ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତ୍ୟେକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବସୁଧା ଯୋଜନାରେ ୧୬ ଟି ଓ କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଯୋଜନାରେ ୭୦ ଟାଙ୍କିକୁ ମିଶାଇ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ୨୫ ଗୋଟି ପଚାଂୟତରେ ୮୬ ରୁ ଉର୍ଦ୍ଧ ଟାଙ୍କି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଇଥିଲେ ମଧ୍ୟ ଲୋକେ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଚିଂତ ହୋଇ ଆସୁଛନ୍ତି । କେଉଁଠି ଟାଙ୍କି ନିର୍ମାଣ ପରେ ମଟର ବସାଯାଇ ନାହିଁ ତ କେଉଁଠି ପାଇପ,କଳ ବସା ଯାଇ ନାହିଁ । କେତେକ ସ୍ଥାନରେ ପାଇପ କଳ ଫାଟି ଯାଇଥିବାର ପରିଲକ୍ଷିତ ହୋଇଥିବା ବେଳେ ଅନେକ ଟାଙ୍କି ନିର୍ମାଣର ବର୍ଷ ବର୍ଷ ପରେ ମଧ୍ୟ ପଚାଂୟତକୁ ହସ୍ତାନ୍ତର ହୋଇ ପାରିନାହିଁ । ଟାଙ୍କି ଗୁଡିକ ଦୀର୍ଘବର୍ଷ ଧରି କାର୍ଯ୍ୟକ୍ଷମ ନହେବାରୁ କେଉଁଠି ଭାଙ୍ଗି ଗଲାଣି ତ କେଉଁଠି ଗଛ ଲତାରେ ପରିପୂର୍ଣ୍ଣ ହେଲାଣି । ଏହି ବ୍ଲକ ରାମଚନ୍ଦ୍ରପୁର ପଚାଂୟତର ଦୁଃଖ ଦିଗୁଣିତ ହୋଇଛି । ଏହି ପଚାଂୟତ ଦେଇ କପାଳୀ ନଦୀ ଯାଇଥିବା ବେଳେ ବଢି ପାଣି ଯୋଗୁ ବର୍ଷା ଋତୁରେ ଅନେକ କ୍ଷତି ଘଟିଥାଏ । ବଢି ପାଣିରେ ନଳକୂପ ଗୁଡିକ ଜଳମଗ୍ନ ଯୋଗୁ ଅକାମୀ ହୋଇଥାଏ । ଲୋକେ ଟାଙ୍କି ପାଣି ଉପରେ ନିର୍ଭର କରି ଚଳି ଥାନ୍ତି । ୨୦୨୧-୨୨ ମସିହାରେ ରାମଚନ୍ଦ୍ରପୁର, ନିମପଡା, ବେଲଗଢିଆ, ବରପଦୀ ଆଦି ସ୍ଥାନରେ ୧୦ ଓ ୫ ହଜାର ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା । ଲକ୍ଷ ଥିଲା ପଚାଂୟତରେ ଥିବା ୭ ହଜାରରୁ ଉର୍ଦ୍ଧ ଲୋକେ ପାନୀୟ ଜଳ ପାଇ ପାରିବେ । ହେଲେ କେବଳ ବେଲ ଗଢିଆରେ ଥିବା ଟାଙ୍କିରୁ ଟାଇଗୁଣା ଓ ବେଲଗଢିଆ ବାସୀ ପାନୀୟ ଜଳ ପାଇ ପାରୁଥିବା ବେଳେ ଅନ୍ୟ ସ୍ଥାନରେ ଥିବା ଟାଙ୍କି ଗୁଡିକ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ରାମଚନ୍ଦ୍ରପୁରରେ ଥିବା ୧୦ ହଜାର ଲିଟର ବିଶିଷ୍ଟ ଟାଙ୍କିଟିରେ ପମ୍ପ ଡ୍ରାଇଭର ନିଯୁକ୍ତି ହୋଇ ନଥିବାରୁ ତାହା କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ । ଫଳରେ ସାହାଡାଗଢିଆ, ସାନବର୍ଚ୍ଚିକୟାଁ, ରାମଚନ୍ଦ୍ରପୁର ଆଦି ଗ୍ରାମର ଲୋକେ ପିଇବା ପାଣିରୁ ବଚିଂତ ହେଉଛନ୍ତି । ସେହିପରି ନିମପଡାରେ ଥିବା ଟାଙ୍କିଟି ପମ୍ପ ବସା ନ ଯାଇଥିବାରୁ ତାହା ମଧ୍ୟ ଲୋକଙ୍କ କାମରେ ଆସୁନାହିଁ । ଅନ୍ୟ ପକ୍ଷରେ ବେଲଗଢିଆରେ ଥିବା ୫ ହଜାର ଲିଟର ବିଶିଷ୍ଟ ଟାଙ୍କିର କାର୍ଯ୍ୟ ସରିଥିବା ବେଳ ବିଭାଗୀୟ ଅଧିକାରୀଙ୍କ ଖାମ ଖିଆଲି ନିତୀ ଯୋଗୁ ନିର୍ମାଣର ବର୍ଷ ବର୍ଷ ପରେ ମଧ୍ୟ ପଚାଂୟତକୁ ହସ୍ତାନ୍ତର ହୋଇ ପାରିନାହିଁ । ଫଳରେ ବେଲଗଢିଆ ଓ ଟାଇଗୁଣା ଗ୍ରାମର ଲୋକେ ଶୁଦ୍ଧ ପାନୀୟ ଜଳରୁ ବଚିଂତ ହୋଇ ଆସୁଛନ୍ତି । ଉପରୋକ୍ତ ପାନୀୟ ଜଳ ସମସ୍ୟା ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜନ ପ୍ରତିନିଧି ମାନେ ଅବଗତ କରି ଆସୁଥିଲେ ମଧ୍ୟ କୌଣସି କିଛି ସୁଫଳ ମିଳି ପାରୁ ନାହିଁ । ଉକ୍ତ ପଚାଂୟତରେ ସାନବର୍ଚ୍ଚିକୟାଁ , ସାହାଡାଗଢିଆ, ଗୋବିନ୍ଦପୁର, ରାମଚନ୍ଦ୍ରପୁର, ନିମପଡା, ପାନପଦୀ, ଟାଇଗୁଣା ରେ ଅଙ୍ଗନୱାଡି ଗୃହ ଏବଂ ଗୋବିନ୍ଦପୁର, ରାମଚନ୍ଦ୍ରପୁର, ପାନପଦୀ, ସାନବର୍ଚ୍ଚକୟାଁ ଆଦି ସ୍ଥାନରେ ବିଦ୍ୟାଳୟ ମାନ ରହିଛି । ହେଲେ ପାଣି ଟାଙ୍କି ଗୁଡିକ କାର୍ଯ୍ୟକ୍ଷମ ହେଉ ନଥିବାରୁ ବିଶେଷ କରି ଛାତ୍ରଛାତ୍ରୀ ମାନେ ନଳକୂପରୁ ବିଶୁଦ୍ଧ ପାଣି ପିଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି । କୋଟି କୋଟି ଙ୍କା ଖର୍ଚ୍ଚ କରାଯାଇ ସରକାର ପାଣିପରି ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ଟାଙ୍କି ମାନ ନିର୍ମାଣ କରିଥିଲେ ମଧ୍ୟ ଏଠାରେ ୩ ଗୋଟି ଟାଙ୍କି ଅଚଳ ହୋଇ ପଡି ରହିବା ଯୋଗୁ ଅସନ୍ତୋଷ ଦେଖା ଦେଇଛି । ଉପରୋକ୍ତ ଘଟଣା ପ୍ରତି ବିଭାଗୀୟ ଉଚ୍ଚ କର୍ତୂପକ୍ଷ ସ୍ୱତନ୍ତ୍ର ଦୃଷ୍ଟିଦେଇ ତୁରନ୍ତ ଅଚଳ ହୋଇ ପଡି ରହିଥିବା ଟାଙ୍କି ଗୁଡିକୁ ସ୍ୱଚ୍ଛଳ କରିବାକୁ ଦାବି ହେଉଛି । ସେହିପରି ଗୋପିନାଥପୁର ପଚାଂୟତର କାଣ୍ଡବା, ସାହୁପଡା, ଗୋପିନାଥପୁର, ତାଜିପୁର, ତୁଡିିପଦା,ବଡସନ୍ଦାଡୋ, ସାନସନ୍ଦାଡୋ ଆଦି ସ୍ଥାନରେ ୧୦ ଗୋଟି ଟାଙ୍କି ଥିବା ବେଳେ ଶ୍ରୀରାମପୁର, ପାଣିଛତ୍ର, ପାହାଡପୁର ଟାଙ୍କି ଚାଲୁଛି । କାଦବରାଙ୍ଗ ପଚାଂୟତରେ ଭଗାରାମ, ବନ୍ତଳା, କାଦବରାଙ୍ଗ, ଭରସିଂପୁର ଟାଙ୍କି ନିର୍ମାଣ ସରିଥିଲେ ମଧ୍ୟ କେବଳ ବାଙ୍କତିରା ଓ ସୁଆଁପଦାବାସୀ ପାନୀୟ ଜଳ ପାଉଛନ୍ତି । କେନ୍ଦୁଆପଦା ପଚାଂୟତରେ ଦଣ୍ଡୋ, ସରିପଳ, ଗଣ୍ଡଗରା ଟାଙ୍କି ନିର୍ମାଣ ସରିଥିଲେ ମଧ୍ୟ କେବଳ ଆମ୍ପୋର ଟାଙ୍କିରୁ ଲୋକେ ଉପକୃତ ହେଉଛନ୍ତି । ମହାନ୍ତିପଡା ପଚାଂୟତର କୁଣ୍ଡି ଓ ମହାନ୍ତିପଡାରେ ଦୁଇଟି ଟାଙ୍କି ଥିବା ବେଳେ କୁଣ୍ଡି ଟାଙ୍କିଟି ପଚାଂୟତବାସୀଙ୍କ ବିରୋଧ ସତ୍ୱେ ଖାଲୁଆ ସ୍ଥାନରେ ନିର୍ମାଣ କରାଯାଇଥିବାରୁ ସବୁ ସ୍ଥାନକୁ ପାଣି ନଉଠିବା, ଫଟା ପାଇପ୍ ସାଙ୍ଗକୁ ଗୋଳିଆ ପାଣି ନେଇ ଅସନ୍ତୋଷ ଦେଖା ଦେଇଛି । ଏନେଇ ସରପଚଂ ଉଚ୍ଚ କର୍ତୂପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମୋଟାମୋଟି ଭାବେ ଏହି ବ୍ଲକରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ ସରକାରଙ୍କ ଲକ୍ଷ ସାଧିତ ହୋଇ ପାରୁ ନାହିଁ । ଉପରୋକ୍ତ ସମସ୍ୟାକୁ ଦୃଷ୍ଟି ଦେବା ନେଇ ରାମଚନ୍ଦ୍ରପୁରର ପୂର୍ବତନ ସରପଚଂ ପୂର୍ଣ୍ଣଚନ୍ଦ୍ର ରାଉତ, ମହାନ୍ତିପଡା ସରପଚଂ ନିହାର ରଞ୍ଜନ ପଣ୍ଡା, ଗୋପିନାଥପୁର ସରପଚଂ ସବିତା ରାଣୀ ନାୟକ, ବଡ ବର୍ଚ୍ଚିକୟାଁର ପୂର୍ବତନ ସରପଚଂ ସୁରେନ୍ଦ୍ର ଜେନା ପ୍ରମୁଖ ଦୃଢ ଦାବି କରିଛନ୍ତି ।







