Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ଧାନ କିଣାରେ ବ୍ୟାପକ ଅନିୟମିତତା, କଟ୍‌ନୀ/ଛଟନୀ ନାମରେ ଚାଷୀଙ୍କୁ ଶୋଷଣ ଅଭିଯୋଗ, ଜିଲ୍ଲା...

ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ଧାନ କିଣାରେ ବ୍ୟାପକ ଅନିୟମିତତା, କଟ୍‌ନୀ/ଛଟନୀ ନାମରେ ଚାଷୀଙ୍କୁ ଶୋଷଣ ଅଭିଯୋଗ, ଜିଲ୍ଲା ଯୋଗାଣ ଅଫିସ ଆଗରେ ବିଜେପିର ଗଣଧାରଣା

34

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ଚାଷୀ ନାମ ପଞ୍ଜିକରଣ, ଧାନ କିଣାରେ ବ୍ୟାପକ ଅନିୟମିତତା ଓ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ଆଜି ବିଜେପି ପକ୍ଷରୁ ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଯୋଗ ଦେଇ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ଚାଷୀ ସ୍ୱାର୍ଥ ବିରୋଧୀ ସରକାର ବୋଲି କହିବା ସହ କଟ୍‌ନୀ ଛଟ୍‌ନୀ ନାମରେ ଦାଦା ବଟି ଆଦାୟ ହେଉଛି ବୋଲି ଆରୋପ କରିଥିଲେ । ଚାଷୀଙ୍କ ହକ୍ ପାଇଁ ବିଜେପି ସଂକଳ୍ପ ବଦ୍ଧ । ଏ ଆନ୍ଦୋଳନ ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଯିବ ବୋଲି ଚେତାବନୀ ଦେଇଥିଲେ । ପ୍ରତିବାଦ ସଭାରେ ୧୧ ଦଫା ବିଶିଷ୍ଟ ଦାବି ଉପସ୍ଥାପନ କରାଯାଇଥିଲା । ଚାଷୀଙ୍କ ନାମ ପଞ୍ଜିକରଣରେ ହୋଇଥିବା ବ୍ୟାପକ ତ୍ରୁଟିର ନିରପେକ୍ଷ ଯାଞ୍ଚ କରାଯାଇ ସଂଶୋଧନ କରାଯିବା ସହିତ ଯାଞ୍ଚ ପରେ ଧାନବିକ୍ରି କରିବାରୁ ବଞ୍ଚିତ ଚାଷୀମାନଙ୍କର ଧାନ କ୍ରୟ କରାଯାଉ, ମଣ୍ଡିକୁ ଧାନ ଆଣିବା ପାଇଁ ଚାଷୀଙ୍କୁ ପରିବହନ ଖର୍ଚ୍ଚ ସହିତ ସମସ୍ତ ଚାଷୀଙ୍କୁ ବିନା ମୂଲ୍ୟରେ ଅଖା ଯୋଗାଇ ଦିଆଯିବା ସଂଗେ ସଂଗେ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପଲବ୍ଧ ସମସ୍ତ ସୁବିଧା ଯୋଗାଇ ଦିଆଯାଉ । ଚାଷୀଙ୍କ ବଳକା ଧାନ ବିକ୍ରି କରିବା ପାଇଁ ଆବଶ୍ୟକ ଟୋକନ ପ୍ରଦାନ କରାଯାଉ, ମଣ୍ଡିରେ ଗୁଣାତ୍ମକ ମାନ ପରୀକ୍ଷା ଆଳରେ ଯେଉଁଭଳି ଭାବେ କୁଇଣ୍ଟାଲ ପ୍ରତି ୫ କେଜିରୁ ୧୦ କେଜି ପର୍ଯ୍ୟନ୍ତ କଟ୍‌ନୀ / ଛଟ୍‌ନୀ ନାମରେ ଚାଷୀମାନଙ୍କୁ ଶୋଷଣ କରାଯାଉଛି, ତାହାକୁ ତୁରନ୍ତ ବନ୍ଦ କରାଯାଉ । ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୧୮୬୮ ଟଙ୍କା ପ୍ରଦାନ କରାଯିବା ସହ ଚାଷୀ ତା’ର ବଳକା ଧାନକୁ ବିକ୍ରି କରିବା ପାଇଁ ଆବଶ୍ୟକ ପରିମାଣର ଟୋକନ ପ୍ରଦାନ କରାଯାଉ । ଟୋକନ ପ୍ରଦାନରେ ଚଞ୍ଚକତା ଓ ଧାନ କ୍ରୟ କ୍ଷେତ୍ରରେ ଏଜେଣ୍ଟେମାନଙ୍କର ପାତର ଅନ୍ତର ବନ୍ଦ କରାଯିବା ସଂଗେ ସଂଗେ ଧାନକ୍ରୟର ସାପ୍ତାହିକ ଦିବସକୁ ବୃଦ୍ଧି କରାଯାଉ ।

