Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ପବିତ୍ର ପ୍ରଥମାଷ୍ଟମୀ

ବାଲେଶ୍ୱରରେ ପବିତ୍ର ପ୍ରଥମାଷ୍ଟମୀ

100

ବାଲେଶ୍ୱର, ୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଉତ୍କଳୀୟ ସଂସ୍କୃତିର ଅନ୍ୟତମ ପର୍ବ ପବିତ୍ର ପ୍ରଥମାଷ୍ଟମୀ ସହରଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ଶ୍ରଦ୍ଧାର ସହ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି। ଗତ ଏପ୍ରିଲ ମାସରୁ କରୋନା କଟକଣା ପାଇଁ ଅନ୍ୟାନ୍ୟ ପର୍ବପର୍ବାଣୀ ଫିକା ପଡ଼ିଯାଇଥିଲେ ବି ପ୍ରଥମାଷ୍ଟମୀ ପାଳନରେ କିଛି ପ୍ରଭାବ ପଡ଼ି ନଥିବା ଲକ୍ଷ୍ୟ କରାଯାଇଥିଲା। ଏହି ପର୍ବକୁ ଲୋକେ ଘରେ ଘରେ ପାଳନ କରୁଥିଲେ। ପ୍ରଥମ ପୁଅଝିଅଙ୍କ ସମେତ ପରିବାରର ମଙ୍ଗଳ କାମନା କରି ଲୋକେ ମନ୍ଦିରର ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏନେଇ ସହରର ମନ୍ଦିରମାନଙ୍କରେ ସକାଳଠାରୁ ମଧ୍ୟାନ୍ନ ପର୍ଯ୍ୟନ୍ତ ବେଶ୍ ଗହଳି ପରିଲକ୍ଷିତ ହୋଇଥିଲା। ତେବେ କୋଭିଡ୍ ନିୟମକୁ ପାଳନ ପୂର୍ବକ ଲୋକେ ପଜାର୍ଚ୍ଚନା କରୁଥିଲେ। ସେହିଭଳି ପ୍ରତ୍ୟେକଙ୍କ ଘରେ ଷଠୀ ମାଆଙ୍କଠାରେ ହଳଦୀ ପତ୍ରରେ ପିଠା ଭୋଗ ଦେଇ ନୂଆଲୁଗା ପୂଜା ପରେ ପରିବାରର ପ୍ରଥମ ପୁଅଝିଅଙ୍କୁ ପିନ୍ଧିବାକୁ ଦିଆଯାଇଥିଲା। ଏମିତିକି ବହୁ ଘରର ବିବାହିତା ଜ୍ୟେଷ୍ଠକନ୍ୟା କିମ୍ବା ବଡ଼ ଜ୍ୱାଇଁଙ୍କ ପାଇଁ ବି ପ୍ରଥମାଷ୍ଟମୀରେ ନୂଆଲୁଗା ପ୍ରଦାନ କରାଯାଇଥିଲା। କାହିଁ କେଉଁ କାଳରୁ ଏହି ପରମ୍ପରା ଚଳିଆସୁଛି। ପ୍ରତ୍ୟେକଙ୍କ ଘରେ ଆଜି ପିଠାପଣା ଖିରି ମିଠା ଆଦି ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ଉତ୍ସବର ମାହଲ ବେଶ ବାରିହୋଇ ପଡ଼ୁଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.