Home ଜିଲ୍ଲା ପରିକ୍ରମା ବରିଷ୍ଠ ମାନେ ନିଜକୁ ଅସହାୟ ମଣିବା ଅନୁଚିତ, ଚରମ୍ପା ବରିଷ୍ଠ ନାଗରିକ ସଂଘର ଦ୍ୱିତୀୟ ବାର୍ଷିକ...

ବରିଷ୍ଠ ମାନେ ନିଜକୁ ଅସହାୟ ମଣିବା ଅନୁଚିତ, ଚରମ୍ପା ବରିଷ୍ଠ ନାଗରିକ ସଂଘର ଦ୍ୱିତୀୟ ବାର୍ଷିକ ସମାରୋହ

9

ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୟସର ଅପରାହ୍ଣରେ ସଂଘବଦ୍ଧ ହୋଇ ସମୟ ବିତାଇଲେ ଅବସର ସମୟର ଏକୁଟିଆ ପଣକୁ ଅନୁଭବ କରି ହୁଏ ନାହିଁ । ଆଜିର ସମାଜରେ ପରିବାର ଭିତରେ ବହୁ ବରିଷ୍ଠ ଅବହେଳାର ଶିକାର ହେଉଛନ୍ତି । ତେବେ ଏବେ ସରକାର ବରିଷ୍ଠ ନାଗରିକଙ୍କୁ ଅଗ୍ରାଧିକାର ଦେଉଛି । ସମୟ ସମୟେର ବହୁ ଯୋଜନା ସେମାନଙ୍କ ପାଇଁ ପ୍ରଣୟନ କରାଯାଉଥିବା ବେଳେ କୋର୍ଟ ମଧ୍ୟ ବରିଷ୍ଠମାନଙ୍କ ପାଇଁ ନ୍ୟାୟୋଚିତ ରାୟ ଦେଉଛନ୍ତି । ସେଥିଲାଗି ବରିଷ୍ଠମାନେ କେବେ ବି ନିଜକୁ ଅସହାୟ ମଣିବା ଉଚିତ ନୁହେଁ ବୋଲି ଆଜି ଭଦ୍ରକ ବାଇପାସ୍ ଜଗନ୍ନାଥ ମନ୍ଦିର ସଭାଗୃହରେ ଚରମ୍ପା ବରିଷ୍ଠ ନାଗରିକ ସଂଘର ଦ୍ୱିତୀୟ ବାର୍ଷିକ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସଂଘର ସଭାପତି ଗଗନ ବିହାରୀ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରି ଭଦ୍ରକ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟରର ବ୍ୟବସ୍ଥା, ରେଳ ଷ୍ଟେସନରେ ବରିଷ୍ଠଙ୍କ ପାଇଁ ସ୍ୱତନ୍ତ୍ର ଟିକେଟ କାଉଣ୍ଟର, ଲିଫ୍‌ଟକୁ କାର୍ଯ୍ୟକ୍ଷମ କରିବା, ସଂଘର କାର୍ଯ୍ୟାଳୟ ପାଇଁ ଜମି ଯୋଗାଇବା ଭଳି ଦାବି କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବରେଣ୍ୟ ଅତିଥି ଭଦ୍ରକ ବିଧାୟକ ସଂଜିବ ମଲ୍ଲିକ ଏ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ତହସିଲଦାର ଜମି ଯୋଗାଇଦେଲେ ସାଂସଦ ତାଙ୍କ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଗୃହ ନିର୍ମାଣ ନିମନ୍ତେ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଭଦ୍ରକ ମେଡିକାଲରେ ବରିଷ୍ଠଙ୍କ ପାଇଁ ଆନୁସଙ୍ଗିକ ସୁବିଧା ସୁଯୋଗ କରିବା ନିମନ୍ତେ ଚରମ୍ପା ବରିଷ୍ଠ ନାଗରିକ ସଂଘ ଓ ଜିଲ୍ଲା ମହାସଂଘ ମିଶି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ବିଧାୟକଙ୍କ ଉପସ୍ଥିତିରେ ଆଲୋଚନା କରି ଖୁବ୍ ଶୀଘ୍ର ସୁବନ୍ଦୋବସ୍ତ କରାଯିବ ବୋଲି ବିଧାୟକ ଶ୍ରୀଯୁକ୍ତ ମଲ୍ଲିକ କହିଥିଲେ ।

ମୁଖ୍ୟବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗ ଦେଇ ବରିଷ୍ଠମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରିବା ବର୍ତ୍ତମାନ ପିଢିର ମୁଖ୍ୟ କର୍ତ୍ତବ୍ୟ ହେବା ଉଚିତ ବୋଲି କହିଥିଲେ । ସମାରୋହରେ ସଂଘର କାର୍ଯ୍ୟକାରୀ ସଦସ୍ୟ ଶଶୀକାନ୍ତ ପାଢୀ ଅତିଥି ପରିଚୟ, କୋଷାଧ୍ୟକ୍ଷ ସୁଦର୍ଶନ ବିଶ୍ୱାଳ ସ୍ୱାଗତ ଭାଷଣ ଓ ବିଜୟ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ନାୟକ ଯୋଗ ଦେଇଥିବା ବେଳେ ଜିଲ୍ଲା ସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, କାର୍ଯ୍ୟକାରୀ ସଭାପତି ପଦ୍ମନ କୁମାର ରାୟ, ବାସୁଦେବପୁର ସଂଘର ସମ୍ପାଦକ ରତ୍ନାକର ବାରିକ, ଆଗରପଡ଼ା ସଂଘର ସମ୍ପାଦକ କୈଳାସ ଚନ୍ଦ୍ର ଧଳ, ଧାମନଗର ସଂଘର ସମ୍ପାଦକ ଶଚିକାନ୍ତ ପଣ୍ଡା, କାର୍ଯ୍ୟକାରୀ ସଦସ୍ୟ ରାମଚନ୍ଦ୍ର ସାହୁ, ତିହିଡ଼ି ସଂଘର ସମ୍ପାଦକ ବିଭୁତି ଭୂଷଣ ସେନାପତି, କାର୍ଯ୍ୟକାରୀ ସଭ୍ୟ ଗୟାଧର ବଳ ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସଂଘ ପକ୍ଷରୁ ପଣ୍ଡିତ ଭାଗିରଥୀ ନନ୍ଦଶର୍ମା ଓ ଗୋବିନ୍ଦ ଚନ୍ଦ୍ର ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ବାବୁଲାଲ ଦାସ ଓ ଦୀନବନ୍ଧୁ ମହାରଣା ମାନପତ୍ର ପାଠ କରିଥିଲେ । ଉପଦେଷ୍ଟା ପଦ୍ମଲୋଚନ ମହଳିକ ସଂଘ ସମ୍ପର୍କରେ ଅବତାରଣା କରିଥିଲେ । ଏହି ସମାରୋହକୁ ଚରମ୍ପା ବରିଷ୍ଠ ନାଗରିକ ସଂଘର ସମସ୍ତ ସଭ୍ୟ ପରିଚାଳନା କରିଥିବା ବେଳେ ଉତ୍ସବର ଅନ୍ୟତମ ଅତିଥି ଭାବେ ନିମନ୍ତ୍ରିତ ହୋଇଥିବା ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଚରଣସିଂ ମୀନା ଆସି ନପାରି ତାଙ୍କ ବାର୍ତ୍ତା ପଠାଇଥିଲେ । ଯାହାକୁ ସମ୍ପାଦକ କୈଳାସ ମହାପାତ୍ର ପଢି ଶୁଣାଇଥିଲେ । ଉପେନ୍ଦ୍ର ରାଉତ ଓ ବରଦା ପ୍ରସନ୍ନ ପଣ୍ଡା ସଭା କାର୍ଯ୍ୟ ଓ ପ୍ରସାଦ ସେବନ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.