ ଭଳି ବିଜେପି ନେତାଙ୍କର ଏପରି ମନ୍ତବ୍ୟ ଆଜି ସାରା ମହିଳା ସମାଜର ଅଧିକାର ଓ ସମ୍ମାନ ଉପରେ ପ୍ରଶ୍ନ ଉଠାଇଛି । ଶ୍ରୀ ସେଠୀ ଧାମନଗର ବିଧାୟକ ଓ ବିରୋଧି ଦଳର ଉପନେତା ଥାଇ ସମ୍ବିଧାନ ବିରୋଧି ବକ୍ତବ୍ୟ ଦେବା ଓ ଲିଙ୍ଗଗତ ପାର୍ଥକ୍ୟ ବକ୍ତବ୍ୟ ଦେବାର ଅଧିକାର ନ ଥିବା ବେଳେ, ସେ ମହିଳାଙ୍କୁ ଅଧିକାର/ଲାଇସେନ୍‌ସ ଦିଆଯିବ ମାନେ ପୁରୁଷମାନେ ତାଙ୍କ ପାଦ ଲେହନ କରିବା ଦରକାର, ନଚେତ ସେମାନେ ପାକିସ୍ଥାନ ପଳାନ୍ତୁ କହିବା ଗଣତନ୍ତ୍ରର ବିରୋଧାଚରଣ କରୁଥିବାରୁ ମହିଳାମାନେ ତାଙ୍କର ଏତାଦୃଶ କାର୍ଯ୍ୟକୁ ନିନ୍ଦା କରିବା ସଂଗେ ସଂଗେ ସେ ନିଜକୁ ବଦଳାଇବାକୁ ଚେଷ୍ଟା କରନ୍ତୁ, ନଚେତ ମହିଳାମାନେ ତାଙ୍କୁ ଉଚିତ ଶିକ୍ଷା ଦେବେ ବୋଲି କହିଥିଲେ । ଗତ ୧୧ ତାରିଖରେ ତାପସୀ ପ୍ରହରାଜଙ୍କ ତରଫରୁ ଆଗତ ଏତଲା ମୂଳେ ଏ ପର୍ଯ୍ୟନ୍ତ କାହିଁକିି ଗିରଫ କରାଯାଇ ନାହିଁ ବୋଲି ମହିଳାମାନେ ପ୍ରଶ୍ନ ଉଠାଇଥିଲେ । ଯେଉଁଭଳି ଭାବରେ ତାଙ୍କୁ ଧମକ ଦେଇ, ଜୀବନରୁ ମାରି ଦେବା ପାଇଁ କହିଛନ୍ତି । ତେଣୁ ତାଙ୍କୁ ୩୦୭, ୩୫୪ ଓ ୧୨୦ (ଏ) ଦଫା ଲଗା ଯାଉ ଓ ତୁରନ୍ତ ଗିରଫ କରାଯାଉ । ଯଦି କରା ନଯାଏ ତେବେ ସାରା ରାଜ୍ୟରେ ଜନ ଆନ୍ଦୋଳନ ସୃଷ୍ଟି ହେବ । ଉକ୍ତ ସଭାରେ ସର୍ବଭାରତୀୟ ନେତ୍ରୀ ତାପସୀ ପ୍ରହରାଜ, ରାଜ୍ୟ ପୂର୍ବତନ ସଭାପତି ତଥା ସିଟୁ ନେତ୍ରୀ ପୁଷ୍ପା ଦାଶ, ରାଜ୍ୟ ସମ୍ପାଦିକା ସନ୍ଧ୍ୟା ଦାସ, ମଜୁନ ଦାସ, ଉତ୍କଳ ମହିଳା ସମିତିର ବନଲତା ଜେନା, ଜୟନ୍ତୀ ବିଶ୍ୱାଳ, ଦିବ୍ୟସିଂହ ନାୟକ, ଜିଲ୍ଲା ସମ୍ପାଦିକା ମମତା ଜେନା, ସୀତା ଦାଶ, ରୋଜାଲିନ୍ ସାମ୍ୟବାଦୀ, କାମିନୀ ଭୋଇ, ସୁମତୀ ନାୟକ, ଶିଖା ମହାପାତ୍ର, ଶାନ୍ତିଲତା ନାୟକ, ବିକାଶ ନାଥ, ପ୍ରଭାସ ମହାପାତ୍ର, ମଳୟ ଭୋଇ, ବିଷ୍ଣୁ ଦାସ, ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ତୁଷାରକାନ୍ତି ମହାନ୍ତି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.