Home ଜିଲ୍ଲା ପରିକ୍ରମା ନଈ ଏପାରିରେ ଗାଁ ; ଆରପାରିରେ ତହସିଲ ଓ ବ୍ଲକ କାର୍ଯ୍ୟାଳୟ, ସରକାରୀ କାମ ପାଇଁ...

ନଈ ଏପାରିରେ ଗାଁ ; ଆରପାରିରେ ତହସିଲ ଓ ବ୍ଲକ କାର୍ଯ୍ୟାଳୟ, ସରକାରୀ କାମ ପାଇଁ ସକାଳେ ଗଲେ ସଂଜକୁ ଫେରନ୍ତି ଲୋକ, ଭରା ନଈରେ ଯାତ୍ରୀଙ୍କ ଅସରୁକ୍ଷିତ ଜଳଯାତ୍ରା

60

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ଓଳଗ ସୁନ୍ଦରପୁର ୪ଟି ପଞ୍ଚାୟତର ୨୪ଟିଗାଁର ଲୋକ ନିଜର ବ୍ଲକ ଓ ତହସିଲକୁ ବିଭିନ୍ନ କାର୍ଯ୍ୟ ପାଇଁ ପୁରୁଷ ପୁରୁଷ ଧରି ବୈତରଣୀ ଓ ସାଳନ୍ଦୀ ଜୁଆରିଆ ଭରା ନଈରେ ପାରି ହୋଇ ଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲଟିଏ ନିର୍ମାଣ ନହେବା ବିଡମ୍ବନାର ବିଷୟ ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ଏପରିକି ଏହି ନଈର ତିନିତର ଘାଟ ଦେଇ ବାହାର ପର୍ଯ୍ୟଟକମାନେ ପ୍ରତିଦିନ ମୋଟର ଚାଳିତ ବୋଟ୍‌ରେ ପାରି ହୋଇ ପୁରାତନ ପର୍ଯ୍ୟଟନସ୍ଥଳ ଆଖଣ୍ଡଳମଣିଙ୍କ ପୀଠକୁ ଆସିଥାନ୍ତି । ତାହାସହ ବନ୍ଦରନଗରୀ ଚାନ୍ଦବାଲି, ମା ଧାମରାଈ ପୀଠ ସହ ବିଶ୍ୱ ପ୍ରସିଦ୍ଧ ଭିତର କନିକାକୁ ପର୍ଯ୍ୟଟନଋତୁରେ ଦୈନିକ ହଜାର-ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଅତି ବିପଦଜନକ ଭାବେ ଭରା ନଈରେ ଜଳଯାତ୍ରା କରି ଯାତାୟତ କରିଥାନ୍ତି । ଏହି ବ୍ଲକ ପୁରାତନ ବନ୍ଦର ନଗରୀ ହୋଇଥିବାରୁ ଭଦ୍ରକ ଜିଲାକୁ ଦେଇଥାଏ ସ୍ୱତନ୍ତ୍ର ପରିଚୟ । ଉକ୍ତ ନଦୀଘାଟ ଗୁଡିକରେ ପକ୍କା ପୋଲ ନିର୍ମାଣ ପାଇଁ ଦୀର୍ଘ ୨୧ବର୍ଷ ଧରି ବ୍ୟୟ ଅଟକଳ କରାଯିବା ସହିତ ଟେଣ୍ଡର ପ୍ରକ୍ରୟାରେ ସୀମିତ ହୋଇ ରହିଯାଇଛି । ଏପରିକି ବିଗତ ୫ବର୍ଷ ତଳେ ପକ୍କା ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଓ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀଙ୍କ ଦ୍ୱାରା ଦୁଇଦୁଇ ଥର ଶିଳାନ୍ୟାସ କରାଯାଇଥିଲେ ମଧ୍ୟ ତାହା କେବଳ ଫଳକରେ ସୀମିତ ହୋଇ ରହିଯାଇଛି । ଏହି ବିଛିନ୍ନାଞ୍ଚଳର ଲୋକମାନେ ଶହଶହ ବର୍ଷ ଧରି ବାପଗୋସାପ ଅମଳରୁ ହୁଲିଡଙ୍ଗା ଓ ମଟରଚାଳିତ ଡଙ୍ଗା ଦ୍ୱାରା ଦୈନଦିନ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଥୁଲେ ମଧ୍ୟ କାହାରି ନଜର ପଡୁନଥିବା ସ୍ଥାନୀୟ ଅଞ୍ଚଳର ଲୋକମାନେ ପ୍ରକାଶ କରିଛନ୍ତି । ବିଶେଷକରି ଗୋଟିଏ ମଟରଚାଳିତ ଡଙ୍ଗାରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଲୋକଙ୍କ ସମେତ ମଟରଗାଡି ପାରି କରାଯିବା ସହ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକତା ଲାଇଫ ଜ୍ୟାକେଟ ନଥିବା ଜଳଯାତ୍ରା କରି ଆସୁଥିବା ଯାତ୍ରୀମାନେ ପ୍ରକାଶ କରିଛନ୍ତି ।

