Home ଜିଲ୍ଲା ପରିକ୍ରମା ପୌରବାସୀଙ୍କ ସ୍ୱାର୍ଥ ଠାରୁ ଦୂରେଇ ଯାଇଛି ପୌର କର୍ତ୍ତୃପକ୍ଷ : ପ୍ରଚାର ସର୍ବସ୍ୱ ହୋଇଛି ପୌର...

ପୌରବାସୀଙ୍କ ସ୍ୱାର୍ଥ ଠାରୁ ଦୂରେଇ ଯାଇଛି ପୌର କର୍ତ୍ତୃପକ୍ଷ : ପ୍ରଚାର ସର୍ବସ୍ୱ ହୋଇଛି ପୌର କର୍ତ୍ତୃପକ୍ଷ, ଉଛେଦ ବ୍ୟବସାୟୀଙ୍କୁ ଥଇଥାନ ନାହିଁ, ପୌରବାସୀ ଜଳବନ୍ଦୀ, ଜବରଦଖଲ ହଟାଇବାରେ ପ୍ରଶାସକ ଅକ୍ଷମ, ବିଧାୟକ ପାଣ୍ଠିର ଦୁରୁପଯୋଗ, ରେସନକାର୍ଡ଼ରେ ପାତର ଅନ୍ତର

82

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସ୍ୱାୟତ୍ତ ଶାସନ ଦିବସ । ଏହି ଦିବସରେ ପୌରବାସୀଙ୍କ ପ୍ରତି ନିଜର ଉତ୍ତରଦାୟିତ୍ୱ ସମ୍ପର୍କରେ ପୌର କର୍ତ୍ତୃପକ୍ଷ କିଛି ବାର୍ତ୍ତା ରଖିଥାଆନ୍ତି । କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । କୋଭିଡ ପରିଚାଳନା ହେଉ କିମ୍ବା ଅନ୍ୟ କୌଣସି କାରଣରୁ ପୌର କର୍ତ୍ତୃପକ୍ଷ ନିଜର ପ୍ରତିଶ୍ରୁତିବଦ୍ଧତା ସମ୍ପର୍କରେ ନୀରବ ରହିଛନ୍ତି । ୨୦୧୮ ସେପ୍ଟେମ୍ବର ୩୦ ତାରିଖ ଗତ ନିର୍ବାଚିତ ପୌର ପରିଷଦର କାର୍ଯ୍ୟକାଳ ପୁରି ଯାଇଥିଲା । ଆଜି ପର୍ଯ୍ୟନ୍ତ କୌଣସି କାରଣରୁ ପୌର ନିର୍ବାଚନ ହୋଇ ନାହିଁ । ତେଣୁ ଏହି ଅବଧି ମଧ୍ୟରେ ପୌରପାଳିକାର କାର୍ଯ୍ୟ ତୁଲାଉଛନ୍ତି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଜିଲ୍ଲା ପ୍ରଶାସକ । ତେବେ ପ୍ରଶାସକଙ୍କ ହାତରେ ପୌରବାସୀ କେତେ ମାତ୍ରାରେ ଉପକୃତ ହୋଇଛନ୍ତି ଓ ହେବେ ତାହାକୁ ନେଇ ଏବେ ସବୁଠି ଉଠିଛି ପ୍ରଶ୍ନ । ତଥ୍ୟ ଅନୁଯାୟୀ ପ୍ରତ୍ୟେକ ସ୍ୱାୟତ୍ତ ଶାସନ ଦିବସ ଅବସରରେ କୌର କର୍ତ୍ତୃପକ୍ଷ ପୌରବାସୀଙ୍କ ହିତରେ ବିଭିନ୍ନ ଉନ୍ନୟନମୂଳକ ଯୋଜନା ପ୍ରଣୟନ କରିଥାନ୍ତି । ଗତବର୍ଷ ଅର୍ଥାତ୍ ୨୦୧୯ ମସିହା ଅଗଷ୍ଟ ୩୧ ତାରିଖ ନିର୍ବାଚିତ ପରିଷଦ ନଥାଇ ମଧ୍ୟ ପୌର କର୍ତ୍ତୃପକ୍ଷ ବହୁ ଉନ୍ନୟନମୂଳକ ଯୋଜନାର ଶୁଭାରମ୍ଭ କରିଥିଲେ । ବିଶେଷକରି ସହରର ସୌନ୍ଦର୍ଯ୍ୟକରଣ ପାଇଁ ଉଛେଦ ହୋଇଥିବା ବ୍ୟବସାୟୀଙ୍କ ଥଇଥାନ ପାଇଁ ଅପର୍ତ୍ତିବିନ୍ଧା ଛକ ସମେତ ରାଜଘାଟ ଓ ବାଇପାସ ଛକରେ ପୌରପାଳିକା ପକ୍ଷରୁ ବହୁ ସଂଖ୍ୟକ ଦୋକାନ ଘର ନିର୍ମାଣ ପାଇଁ ଶୁଭ ଉଦଘାଟନ ହୋଇଥିଲା । ଏହି ଅବସରରେ ସ୍ଥାନୀୟ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ସଂଜୀବ ମଲ୍ଲିକ , ପୌର ପ୍ରଶାସକ ଜିଲ୍ଲାପାଳ ଜ୍ଞାନ ଦାସ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ ପର୍ବର ଶୁଭଉଦଘାଟନ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କେବଳ ବାଇପାସ ଛକ ଠାରେ କେତେକ ଦୋକାନ ଘର କାର୍ଯ୍ୟ ଆରମ୍ଭ ହୋଇଛି । କିନ୍ତୁ ଏକ ବିବାଦୀୟ ପରିସ୍ଥିତିରେ । ଡ୍ରେନ ଉପରେ ଏସମସ୍ତ ଦୋକାନ ଘର ନିର୍ମିତ ହୋଇଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି । କିନ୍ତୁ ଅପର୍ତ୍ତିବିନ୍ଧା ଓ ବାଇପାସ ଠାରେ ଶୁଭ ଦିଆଯାଇଥିବା ଦୋକାନ ଘର କାର୍ଯ୍ୟ ଅଦ୍ୟାବଧି ଆରମ୍ଭ ହୋଇ ନାହିଁ । ବିଶେଷକରି ଅପର୍ତ୍ତିବନ୍ଧା ଛକ ଠାରେ ଏକ ସପିଂ ମଲ ପାଇଁ ଗତ ସ୍ୱାୟତ୍ତ ଶାସନ ଦିବସର ଅତିଥିମାନେ ପ୍ରତିଶ୍ରୁତି ରଖିଥିବାବେଳେ, ମଲର କୌଣସି ଚିହ୍ନ ବର୍ଣ୍ଣ ଏପର୍ଯ୍ୟନ୍ତ ଦେଖିବାକୁ ମିଳିନି । ସୂଚନାଯୋଗ୍ୟ ଏହି ମଲରେ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଉଛେଦ ହୋଇଥିବା ବ୍ୟବସାୀଙ୍କୁ ସ୍ଥାନ ମିଳିବାର କଥା । ଗତ ସାଧାରଣ ନିର୍ବାଚନ ପରେ ଭଦ୍ରକ ବିଧାୟକ ଭଦ୍ରକକୁ ଏକ ସ୍ମାର୍ଟ ସିଟି କରିବା ଉଦ୍ଦେଶ୍ୟରେ ଉଦ୍ୟମ ଆରମ୍ଭ କରିଥିଲେ । ମହତାବ ଛକ ଠାରୁ କଚେରୀ ବଜାର ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ଥିବା ଦୋକାନ ଘର ସବୁ ଭଙ୍ଗା ଯାଇଥିଲା ।

