Home ଜିଲ୍ଲା ପରିକ୍ରମା ବଞ୍ଚିବାକୁ ଭଲପାଇବାରେ ପରିଣତ କରିପାରିଲେ ଜୀବନ ସାର୍ଥକ ହେବ – ରାଜ୍ୟପାଳ, କେ.କେ.ଜି.ପି. ହାଇସ୍କୁଲ ଓ...

ବଞ୍ଚିବାକୁ ଭଲପାଇବାରେ ପରିଣତ କରିପାରିଲେ ଜୀବନ ସାର୍ଥକ ହେବ – ରାଜ୍ୟପାଳ, କେ.କେ.ଜି.ପି. ହାଇସ୍କୁଲ ଓ ରୋଟାରୀ କ୍ଲବ ଭଦ୍ରକର ସୁବର୍ଣ୍ଣ ଜୟନ୍ତୀ ସମାରୋହ

51

ଭଦ୍ରକ, ୧୭-୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ମାନନୀୟ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ୧୭ ତାରିଖ ଶୁକବ୍ରାର ଭଦ୍ରକ ଜିଲ୍ଲା ଗସ୍ତରେ ଆସି ବାସୁଦେବପୁର ବ୍ଲକର ଚାନ୍ଦିମାଳ ଠାରେ ଅବସ୍ଥିତ କିସ୍ମତ୍ କୃଷ୍ଣପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ତଥା ଭଦ୍ରକ ଟାଉନ ହଲରେ ପାଳିତ ରୋଟାରୀ ବ୍ଲବ୍ ଭଦ୍ରକର ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭୁବନେଶ୍ୱର ଫେରିଯାଇଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାଜ୍ୟପାଳ ପ୍ରଥମେ କେ.କେ.ଜି.ପି. ହାଇସ୍କୁଲ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦ୍‌ଘାଟନ କରିଥିଲେ। ରାଜ୍ୟପାଳଙ୍କ ସହ ବରେଣ୍ୟ ଅତିଥିଭାବେ ଲୋକସଭା ସାଂସଦ, ଭଦ୍ରକର ମଞ୍ଜୁଲତା ମଣ୍ଡଳ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଏବଂ ମୁଖ୍ୟ ବକ୍ତା ଭାବେ ସଂଗ୍ରାମ ଆଚାର୍ଯ୍ୟ ଯୋଗ ଦେଇଥିଲେ।

ପ୍ରଧାନଶିକ୍ଷକ ସନାତନ ବିଶ୍ୱାଳ ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ଅଟଳ ବିହାରୀ କଲେଜର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ପଲାଇ, କମିଟି ଅଧ୍ୟକ୍ଷ ପୂର୍ବତନ ପ୍ରଧାନଶିକ୍ଷକ ଉଦୟନାଥ ନାୟକ ମଧ୍ୟ ମଞ୍ଚାସୀନ ଥିଲେ। ଶ୍ରୀଯୁକ୍ତ ପଲାଇ ସଭାପତିତ୍ୱ କରିଥିବା ବେଳେ ପ୍ରଧାନଶିକ୍ଷକ ବାର୍ଷିକ ବିବରଣୀ ପଠନ କରିଥିଲେ। ସୁବର୍ଣ୍ଣ ଜୟନ୍ତୀର ସ୍ମରଣୀକା “ବାସନ୍ତିକା” ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ମାନବ ଶିଶୁର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କିଭଳି ଜଗନ୍ନାଥ ସଂସ୍କୃତି ତତ୍ୱ ସହ ଜଡ଼ିତ ରାଜ୍ୟପାଳ ତାଙ୍କ ବକ୍ତବ୍ୟରେ ବିଭିନ୍ନ ଉଦାହରଣ ଜରିଆରେ ବୁଝାଇ ଥିଲେ। ସମସ୍ତଙ୍କୁ ଭଲ ପାଇବା, ସମ୍ମାନଦେବା, ଆପଣାର ଭାବିବା ଏସବୁ ହିଁ ଜଗନ୍ନାଥ ସଂସ୍କୃତି ବୋଲି ସେ କହିଥିଲେ। ଜଗନ୍ନାଥ ସାରା ଦୁନିଆକୁ ପ୍ରେମିକା କରି ରଖିଛନ୍ତି ଆମେ ସମସ୍ତେବି ଜଗନ୍ନାଥଙ୍କୁ ପ୍ରେମ କରି ଶିଖିବା। ମାନବ ଶିଶୁର ମୁରୁକି ହସକୁ କୃଷ୍ଣ ହସ ଜଗନ୍ନାଥଙ୍କର ମୁରୁକି ହସ ସହ ତୁଳନା କରି ସେ ହସର କୌଣସି ମୁକାବିଲା ନାହିଁ ବୋଲି ପ୍ରକାଶ କରିଥିଲେ।

