Home ଜିଲ୍ଲା ପରିକ୍ରମା ଧାମନଗର:ବନ୍ୟା କମିଛି;ଦୁର୍ଦଶା ବଢିଛି : ଭଙ୍ଗାଘର ଓ ପଲିଥିନ ତଳେ ଦିନ ବିତୁଛି

ଧାମନଗର:ବନ୍ୟା କମିଛି;ଦୁର୍ଦଶା ବଢିଛି : ଭଙ୍ଗାଘର ଓ ପଲିଥିନ ତଳେ ଦିନ ବିତୁଛି

74

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗରରେ ପ୍ରଳୟଙ୍କାରି ବନ୍ୟା ଆସି ବ୍ଲକର ବିଭିନ୍ନ ଚାଷଜମି ସମେତ ରାସ୍ତାଘାଟ ଦିର୍ଘ ୪ଦିନ ଧରି ବୁଡି ରହିଥିଲା ବେଳେ ଏବେ ନଦୀରୁ ଜଳସ୍ତର ହ୍ରାସ ପାଇବା ପରେ ବିଭିନ୍ନ ଗ୍ରାମ୍ୟରାସ୍ତାରୁ ମଧ୍ୟ ବନ୍ୟାଜଳ ଛାଡିଛି । ହେଲେ ଏହି ବନ୍ୟା ଅନେକଙ୍କୁ ଦୁଃଖ ଓ ଯନ୍ତ୍ରଣା ଦେଇଛି । ବ୍ଲକ ପ୍ରଶାସନର ପ୍ରାଥମିକ ଆକଳନ ଅନୁଯାୟୀ ବ୍ଲକର ପ୍ରାୟ ୨୭ଟି ପଞ୍ଚାୟତ ୯୬ ରାଜସ୍ୱ ଗ୍ରାମ ୨୭୫ଟି ୱାର୍ଡର ୧ ଲକ୍ଷ ୨୫ ହଜାର ୪୩୨ଜଣ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ସେଥିମଧ୍ୟରୁ ୫୨୧୩ ଜଣଙ୍କୁ ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳି, ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲରେ ସ୍ଥାନାନ୍ତରିତ କରାଯାଇଛି । ବିଭିନ୍ନ ପଞ୍ଚାୟତରୁ ୧୩୭୫ ଗୃହ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୨ ହଜାର ୩୪୩ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛନ୍ତି । ୧୦୧ଟା ସ୍ଥାନରେ ରନ୍ଧାଖାଦ୍ୟ ବିପନ୍ନଙ୍କୁ ଯୋଗାଇ ଦିଆଯାଉଥିବା ବିଡିଓ ଦୁର୍ଗାଚରଣ ମୁର୍ମୁ ସୂଚନା ଦେଇଛନ୍ତି । ତେବେ ବନ୍ୟା ହେବାର ଆଜକୁ ୪ଦିନ ପରେ ମଧ୍ୟ ବ୍ଲକର ହସନାବାଦା, ରଇପୁର, ପଧାନୀ, ଦଳାଙ୍ଗ, ନଦୀଗାଁ, ବୟାଙ୍ଗଡିହ, ରାଧାବଲ୍ଲଭପୁର, କୋଠାର ଆଦି ପଞ୍ଚାୟତର କେତେକ ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଛି । ହସନାବାଦ ପଞ୍ଚାୟତର ତଳଅସ୍ତକ, ଉପରଅସ୍ତକ, ଗୋପବନ୍ଧୁନଗର ଓ ଅନଳଡିହ ସହିତ ରଇପୁର ପଞ୍ଚାୟତର ରଇପୁର ଓ କାଠମୁଣ୍ଡା, ନଦୀଗାଁ ପଞ୍ଚାୟତର ତିନିଘରିଆ, ପାଟଣାସାହି ଓ ଦାସସାହି, ଭଟ୍ଟସାହି ପଞ୍ଚାୟତର କୁମ୍ଭାରସାହି ଓ ହରିଜନସାହି, ବୟାଙ୍ଗଡିହ ପଞ୍ଚାୟତର ଗୁଣ୍ଠିଣା ଓ ଗୁଡୁପୋଖରୀ, ରାଧାବଲ୍ଲଭପୁର ପଞ୍ଚାୟତର ଷୋଳଗାଁ, ଦଳାଙ୍ଗ ପଞ୍ଚାୟତର ରାମେଶ୍ୱରପୁର, ମଳିକସାହି ଓ ଯାହାଙ୍ଗିର, କରଦା ପଞ୍ଚାୟତର ମାଳସାହି ଏବଂ ପଧାନୀ ପଞ୍ଚାୟତର କଇଥାଡିହ ଓ ଦାସପାରି ଆଦି ଗ୍ରାମରେ ଆଜି ପର୍ଯ୍ୟନ୍ତ ଗ୍ରାମ୍ୟରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି । ବିଶେଷକରି ପଧାନୀ ପଞ୍ଚାୟତର ବନ୍ୟା ଆଜି ଛାଡିବା ପରେ ଆମେ ପହଞ୍ଚିଥିଲୁ ଉକ୍ତ ପଞ୍ଚାୟତରେ । ପଞ୍ଚାୟତର କଇଥାଡିହକୁ ଗାଁ ଭିତରକୁ ଯିବା ବେଳକୁ ରାସ୍ତାରେ ୨ ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲା । ଗାଁରେ ପହଞ୍ôଚିବା ପରେ ପ୍ରାୟ ସମସ୍ତ କଚ୍ଚାଘର ଭାଙ୍ଗିରୁଜି ଯାଇଥିବା ବେଳେ ଅନେକ ଲୋକ ଛାତ ଉପରେ ଆଶ୍ରୟ ନେଇଥିଲେ । ପ୍ରଥମେ ଲଗାଣ ବର୍ଷା ପରେ ଚାରିଦିନ ଧରି ବନ୍ୟାର ତାଣ୍ଡବ ଯୋଗୁଁ କଚ୍ଚା ଘରର କାନ୍ଥ ଭାଙ୍ଗି ପାଣିରେ ମିଶି ଯାଇଛି । ଆଜି ଘର ଭିତରରୁ ବନ୍ୟାଜଳ ଛାଡିବା ପରେ ଛାତରୁ ଓହ୍ଲାଇ ଭଙ୍ଗାଘରକୁ ସଜାଡିବା ପାଇଁ ସମସ୍ତେ ପ୍ରୟାସ କରୁଥିଲେ ।