କିନ୍ତୁ ଉଛେଦ ଅଭିଯାନ କୌଣସି କାରଣରୁ ଆଗକୁ ବଢ଼ି ପାରିନଥିଲା । କଚେରୀ ବଜାର ଘୋଷଣା ବଜାର ଠାରେ ଅଟକି ଯାଇଥିଲା ଏହି ଉଛେଦ ଅଭିଯାନ । ଉଛେଦକୁ ନେଇ ପୌର କର୍ତ୍ତୃପକ୍ଷ ଅସହାୟ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଉଛି । ସେହିପରି ବର୍ଷା ଋତୁରେ ଆଜି ବି ପୌରବାସୀ ମନୁଷ୍ୟକୃତ କୁତ୍ରିମ ବନ୍ୟାରେ ଘାଣ୍ଟି ଚକଟି ହେଉଛନ୍ତି । ସବୁ ସମୟରେ ସମାଲୋଚନାର ଶୀକାର ହୋଇ ଆସୁଥିବା ନିର୍ବାଚିତ ପୌର ପରିଷଦ ନଥିବା ସମୟରେ ପ୍ରଶାସକଙ୍କ ନିକଟରେ ଦକ୍ଷତା ଦେଖାଇବାର ସୁଯୋଗ ରହିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ସକ୍ଷମ ହୋଇପାରିନି । ଚଳିତ ମାସର ବର୍ଷାରେ ପୌର କର୍ତ୍ତୃପକ୍ଷଙ୍କ ଦୁର୍ବଳତା ପଦାରେ ପଡ଼ିଛି । ପୌରବାସୀ ଜଳବନ୍ଦୀ ହେଉଥିବା ସମୟରେ ପୌର ପ୍ରଶାସନ କେତେକ ସ୍ଥାନରେ ପହଞ୍ଚି ଜଳ ନିଷ୍କାସନର ବ୍ୟବସ୍ଥା କରୁଥିବା ଓ ଏହାର ଫଟୋ ପୌରପାଳିକା ଟ୍ୟୁଟର ଏକାଉଣ୍ଟରେ ଦେଖାଇ ବାହାବା ନେବାକୁ କେବଳ ଉଦ୍ୟମ କରିଛି । ସେହିପରି ବିଭିନ୍ନ ୱାର୍ଡ଼ରେ ରେସନ କାର୍ଡ଼ ଆବଣ୍ଟନକୁ ନେଇ ବିବାଦ ତେଜି ଚାଲିଛି । ବହୁ ଥିଲାବାଲା ରେସନ କାର୍ଡ଼ ପାଇଥିବାବେଳେ, ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଛନ୍ତି । ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ ହେଉଥିବାର ଅଭିଯୋଗ ଏକ୍ଷେତ୍ରରେ ଆସିଛି । ଅନୁରୂପ ପୌରାଞ୍ଚଳରେ ବିଧାୟକଙ୍କ ପାଣ୍ଠିରୁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ପ୍ରଦତ୍ତ ଅର୍ଥର ଦୁରୂପଯୋଗର ଅଭିଯୋଗ ମଧ୍ୟ ଆସୁଛି । ଯେଊଁ ଉଦ୍ଦେଶ୍ୟରେ ପୌରାଞ୍ଚଳରେ ଏହି ଅର୍ଥ ବିନିଯୋଗ ହେବା କଥା ତାହା ନହୋଇ କର୍ମୀଙ୍କୁୁ ସନ୍ତୁଷ୍ଟ କରିବା ନ୍ୟାୟରେ ଏହି ଅର୍ଥ ଖର୍ଚ୍ଚ ହେଉଛି ବୋଲି ଅଭିଯୋଗ ହେଉଛି । ସେହିପରି ପୌରାଞ୍ଚଳର ଜବରଦଖଲ, ରାସ୍ତାର ଦୂରାବସ୍ତା ସମସ୍ୟାକୁ ନେଇ ପୌର କର୍ତ୍ତୃପକ୍ଷ ନୀରବ ରହିଛନ୍ତି । ପୌର କର୍ତ୍ତୃପକ୍ଷଙ୍କ ଏପରି ଅସହାୟତା ବିଧାୟକଙ୍କ ସ୍ମାର୍ଟ ସିଟି ପରିକଳ୍ପନା ଦିଗରେ ଅନ୍ତରାୟ ସାଜିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.