ଜିଲ୍ଲା ପରିଷଦ ସଭ୍ୟ ମାନସ ରଂଜନ ସେଠୀ, ବାସୁଦେବପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ, ସାନକୃଷ୍ଣପୁରର ସରପଞ୍ଚ ସସ୍ମିତା ନାୟକ, କିସ୍‌ମତକୃଷ୍ଣପୁର ସରପଞ୍ଚ ସଂଧ୍ୟାରାଣୀ ବାରିକ୍‌, କାର୍ଯ୍ୟକାରୀ ସଭାପତି ରଂଜନ କୁମାର ଦଳେଇ, ଉପସଭାପତି ଦ୍ୱିଜରାଜ ବିଶ୍ୱାଳ, ସଂପାଦକ ଯିତେନ୍ଦ୍ର କୁମାର ନାୟକ, ସ୍ମରଣିକା ସଂପାଦକ ଅର୍ନ୍ତଯ୍ୟାମୀ ମହାରଣା ପ୍ରମୁଖଙ୍କ ସହ ପାଳନ କମିଟିର ସମସ୍ତ ସକ୍ରିୟ ସଦସ୍ୟ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।ପରେ ପରେ ଭଦ୍ରକ ଟାଉନ୍‌ହଲରେ ଆୟୋଜିତ ଭଦ୍ରକ ରୋଟାରୀ କ୍ଲବ୍‌ର ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବରେ ରାଜ୍ୟପାଳ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସାନ୍ଧ୍ୟ ଅଧିବେଶନକୁ ଉଦ୍‌ଘାଟନ କରିଥିଲେ। ଲୋକସଭା ସାଂସଦ, ଭଦ୍ରକ ମଞ୍ଜୁଲତା ମଣ୍ଡଳ, ବିଧାୟକ ଭଦ୍ରକ ସଂଜୀବ କୁମାର ମଲ୍ଲିକ ଏବଂ ପ୍ରାକ୍ତନ ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ୍ ଅଜୟ ଅଗ୍ରୱାଲ, ସୁବର୍ଣ୍ଣ ଜୟନ୍ତୀ କମିଟିର ଅଧ୍ୟକ୍ଷ ରୋଟାରିଆନ୍ ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ, ରୋଟାରୀ କ୍ଲବର ସଭାପତି ରୋଟାରିଆନ୍ ବସନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ରାଜ୍ୟପାଳଙ୍କ ସହ ମଞ୍ଚାସୀନ ଥିଲେ। ସୁବର୍ଣ୍ଣଜୟନ୍ତୀ ସ୍ମରଣୀକା “ସୁବର୍ଣ୍ଣା ଭଦ୍ରା” ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ୧୯୭୨ ମସିହାରେ ପ୍ରତିଷ୍ଠିତ ରୋଟାରୀ କ୍ଲବର ୫୦ବର୍ଷର ସେବାମୂଳକ ଘଟଣା ବହୁଳ ଯାତ୍ରାପଥ ବିଷୟରେ ବିଧାୟକ, ସାଂସଦ ଏବଂ ରୋଟାରିଆନ୍ ଅତିଥିମାନେ ବକ୍ତବ୍ୟ ପ୍ରସଙ୍ଗରେ ଉପସ୍ଥାପିନ କରିଥିଲେ।

ରାଜ୍ୟପାଳ ମଧ୍ୟ ରୋଟାରୀ କ୍ଲବ ଭଦ୍ରକର ପାଞ୍ଚଦଶନ୍ଧିର ସେବା ପ୍ରଦାନକୁ ଉଚ୍ଛ୍ୱସିତ ପ୍ରଶଂସା କରିବା ସହିତ ସେବା ଓ ପ୍ରେମର ଶକ୍ତି କେତେ ଶକ୍ତ ପ୍ରକାଶ କରିଥିଲେ। ସ୍ୱର୍ଗରୁ ଆମେ ସମସ୍ତେ ଏହି ମର୍ତ୍ତ୍ୟକୁ ଆସିଛୁ। ସେବା ଓ ଭଲ ପାଇବାକୁ ଆପଣେଇ ଏ ମର୍ତ୍ତ୍ୟକୁ ଆମେ ସ୍ୱର୍ଗରେ ପରିଣତ କରିବା। ଜଗନ୍ନାଥ ସଂସ୍କୃତିକୁ ସମସ୍ତେ ଆଜି ବୁଝିଯିବା ଆବଶ୍ୟକ। ସାରା ବିଶ୍ୱର ଦର୍ଶନ ଆଜି ଏହି ସଂସ୍କୃତି ପଛରେ। ପ୍ରେମ ଅଗ୍ନି ଜାଗ୍ରତ କରିପାରିଲେ ମନର ସବୁ ବାସନା ଅଗ୍ନିରେ ପୋଡ଼ି ଯାଇ ପ୍ରେମ ଜାତ ହୋଇପାରିବ ବୋଲି ସେ ବୁଝାଇ ଥିଲେ। ରୋଟାରିଆନ୍ ଅଭିଜିତ୍ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଶିଶିର କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ରୋଟାରିଆନ୍ ସଦସ୍ୟମାନଙ୍କୁ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ମରଣୀକା ସଂପାଦକ ରୋଟାରିଆନ୍ ଗୟାଧର ପଣ୍ଡା ଏବଂ ଅନ୍ୟ ରୋଟାରିଆନ୍‌ମାନେ ଏହି କାର୍ଯ୍ୟକ୍ରମ ଆୟୋଜନରେ ଆନୁସଂଗିକ ସହଯୋଗ କରିଥିଲେ। ରାଜ୍ୟପାଳ ଭଦ୍ରକ ପହଞ୍ôଚଲା ମାତ୍ରେ ସାଂସଦ, ବିଧାୟକ ଭଦ୍ରକ, ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଆରକ୍ଷୀ ଅଧିକ୍ଷକ ଚରଣସିଂ ମୀନା ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ। ପୋଲିସ୍ ବାହିନୀ ଦ୍ୱାରା ଗାର୍ଡ଼ ଅଫ୍ ଅନ୍‌ର ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ଓ ଏସ୍‌.ପି. ରାଜ୍ୟପାଳଙ୍କ ସହ ଗସ୍ତକରି ଦୁଇଟିଯାକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.