Home ଓଡ଼ିଶା ବହୁତ ଖୁସି ହୋଇ ଧନ୍ୟବାଦ ଜଣେଇଲେ ମୁଖ୍ୟମନ୍ତ୍ରୀ

ବହୁତ ଖୁସି ହୋଇ ଧନ୍ୟବାଦ ଜଣେଇଲେ ମୁଖ୍ୟମନ୍ତ୍ରୀ

779

ଭୁବନେଶ୍ବର, ୨.୧୨ (ଓଡ଼ିଆ ପୁଅ) ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ଅଭୂତପୂର୍ବ ସମର୍ଥନ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀବୀସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସ୍ୱେଚ୍ଛାକୃତ ଭାବରେ ସଂଗ୍ରହ ହୋଇଛି ୭୫ ପ୍ରତିଶତ ଘରୋଇ ଜମି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି। ତେବେ ମୁଖ୍ୟମନ୍ତ୍ରୀ ତାଙ୍କ ଧନ୍ୟବାଦ ବାର୍ତାରେ କ’ଣ କହିଛନ୍ତି ପଢ଼ନ୍ତୁ।

“ପବିତ୍ର ଜନ୍ମାଷ୍ଟମୀ ଦିନ ମୁଁ ଆପଣ ମାନଙ୍କ ନିକଟରେ ଗୋଟିଏ ଅନୁରୋଧ କରିଥିଲି। ଉଦ୍ଦେଶ୍ୟ ଥିଲା – ଅତ୍ୟନ୍ତ ମହତ୍। ଅନୁରୋଧଟି ଥିଲା ମହାପ୍ରଭୁଙ୍କ ଶ୍ରୀମନ୍ଦିରର ନିରାପତ୍ତା ସଂକ୍ରାନ୍ତରେ। ମହାପ୍ରଭୁ ଓ ତାଙ୍କ ଶ୍ରୀମନ୍ଦିର ଓଡିଆ ଜାତିର ସବୁକିଛି। ସେ ଆମର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ। ତାଙ୍କର ଶ୍ରୀଚରଣରେ ସମର୍ପିତ ହୋଇ କାର୍ଯ୍ୟ ଆରମ୍ଭ କଲେ ତାହା ମଙ୍ଗଳପ୍ରଦ ହୋଇଥାଏ।

ସେ ଦିନ ଶ୍ରୀମନ୍ଦିର ନିରାପତ୍ତା ପାଇଁ ତ୍ୟାଗ କରିବାକୁ ମୁଁ ନମ୍ରତାର ସହ ଆପଣମାନଙ୍କୁ ଅନୁରୋଧ କରିଥିଲି। ମୁଁ ବହୁତ ଖୁସି ଯେ, ଆପଣମାନେ ମୋର ଅନୁରୋଧ ରକ୍ଷା କରିଛନ୍ତି। ସେଥିପାଇଁ ମୁଁ କୃତଜ୍ଞ। ମହାପ୍ରଭୁଙ୍କ ଆଶୀର୍ବାଦରେ ମହାପ୍ରଭୁଙ୍କ ପାଇଁ ଆପଣମାନଙ୍କର ଏହି ତ୍ୟାଗକୁ ଓଡ଼ିଆ ଜାତି ସବୁଦିନ ଶ୍ରଦ୍ଧାର ସହ ମନେ ରଖିବ। ଶ୍ରୀମନ୍ଦିର ନିରାପତ୍ତା ପାଇଁ ତାର ୭୫ ମିଟର ପରିସର ମଧ୍ୟରେ ଥିବା ସ୍ଥାବର ସମ୍ପତ୍ତିକୁ ପ୍ରଦାନ କରିବା ପାଇଁ ମୁଁ ନିବେଦନ କରିଥିଲି। ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ୪୦ ଦିନ ମଧ୍ୟରେ ସିଧାସଳଖ ବିକ୍ରୀ-ଖର୍ଦ୍ଦି ପ୍ରକ୍ରିୟାରେ ମୋଟାମୋଟି ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇପାରିଛି। ସାରା ଦେଶରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଏହା ଏକ ଅଭୂତପୂର୍ବ ସଫଳତା। ମହାପ୍ରଭୁଙ୍କ ପାଇଁ ଆପଣମାନେ ଆପଣମାନଙ୍କର ଭିଟାମାଟି, ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ, ଲଜିଂ ଆଦି ତ୍ୟାଗ କରିଛନ୍ତି। ଅନେକ ମଠ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ମହାପ୍ରଭୁଙ୍କ ଇଚ୍ଛା ଓ ତାଙ୍କ ପ୍ରେରଣାରେ ହିଁ ଏସବୁ ସମ୍ଭବ ହୋଇପାରିଛି।

ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଗର୍ବ। କାଞ୍ଚି ଅଭିଯାନ ସମୟରେ ସେ ନିଜେ ଯୁଦ୍ଧରେ ସାମିଲ ହୋଇ ଓଡ଼ିଆ ଜାତିର ଗୌରବ ରକ୍ଷା କରିଥିଲେ। ମହାପ୍ରଭୁଙ୍କ ପାଇଁ ଆପଣ ମାନଙ୍କର ଏହି ମହାନ ତ୍ୟାଗ ଜଗନ୍ନାଥ ସଂସ୍କୃତିକୁ ଆହୁରି ଗରୀଆନ କରିଛି। ଶ୍ରୀକ୍ଷେତ୍ରକୁ ବିଶ୍ଵ ଐତିହ୍ୟ ନଗରୀ ଭାବରେ ଗଢିତୋଳିବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ କରିଛି। ମହାପ୍ରଭୁଙ୍କ ପାଇଁ ଆପଣ ମାନଙ୍କର ଏହି ଭଲ ପାଇବା, ଏହି ସମର୍ପଣ ଭାବ ଇତିହାସର ଏକ ଗୌରବୋଜ୍ଜଳ ଅଧ୍ୟାୟ ହୋଇରହିବ।

ମହାପ୍ରଭୁଙ୍କ ଏହି କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ଓ ଏହାର ସମସ୍ତ ବିଭାଗର କର୍ମଚାରୀ ଏବଂ ପୋଲିସ କର୍ମଚାରୀମାନେ ରବିବାର ସମେତ ସବୁ ଛୁଟି ଦିନ ମାନଙ୍କରେ ମଧ୍ୟ ସେମାନଙ୍କ କାମ ଜାରି ରଖିଛନ୍ତି। ସେଥିପାଇଁ ମୁଁ ସେମାନଙ୍କୁ ବିଶେଷ ଧନ୍ୟବାଦ ଜଣାଉଛି।

ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ଉନ୍ନତି ପାଇଁ ମୁଁ ପୁଣି ଥରେ ଆପଣମାନଙ୍କର ସହଯୋଗ କାମନା କରୁଛି।“

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.