ଚାନ୍ଦବାଲି ବ୍ଲକ ଓ ତହସିଲର ୪ଟି ପଞ୍ଚାୟତର ୨୪ଟି ଗାଁ ନଈ ଏପାରିରେ ଥିବାରୁ ଆରପାରିକୁ କୈାଣସି କାମ ପାଇଁ ଯିବାକୁ ହେଲେ ସକାଳେ ଗଲେ ସଂଜକୁ ଫେରନ୍ତି ଲୋକ । ଏପରିକି ଯଦି କାଯ୍ୟାଳୟରେ ଅଧିକାରୀ ନଥାନ୍ତି ତାହାଲେ ନିରାଶ ହୋଇ ଫେରିଥାନ୍ତି ଲୋକମାନେ । ସବୁଠାରୁ ବଡକଥା ହେଲା ଏହି ଜୁଆରିଆ ନଈରେ ହିଂସ୍ର କୁମ୍ଭୀର ଥିବାରୁ ଅନେକ ସମୟରେ ହିଂସ୍ର କୁମ୍ଭୀର ମୁହଁରେ ଯାଉଛି ଲୋକଙ୍କ ପ୍ରାଣ । ସୂଚନା ଅନୁଯାୟୀ ୧୯୮୨ମସିହାରେ ମୁଆଁ ଘାଟ ନିକଟସ୍ଥ ଲଞ୍ଚ ଘାଟର ଏକ ଲଞ୍ଚ ବୁଡି ଯିବା ଫଳରେ ଲଞ୍ଚରେ ଥିବା ୧୭ଜଣ ପର୍ଯ୍ୟଟକ ନଦୀରେ ନିଖୋଜ ହୋଇଯାଇଲା , ୧୬ଜଣ ପର୍ଯ୍ୟଟକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ୧୯୮୬ରେ ମକରମେଳା ବୁଲିବା ପାଇଁ ଆରଡିପୀଠ ରୁ ଧାମରାର ମା ଧାମାରାଈ ମନ୍ଦିରକୁ ଏକ ଦେଶୀଡଙ୍ଗାରେ ଯାଇଥିବା ୨୨ଜଣ ଶ୍ରଦ୍ଧାଳୁ ମାଙ୍କ ଦର୍ଶନ ସାରି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗା ମୁହାଣ ନିକଟରେ ଓଲଟି ପଡିବାରୁ ଛୋଟ ପିଲାଙ୍କ ସହ ୧୯ଜଣଙ୍କ ପ୍ରାଣ ନଈ ମୁହାଣେରେ ଭାସିଯାଇଥିଲା । ୨୦୧୬ମସିହା ଶ୍ରାବଣମାସରେ ଆଖଣ୍ଡଳମଣିଙ୍କ ଉପରେ ଜଳଲାଗି ପାଇଁ କେନ୍ଦ୍ରାପଡା ଜିଲାର ପ୍ରାୟ ୩୫ଜଣ ଏକ ମଟରଚାଳିତ ଡଙ୍ଗାରେ ମୁଆଁ ଘାଟ ପାରି ହେଉଥିବା ସମୟରେ ୨ଟି ଡଙ୍ଗା ମଧ୍ୟରେ ଧକ୍କା ହେବାରୁୁ ୨ଜଣ କାଉଡିଆ ଜୁଆରୀଆ ନଈରେ ଭାସି ଯାଇଥିଲେ ସ୍ଥାନୀୟ ଲୋକଙ୍କ ଉଦ୍ୟେମକ୍ରମେ ଜଣେ ବର୍ତ୍ତି ଯାଇଥିବା ବେଳେ ଅନ୍ୟଜଣେ ମୃତ୍ୟୁବରଣ କରିଥିଲା । ଦିର୍ଘ୍ୟ ୩୮ବର୍ଷ ମଧ୍ୟରେ ଲଞ୍ଚ ଓ ଡଙ୍ଗା ବୁଡି ଘଟଣାରେ ୩୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କୁମ୍ଭୀର ମୁହଁରେ ଅନେକ ଜୀବନ ଯାଇଛି । ହେଲେ ଏପ୍ରର୍ଯ୍ୟନ୍ତ ସରକାର କିମ୍ବା ପ୍ରଶାସନର ଚେତା ପଶୁନଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି । ଅନ୍ୟପଟେ ପ୍ରଶାସନ ଯାତ୍ରୀମାନଙ୍କ ପାଇଁ ନଦୀଘାଟରେ କୈାଣସି ବ୍ୟବସ୍ଥା ନକରି ବିଭିନ୍ନ ପର୍ବପର୍ବାଣୀରେ ନଦୀଘାଟରେ ଯାତ୍ରୀମାନଙ୍କର ଯାତାୟତ ବନ୍ଦ କରି ଚୁପ ବସି ରହୁଥିବା ଆଗନ୍ତୁକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୂମାନଙ୍କ ସହ ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.