ଧାନକ୍ରୟ ପରେ ମଣ୍ଡିରୁ ଧାନ ଉଠାଇବା ପାଇଁ ସମ୍ପୃକ୍ତ ମିଲରଙ୍କୁ ତାଗିଦ କରାଯାଉ । ମଣ୍ଡିରେ ଲୋଡିଂ, ଟ୍ରାନ୍‌ଓପୋର୍ଟିଂ ଓ ଲେବର ଚାର୍ଜ ନାମରେ ଚାଷୀଙ୍କ ଠାରୁ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗର ତଦନ୍ତ କରାଯାଇ ସମ୍ପୃୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ଉପସ୍ଥାପନ କରିଥିଲେ । ଏହି ଗଣଧାରଣାକୁ ସମର୍ଥନ ଜଣାଇ ବିରୋଧୀ ଦଳ ଉପନେତା ବଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, କାଳନ୍ଦୀ ସାମଲ, ଠାକୁର ରଣଜିତ୍ ଦାସ, ଜିଲ୍ଲା ନେତା ହେମନ୍ତ ପାଢୀ, ଡାକ୍ତର ପ୍ରଦୀପ ନାୟକ, ଶଶୀକାନ୍ତ ବିଶ୍ୱାଳ, ଶରତ ପଢିଆରୀ, ତପନ ମହାନ୍ତି, ସୁରେଶ ସାମଲ ପ୍ରମୁଖ ଯୋଗ ଦେଇଥିବା ବେଳେ ମଣ୍ଡଳ ସଭାପତି ନବକିଶୋର ବଳ, ଖଗେଶ୍ୱର ବେହେରା, ପ୍ରଫୁଳ୍ଲ ସାହୁ, ଗିରିଶ ସାମଲ, ମୁକୁନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବରିଷ୍ଠ ନେତା ଶଙ୍କର୍ଷଣ ଜେନା, ନିର୍ମଳ କର, ପୂର୍ଣ୍ଣଚନ୍ଦ୍ର ଖିଲାର, ବନମାଳୀ ଜେନା, ପ୍ରକାଶ ମହାପାତ୍ର, ଧ୍ରୁବ ମାଝୀ, ଜଗବନ୍ଧୁ ଦାସ, ତପନ ବାରିକ, ପଙ୍କଜିନୀ ଲେଙ୍କା, ରୁକ୍ମିଣୀ ଦାସ ପ୍ରମୁଖ ନିଜ ଅଞ୍ଚଳର ଚାଷୀଙ୍କ ସମସ୍ୟା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଯୁବନେତା ରବିନାରାୟଣ ସାହୁ, ସୂର୍ଯ୍ୟବଂଶୀ ସୂରଜ, ଦେବାଂଶୁ ରାଉତ, ଅଜୟ ରାଉତ, ପ୍ରବୀଣ ରାଉତ, ଅଶ୍ୱିନୀ ନାୟକ, ରତନ ପାତ୍ର, ମନୋଜ ବିଶ୍ୱାଳ, ତପନ ପାତ୍ର ପ୍ରମୁଖ ଏହି ଗଣାଧାରଣାକୁ ପରିଚାଳନା କରିଥିଲେ । ପରେ ଅତିରିକ୍ତ ଯୋଗାଣ ଅଧିକାରୀ ଧାରଣା ସ୍ଥଳକୁ ଆସି ଦାବିପତ୍ର ଗହଣ କରିବା ସହିତଏ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.