Home ଜିଲ୍ଲା ପରିକ୍ରମା ବାପା-ମାଙ୍କୁ ହରାଇ ଦାଣ୍ଡ ପିଣ୍ଡାରେ ୪ ଅନାଥ ଶିଶୁ, ପହଁଚି ପାରୁନିି ପ୍ରଶାସନ

ବାପା-ମାଙ୍କୁ ହରାଇ ଦାଣ୍ଡ ପିଣ୍ଡାରେ ୪ ଅନାଥ ଶିଶୁ, ପହଁଚି ପାରୁନିି ପ୍ରଶାସନ

48

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାପା ନାହିଁ କି ମା ନାହିଁ ଭଙ୍ଗା ଘରେ ବିନା ବିଜୁଳି ପାଣି ପାଇଖାନାରେ ଭୋକ ଉପାସରେ ଦିନ କାଟୁଛନ୍ତି ୪ ଅନାଥ ଶିଶୁ । ଗତ ୨୦୧୯ ମସିହାରେ ଆଗପଛ ହୋଇ ବାପା-ମା ଆରପାରିକୁ ଚାଲିଯିବା ପରେ ସଂପୁର୍ଣ୍ଣ ବେସାହାରା ହୋଇ ପଡିଛନ୍ତି ୪ ଜଣ ଛୋଟ ଛୋଟ ପିଲା । ସେମାନଙ୍କୁ ଆହା କହିବାକୁ ପାଖରେ କେହି ନଥିବା ବେଳେ ସେମାନଙ୍କୁ ଖାଦ୍ୟ ପାନୀୟ ଯୋଗାଇ ଦେବାକୁ କିଛି ସମ୍ଭଳ ନାହିଁ । ଅନାଗତ ଭବିଷ୍ୟତ ଏବଂ ବଂଚିବାର ସ୍ୱପ୍ନ ନେଇ ଏବେ ପଡି ରହିଛନ୍ତି ଏହି ୪ ପିଲା । ଭଦ୍ରକ ଜିଲ୍ଳା ବାସୁଦେବପୁର ପୌରପାଳିକା ୧୫ ନଂ ୱାର୍ଡ ସାବରପୁର ଗ୍ରାମର ଜଣେ ଗରୀବ ସାଇକେଲ ମରାମତି ଦୋକାନୀ ମୀର କମାଲୁଦ୍ଧିନ । ସ୍ୱଳ୍ପ ରୋଜଗାରରେ କୌଣସିମତେ ତାଙ୍କ ପରିବାର ଚଳି ଯାଉଥିଲା । ପରିବାର କହିଲେ ସ୍ତ୍ରୀ ଏବଂ ୩ ଝିଅ ଏବଂ ଗୋଟିଏ ପୁଅ । ତେବେ ଆକସ୍ମିକ ରୋଗରେ ପଡି ସେପାରିକୁ ଚାଲିଗଲେ କମାଲୁଦ୍ଧିନ । ଏହାର ମାତ୍ର ୯ ମାସ ପରେ ସ୍ତ୍ରୀ ମଧ୍ୟ ସେପାରିକୁ ଚାଲିଗଲେ । ବାପା-ମା ଚାଲିଯିବା ପରେ ସଂପୁର୍ଣ୍ଣ ବେସାହାରା ହୋଇ ପଡିଛନ୍ତି ଏହି ୪ ଜଣ ଟିକି ଟିକି ପିଲା । ବଡଝିଅ ଆଫସନା ପାଖ ସ୍କୁଲରେ ୧୦ ମରେ ପଢୁଥିଲା । ବାପା-ମା ଚାଲିଯିବା ପରେ ଅର୍ଥାଭାବରୁ ପାଠରେ ଡୋର ବନ୍ଦା ହୋଇ ଗଲା । ପାଠପଢା ସିନା ବନ୍ଦ ହୋଇ ଗଲା ହେଲେ ପରିବାର ପ୍ରତିପୋଷଣ ଏବଂ ନିଜର ଟିକିଟିକି ଭାଇଭଉଣୀଙ୍କ ଭବିଷ୍ୟତ ଚିନ୍ତାରେ ଘାରି ହେଉଛି ଏହି ଟିକିଝିଅଟି । ଯେଉଁ ବୟସରେ କାନ୍ଦରେ ସ୍କୁଲ ବହି ବସ୍ତାନୀ ଧରି ପାଠପଢିବାକୁ ସ୍କୁଲ ଯିବା କଥା ସେହି ବୟସରେ ନିଜର ଟିକିଟିକି ଭାଇ-ଭଉଣୀଙ୍କ ମୁହଁରେ ଦାନା ଗଣ୍ଡେ ଦେବା ଚିନ୍ତାରେ ଘାରି ହେଉଛି ଆଫସନା ।

