Home Coronavirus Outbreak ବାଲେଶ୍ୱର: ଦିନକରେ ୬୯ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ – ୧୨୪୫ରେ ପହଞ୍ଚିଲା ବାଲେଶ୍ୱର...

ବାଲେଶ୍ୱର: ଦିନକରେ ୬୯ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ – ୧୨୪୫ରେ ପହଞ୍ଚିଲା ବାଲେଶ୍ୱର ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା -ମାଣିଖମ୍ବରେ ୭ ଦିନ ପାଇଁ ଜାରି କଣ୍ଟେନମେଣ୍ଟ କଟକଣା

67

ବାଲେଶ୍ୱର, ୭ା୮(ଓଡ଼ିଆ ପୁଅ/ଅଭୟ ଦାସ):ବାଲେଶ୍ୱରରେ ଗତ କିଛିଦିନ ଧରି କ୍ରମାଗତ ଭାବେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଯାଇଛି। ବିଶେଷ କରି ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଯୋଗୁଁ ଜିଲ୍ଲାର ସ୍ଥିତି ସଙ୍ଗୀନ ଆଡ଼କୁ ଯାଉଥିବା ଲକ୍ଷ୍ୟ କରାଯାଇଛି। ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେବାକୁ ଯାଉଛି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୪୫ରେ ପହଞ୍ଚିଛି। ଅଦ୍ୟାବଧି ୮୮୧ ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୩୫୮ଜଣ କରୋନା ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ ରଖି ଚିକିିତ୍ସା କରାଯାଉଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ପିଜିଟିଭ୍‌ଙ୍କ ମଧ୍ୟରୁ ୩୦ଟି କ୍ୱାରେଣ୍ଟାଇନ୍ କେସ୍ ଥିବା ବେଳେ ଅନ୍ୟ ୩୯ଟି ସ୍ଥାନୀୟ ସଂକ୍ରମଣ ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି। କ୍ୱାରେଣ୍ଟାଇନ୍ କେସ୍ ମଧ୍ୟରୁ ବାଲେଶ୍ୱର ପୌରାଞ୍ଚଳରେ ୧୩ ଜଣ ଥିବା ବେଳେ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରୁ ୧୭ ଜଣ ଅଛନ୍ତି। ସେହିପରି ସ୍ଥାନୀୟ ସଂକ୍ରମଣ କ୍ଷେତ୍ରରେ ବି ବାଲେଶ୍ୱର ପୌରାଞ୍ଚଳ ଆଗରେ ଥିବା ରିପୋର୍ଟରୁ ଜଣାଯାଇଛି। ୩୯ ଜଣ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ୧୮ ଜଣ ବାଲେଶ୍ୱର ପୌରାଞ୍ଚଳରୁ ବୋଲି କୁହାଯାଉଛି। ତେବେ ସହରର ମାଣିଖମ୍ବରୁ ଏକକାଳୀନ ୧୦ ଜଣ ଚିହ୍ନଟ ହେବାପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ୬ ତାରିଖ ମଧ୍ୟରାତ୍ରିରୁ ୧୩ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଏହି ଅଞ୍ଚଳରେ କଣ୍ଟେନମେଣ୍ଟ କଟକଣା ବଳବତ୍ତର ରହିବ ବୋଲି ଜିଲ୍ଳା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ଅଞ୍ଚଳର ଦୁର୍ଗାପ୍ରସାଦଙ୍କ ଘର ଛକ, ସବିର ଖାନ୍‌ଙ୍କ ଘର ଛକ, ଗୋଲାମ ଶୋଭନ ଖାଁଙ୍କ ଘର ଛକ, ଗଣେଶ ହାଲଦାର ଘର ଛକ, କମଳ ହାଲଦାର ଘର ଛକ, କାସିଦାନ ବିବି ଦୋକାନ ଛକ, ଆଶିଷ ରଂଜନ ଦାସ ଘରଛକକୁ ନେଇ କଣ୍ଟେନମେଣ୍ଟ ଜୋନର ସୀମା ନିର୍ଦ୍ଧାରଣ କରାଯାଇଛି। କଟକଣା ଅବଧି ମଧ୍ୟରେ ଏହି ଅଞ୍ଚଳରୁ କେହି ବାହାରି ପାରିବେନି ଓ ଏହି ଅଞ୍ଚଳକୁ କେହି ପ୍ରବେଶ କରିପାରିବେ ନାହିଁ। କଣ୍ଟେନମେଣ୍ଟ ଜୋନରେ ଆଇନଶୃଙ୍ଖଳା ରକ୍ଷା ପାଇଁ ସଦର ତହସିଲଦାର ଓ ଟାଉନଥାନା ଅଧିକାରୀ, ଐହି ଅଞ୍ଚଳରେ ବସବାସ କରୁଥିବା ପରିବାରଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପାଇଁ ବାଲେଶ୍ୱର ମ୍ୟୁନିସପାଲଟିର କର୍ମଚାରୀ, ସ୍ୱାସ୍ଥ୍ୟସେବା ପାଇଁ ସୁନହଟ ହସପିଟାଲର ମେଡିକାଲ ଅଫିସର, ସ୍ୱଚ୍ଛତା ଓ ବିଶୋଧନ ପାଇଁ ଅଗ୍ନିଶମ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ସମସ୍ତ ବିଭାଗର ତଦାରଖ ପାଇଁ ବାଲେଶ୍ୱର ଉପ-ଜିଲ୍ଲାପାଳଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ବାଲେଶ୍ୱର ସହରରେ ଦିନକୁ ଦିନ ବଢ଼ି ଚାଲିଥିବା ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ସହରବାସୀ ଆତଙ୍କିତ ହୋଇପଡ଼ିଥିବା ବେଳେ ପ୍ରଶାସନର ଚିନ୍ତା ମଧ୍ୟ ବଢ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ସହରର ୧୩ ଜଣ ଓ ସ୍ଥାନୀୟ ସଂକ୍ରମଣ ଭାବେ ୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଗାମୀ ଦିନରେ ସ୍ଥିତି କ’ଣ ରହିବ ତାହାକୁ ନେଇ ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.