Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ଶାନ୍ତିଶୃଙ୍ଖଳାର ସହ ଭାରତ ବନ୍ଦ ପାଳନ

ବାଲେଶ୍ୱରରେ ଶାନ୍ତିଶୃଙ୍ଖଳାର ସହ ଭାରତ ବନ୍ଦ ପାଳନ

20

ବାଲେଶ୍ୱର, ୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ କୃଷି ଆଇନ୍‍ବିରୋଧରେ ତଥା ପଞ୍ଜାବ କୃଷକଙ୍କ ଆହ୍ୱାନ କ୍ରମେ ସମଗ୍ର ଦେଶରେ ସୋମବାର ଦିନ ୪ ଘଣ୍ଟିଆ ପ୍ରତୀକ ଧର୍ମଘଟ ବା ଭାରତବନ୍ଦ ପାଳିତ ହୋଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିଫଳନ ଲକ୍ଷ୍ୟ କରାଯାଇଛି। ପୂର୍ବାହ୍ନ ପ୍ରାୟ ୧୦ଟାରୁ ଏହି ଧର୍ମଘଟ ଆରମ୍ଭ ହୋଇ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିଥିଲା। ବାଲେଶ୍ୱରରେ ସେମିତି ଦୃଢ଼ କୃଷକ ସଂଗଠନ ନଥିଲେ ବି ଏହି ଆନ୍ଦୋଳନକୁ ସମର୍ଥନ କରି ବାମପନ୍ଥୀ ଓ କଂଗ୍ରେସ ଦଳର କର୍ମୀଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଧର୍ମଘଟକୁ ସଫଳତାମୁଖୀ କରାଯାଇଥିଲା। ତେବେ ଧର୍ମଘଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଥମାଷ୍ଟମୀ ପାଇଁ ଛୁଟି ଘୋଷଣା କରିବା ଫଳରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ଲକ୍ଷ୍ୟ କରାଯାଇଥିଲା। ତେବେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟଙ୍କ ସମେତ ବାମପନ୍ଥୀ ତଥା କଂଗ୍ରେସ ଦଳର ନେତା ଏବଂ କର୍ମୀ ସକାଳ ପ୍ରାୟ ୮ଟାରୁ ସହର ମଧ୍ୟରେ ଦଳ ଦଳ ହୋଇ ବିଭିନ୍ନ ବଜାର ବନ୍ଦ କରିଥିଲେ। ଯେଉଁଠି କାଁଭାଁ ଦୋକାନ ଖୋଲା ଯାଇଥିଲା ତାହାକୁ ଆନ୍ଦୋଳନ କାରୀମାନେ ପିକେଟିଂ କରି ବନ୍ଦ କରାଉଥିଲେ। ଏହି ବନ୍ଦ ବେଳେ ସହରର ନୂଆବଜାର ମାଛ ମ।।ର୍କେଟରେ ଦୋକାନୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ବଚସା ହେବା ସହ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲେ। ଖବର ପାଇ ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା। ଅନ୍ୟପକ୍ଷରେ କୋର୍ଟ କଚେରୀ ବନ୍ଦ ରହିଥିଲେ ବି ବିଭିନ୍ନ ବ୍ୟାଙ୍କ କାର୍ଯ୍ୟାଳୟ ଖୋଲିବାକୁ ଉଦ୍ୟମ କରୁଥିବା ବେଳେ ଚେଷ୍ଟା ଆନ୍ଦୋଳନକାରୀ ପହଞ୍ଚି ବିକ୍ଷୋଭ ଓ ପିକେଟିଂ କରିଥିଲେ। ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ପ୍ରତିବାଦ ଓ ବିକ୍ଷୋଭ କାର୍ଯ୍ୟକ୍ରମରେ କଂଗ୍ରେସ ଏବଂ ବାମପନ୍ଥୀ ନେତା ଯୋଗଦେଇ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଅନ୍ୟାନ୍ୟ ସେକ୍ଟର ଭଳି କୃଷି କ୍ଷେତ୍ରକୁ କର୍ପୋରେଟରଙ୍କ ହାତକୁ ଟେକିଦେବା ପାଇଁ କେନ୍ଦ୍ର ସରକାର ନୂତନ କୃଷି ଆଇନ ପ୍ରଣୟନ କରିଥିବା ସେମାନେ ମତ ପ୍ରକାଶ କରିଥିଲେ। ତୁରନ୍ତ ଏହି ଆଇନ୍‌କୁ ସରକାର ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଥିଲେ। ସହର ରାସ୍ତାରେ ଛୋଟମୋଟ ଯାନବାହନ ଯାତାୟତ କରୁଥିଲେ ମଧ୍ୟ ବସ, ଟ୍ରକ୍‌, ଟ୍ରେକର ଓ ଅଟୋ ପ୍ରଭୃତି ଚଳାଚଳ ବନ୍ଦ ଥିଲା। ବାଲେଶ୍ୱର ଶ୍ରମିକ ସଂଗଠନ ସମନ୍ୱୟ ସିମିତିର ଆନୁକୂଲ୍ୟରେ ହୋଇଥିବା ଏହି ବନ୍ଦ ପାଳନକୁ ବିଭିନ୍ନ ଦଳର ରାଜନେତା ଓ ସଂଗଠନର କର୍ମକର୍ତ୍ତା ତଥା ସଦସ୍ୟମାନେ ପରିଚାଳନା କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.