ନିଜର ବୋଲି କହିଲେ ଭଙ୍ଗା କୁଡିଆ ଖଣ୍ଡକ ଛାଡି ଦେଲେ ବଂଚିବାର ଆଉକିଛି ସମ୍ଭଳ ନାହିଁ । ମା-ବାପା ମରିଯିବାପରେ ରାସନକାର୍ଡରେ ସେମାନଙ୍କୁ ମିଳୁଥିବା ରାସନ ପାଣି ମଧ୍ୟ ମିଳୁନଥିବା କହିଛନ୍ତି ସେମାନେ । ଛୋଟ ଛୋଟ ଦୁଇ ଭଉଣୀ ପାଖ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଚାରିବର୍ଷ ବୟସର ଛୋଟ ଭାଇଟି ଅଙ୍ଗନବାଡିରେ ପାଠ ପଢୁଛି । ପାଠ ପଢା ଅପେକ୍ଷା ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ରରେ ମିଳୁଥିବା ଖାଦ୍ୟକୁ ଭରସା କରି ସେମାନେ ସ୍କୁଲ ଯାଆନ୍ତି ବୋଲି କହିଛଡ଼୍‌ତି । ତେବେ କୋଭିଡ ଯୋଗୁ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ବନ୍ଦ ହୋଇ ଯାଇଥିବାରୁ ସେମାନଙ୍କୁ ଦୁଇ ବେଳା ଖାଦ୍ୟ ମୁଠେ ମିଳିବା ମଧ୍ୟ କାଠିକର ପାଠ ହୋଇ ପଡିଥିବା କଥା କହନ୍ତି ସେମାନେ । ବାପା-ମା ମରିଯିବା ପରେ ପଡୋଶୀ ଏବଂ ପାଖ ଆଖ ଲୋକେ କିଛିଦିନ ସେମାନଙ୍କୁ ସହାୟତା କରିଆସୁଥିଲେ ହେଲେ ସବୁଦିନ ପାଇଁ ତାହାମଧ୍ୟ ସମ୍ଭବ ହୋଇ ପାରି ନାହିଁ । ପିଲା ୪ ଜଣଙ୍କର ଏହି ଦୁର୍ଦ୍ଧିନ ସମୟରେ ସେମାନଙ୍କ ପାଖରେ ନା ପହଁଚିଛି ପ୍ରଶାସନ ନା ସରକାର । ତେବେ ସେମାନଙ୍କ ଏହି ଦୁର୍ଦ୍ଧିନ ସମୟରେ ଖବର ପାଇ ଗତ ଦୁଇଦିନ ତଳେ ପହଁଚିଥିଲେ ଭଦ୍ରକର ଏକ ସାମାଜିକ ସଙ୍ଗଠନ ସ୍ମାଇଲ ଗୃପ । ଅସହାୟ ପିଲାମାନଙ୍କ ଦୁର୍ଦ୍ଧଶା ଦେଖିବା ପରେ ସେମାନଙ୍କୁ ଆଗ ୧୫ ଦିନର ରାସନପାଣି ଯୋଗାଇ ଦେଇଥିଲେ । ପରେ ବଡ ଝିଅର ପାଠପଢା ପ୍ରତି ଆଗ୍ରହକୁ ଦେଖି ସେ ପାଠପଢୁଥଇବା ବିଦ୍ୟାଳୟ ସହ କଥାବାର୍ତା କରି ତାକୁ ପୁଣି ସ୍କୁଲରେ ଭର୍ତି କରିବାକୁ ଉଦ୍ୟମ କରିଛନ୍ତି । ସେହିଭଳି ଝିଅଟି ସ୍କୁଲ ଯିବା ଆସିବା ସକାସେ ଏକ ସାଇକେଲ ମଧ୍ୟ କିଣିଦେଇଛନ୍ତି । କେବଳ ସେତିକି ନୁହେଁ ସରକାରୀ ଭାବେ ନହେଲେ ମଧ୍ୟ ବେସରକାରୀ ଭାବେ ଲୋକେ ଏହି ଅନାଥ ପିଲାମାନଙ୍କୁ ସାହାରା ଦେବାକୁ ସଙ୍ଗଠନର ସଞ୍ଜୟ ସାହୁ,ତୃଷାରାଣୀ ପ୍ରଧାନ,ରଜତ ରାଉତ,ଦୀପକ ସ୍ୱାଇଁ,ପ୍ରଶାନ୍ତ ସାହୁ ଏବଂ ନିର୍ମଳ ସାମନ୍ତରାୟ ପ୍ରମୁଖ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.