Home ଆମ ସଂସ୍କୃତି, କଳା ଓ ଐତିହ୍ୟ ପାରମ୍ପରିକ ରୀତି ଅନୁଯାୟୀ ତିନିରଥର ଚକ ଅଖ ଡେରା ନୀତି ସଂପନ୍ନ

ପାରମ୍ପରିକ ରୀତି ଅନୁଯାୟୀ ତିନିରଥର ଚକ ଅଖ ଡେରା ନୀତି ସଂପନ୍ନ

255

ପୁରୀ, ୧୫/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆଜି ଭଉଁରୀ ତିଥିରେ ଶ୍ରୀକ୍ଷେତ୍ରରେ ସଂପନ୍ନ ହୋଇଛି ତିନିରଥର ଚକ ଅଖ ଡେରା ନୀତି। ସକାଳ ଧୂପ ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରାଇବା ପରେ ତିନିରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯାଇଥିଲା। ଆଜିର ଏହି ଚକଡେରା ନୀତି ସଂପନ୍ନ ହେବା ପରେ ରଥ ନିର୍ମାଣର ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହୋଇଛି। ସବୁ ଆଶା ଓ ଆଶଙ୍କା ଦୂର ହୋଇଛି। ଅକ୍ଷୟତୃତୀୟାର ୧୨ ଦିନ ବିଳମ୍ବରେ ଆରମ୍ଭ ହୋଇଥିଲା ରଥ ନିର୍ମାଣ କାର୍ଯ୍ୟ। ତେବେ ବିଳମ୍ବ ହେଉ ପଛେ ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅବସରରେ ପରମ୍ପରା ଅନୁଯାୟୀ ରଥଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ତେବେ ଆଜି ବାହାର ଚନ୍ଦନଯାତ୍ରାର ଅନ୍ତିମ ଦିନ ଏହି ଅନ୍ତିମ ଦିନକୁ ଭଉଁରୀଯାତ୍ରା କୁହାଯାଉଥିବା ବେଳେ ଆଜିର ଦିନରେ ତିନି ରଥର ଚକ ଅଖ ଡେରା କାର୍ଯ୍ୟ ସଂପନ୍ନ କରାଯାଇଥାଏ। ଏହି ପରମ୍ପରାକୁ ଦୃଷ୍ଟିରେ ରଖି ବିଶ୍ୱକର୍ମା ଓ ଭୋଇ ସେବାୟତମାନେ ତିନିରଥର ଦୁଇଟି ଲେଖାଏଁ ଚକ ସହ ଅଖ ସଂଯୋଗ କରିଛନ୍ତି। ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସକାଳ ଧୁପ ସରିବା ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସାମନ୍ତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରାଇଥିଲେ। ପରେ ଭୋଇ ସେବକମାନେ ତିନିରଥର ଦୁଇଟି ଲେଖାଏଁ ଚକରେ ଅଖ ସଂଯୋଗ କରିଥିବା ବେଳେ ପୂଜାପଣ୍ଡା ସେବକ ଆଜ୍ଞାମାଳ ମହାରଣାମାନଙ୍କୁ ଦେଇ ବିଧି ସଂପନ୍ନ କରିଥିଲେ। ଚଳିତବର୍ଷ ରଥ ନିର୍ମାଣ କାର୍ଯ୍ୟ ୧୨ଦିନ ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ଭଉଁରୀ ତିଥିରେ ଚକଅଖ ଡେରା ନୀତି ସଂପାଦନା କରିବା ମହାରଣା ଓ ଭୋଇ ସେବକମାନଙ୍କ ପାଇଁ ଥିଲା ଏକ ବଡ ଚାଲେଞ୍ଜ। ତେବେ ଆଜି ଚକ ଅଖ ଡେରା ନୀତି ନିର୍ଦ୍ଧିଷ୍ଟ ସମୟରେ ସଂପାଦନ ହୋଇଥିବାରୁ ଆଗାମୀ ଦିନରେ ରଥ ନିର୍ମାଣ କାର୍ଯ୍ୟ ଠିକ୍ ସମୟରେ ଶେଷ ହେବା ନେଇ ସବୁଜ ସଂକେତ ମିଳିଛି। ଆଗାମୀ ୫ ତାରିଖ ଦିନ ସ୍ନାନପୂର୍ଣ୍ଣମୀ ତିଥିରେ ତିନିରଥର ଚାରି ନାହାକା ଉଠିବାର ପରମ୍ପରା ରହିଛି। ତେଣୁ ସ୍ନାନପୂର୍ଣ୍ଣିମା ତିଥିରେ ଚାରି ନାହାକା ଡେରା ଉପରେ ସମସ୍ତଙ୍କର ନଜର ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.