Home ଜିଲ୍ଲା ପରିକ୍ରମା ଦୋବଲ ପଂଚାୟତ ନୂତନ କାର୍ଯ୍ୟାଳୟ ନିର୍ମାଣକୁ ନେଇ ବିବାଦ:ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ

ଦୋବଲ ପଂଚାୟତ ନୂତନ କାର୍ଯ୍ୟାଳୟ ନିର୍ମାଣକୁ ନେଇ ବିବାଦ:ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ

28

ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ଅବିଭକ୍ତ ଦୋବଲ ପଞ୍ଚାୟତର ସୋଧ ଠାରେ ନୂତନ ପଂଚାୟତ କାର୍ଯ୍ୟାଳୟ ନିର୍ମାଣକୁ ନେଇ ବିବାଦ ଘନେଇଛି । ଆଜି ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଉକ୍ତ ସ୍ଥାନକୁ ଯାଉଥିବା ବେଳେ କେତେକ ଲୋକଙ୍କ ରୋଷର ଶିକାର ହୋଇଥିଲେ । ଏପରିକି ଏହି ଦୁଇ ଅଧିକାରୀଙ୍କୁ ଦୀର୍ଘ ପ୍ରାୟ ୩ ଘଣ୍ଟା ଧରି ଅଟକ ରଖିବା ପରେ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା । ପ୍ରକାଶ ଥାଉକି ଗତ ପଂଚାୟତ ନିର୍ବାଚନ ପୂର୍ବରୁ ଉକ୍ତ ପଂଚାୟତର ଜନସଂଖ୍ୟା ଲକ୍ଷ କରି ଦୋବଲ ଓ ମୁସ୍ତାଫାପୁର ଆଦି ଦୁଇଟି ପଂଚାୟତ ଗଠନ କରାଯାଇଥିଲା । ପୂର୍ବରୁ ଥିବା ପଂଚାୟତ କାର୍ଯ୍ୟାଳୟ ଏବେ ମୁସ୍ତାଫାପୁର ପଂଚାୟତ କାର୍ଯ୍ୟଳୟ ଅଧିନକୁ ଚାଲି ଯାଇଛି । ଫଳରେ ଦୋବଲ ପଂଚାୟତ କାର୍ଯ୍ୟାଳୟ ପଂଚାୟତ ନିର୍ବାଚନ ଠାରୁ ଆଜି ପର୍ଯ୍ୟନ୍ତ ସୋଧସ୍ଥିତ ଏକ କମ୍ୟୁନିଟ ସେଣ୍ଟରେ ଚାଲିଛି । ତେବେ ପଂଚାୟତରାଜ ବିଭାଗ ପକ୍ଷରୁ ନୂତନ ପଂଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ପ୍ରାୟ ୩୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ନିକଟରେ ସୋଧ ଠାରେ ଏହି କାର୍ଯ୍ୟାଳୟ ପାଇଁ ଭୂମି ପୂଜନ କରାଯାଇଥିଲା । ସୋଧ ଠାରେ ଏହି ନୂତନ କାର୍ଯ୍ୟାଳୟ ନିର୍ମାଣକୁ ପଂଚାୟତର ଅନ୍ୟ ୱାର୍ଡ ବାସୀ ବିରୋଧ କରି ଆସୁଥିଲେ । ତେବେ ପଂଚାୟତରାଜ ବିଭାଗର ନିଷ୍ପତ୍ତି ଅନୁଯାୟୀ ସୋଧ ଠାରେ ଉକ୍ତ ନୂତନ କାର୍ଯ୍ୟାଳୟ କରାଯିବ ବୋଲି ବିଡିଓ ଦୁର୍ଗାଚରଣ ମୁର୍ମୁ ନିର୍ଦେଶ ଦେଇଥିଲେ । ଆଜି ଏହି କାର୍ଯ୍ୟ ଲେ-ଆଉଟ ଦେବାକୁ ସହକାରୀ ଯନ୍ତ୍ରୀ ସଦାନନ୍ଦ ଜେନା ଓ କନିଷ୍ଠ ଯନ୍ତ୍ରୀ ଦେବେନ୍ଦ୍ର ନାୟକ ଯାଉଥିବା ବେଳେ ଦୋବଲସାହିର କେତେକ ମହିଳା ଓ ପୁରୁଷ ଏହି ଦୁଇ ଅଧିକାରୀଙ୍କୁ ଅଟକାଇ ବିଭିନ୍ନ ଗାଳିଗୁଲଜ କରିବା ସହିତ ସେମାନଙ୍କୁ ଗାଁରେ ନେଇ ବସାଇଥିଲେ । ବିଡିଓ ଆସିଲେ ସମସ୍ତ କଥା ଫାଇନାଲ ହେବ ବୋଲି ସେମାନେ କହିଥିଲେ । ବିଡିଓ ଏକ ଜରୁରୀ କାମରେ ଭଦ୍ରକ ଯାଇଥିବାରୁ ସେ ଘଟଣାସ୍ଥଳେ ପହଂଚି ପାରିନଥିଲେ । ଖବରପାଇ ଧାମନଗର ପୁଲିସ ଘଟଣାସ୍ଥଳେ ପହଞ୍ଚି ଦୁଇ ଅଟକ ଅଧିକାରୀଙ୍କୁ ଉଦ୍ଧାର କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଉକ୍ତ ପଂଚାୟତର ଗୃହ କାର୍ଯ୍ୟ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ବିଡିଓ ଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି । ଏହି ରିପୋର୍ଟ ଲେଖାଯିବା ବେଳକୁ ଥାନାରେ କୌଣସି ମାମଲା ରୁଜୁ ହୋଇନଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.