ସପ୍ତାହ ହେଲା ବର୍ଷା ପରେ ବନ୍ୟା ଯୋଗୁଁ ସେମାନଙ୍କ ପାଖରେ ସୁଖିଲା ଖାଦ୍ୟ କି ଅତ୍ୟାବଶ୍ୟକ ସାମଗ୍ରୀ ନାହିଁ । ଚୁଲିରେ ପାଣି ସହିତ ପର କୋଠା ଘରର ଛାତ ସେମାନଙ୍କ ଆଶ୍ରୟସ୍ଥଳି ପାଲଟିଥିବା ବେଳେ ପେଟ କଥାକୁ କିଏ ପଚାରେ । ଆଜି ସ୍ଥାନୀୟ ସରପଞ୍ଚ ସୁଜାତା ପୁହାଣ ବିପନ୍ନଙ୍କ ନିକଟରେ ପହଞ୍ôଚି ରନ୍ଧାଖାଦ୍ୟର ବ୍ୟବସ୍ଥା କରିଛନ୍ତି । ସେହିପରି ରାମରାକୂଳ ଓ ଦାସପାରି ଅଂଚଳର ପ୍ରାୟ ୨୫ରୁ ଉର୍ଦ୍ଧ୍ୱ ପରିବାର ଏବେ ପରିବାର ଓ ଗୃହପାଳିତ ପଶୁଙ୍କୁ ଧରି କୋଚିଳା ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି । ସେମାନଙ୍କ ଘରେ ବନ୍ୟାଜଳ ପଶିବାରୁ ୪ଦିନ ହେଲା ଏହି ନଦୀବନ୍ଧ ସେମାନଙ୍କ ନୂଆ ପରିଚୟ ସୃଷ୍ଟି କରିଛି । ଆଜି ଘର ଭିତରରୁ ବନ୍ୟାଜଳ ହ୍ରାସ ପାଇବା ପରେ ଭଙ୍ଗାଘର ସଜାଡିବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି । ବନ୍ୟା ସମୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଜିଲା ପ୍ରଶାସନ କହୁଥିବା ବେଳେ ବ୍ଲକର ସୋହଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ୟା ଛାଡିବାର ଦୁଇଦିନ ବିତିଯାଇଥିଲେ ବି ବନ୍ୟା ବାହାନାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ପଡିଥିବା ଦେଖିବାକୁ ମିଳିଛି । ତେବେ ବନ୍ୟା ପରେ ବିଭିନ୍ନ ସଂକ୍ରମଣ ରୋଗ ବ୍ୟାପିବାର ଆଶଙ୍କା ଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ପଡିବାରୁ ତାହାକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.