Home ଜିଲ୍ଲା ପରିକ୍ରମା ଦିନ ଦିପ୍ରହରରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା:୩ ଅଭିଯୁକ୍ତ ଗିରଫ

ଦିନ ଦିପ୍ରହରରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା:୩ ଅଭିଯୁକ୍ତ ଗିରଫ

81

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଗତକାଲି ଦିନ ଦିପ୍ରହରରେ ପିଟିପିଟି ହତ୍ୟା କରାଯାଇଥିବା ଘଟଣାରେ ସ୍ଥାନୀୟ ପୁଲିସ ୩ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତ ମାନେ ହେଲେ ସ୍ଥାନୀୟ ମୁନିସପାଟଣା ଗ୍ରାମର ଭାଗିରଥୀ ଦଳେଇଙ୍କ ପୁଅ ସନ୍ତୋଷ ଦଳେଇ (୨୫) ଓ ଧନିଆ ଗୋଛାୟତଙ୍କ ପୁଅ ଚନ୍ଦନ ଗୋଛାୟତ (୨୫) ଏବଂ କଌକ୍ଷଗ୍ଧ;ାବଣିଆ ଗ୍ରାମର ବାସୁଦେବ ଭୁତିଆଙ୍କ ପୁଅ ବସନ୍ତ ଭୁତିଆ (୨୨) । ଏହି ତିନି ଅଭିଯୁକ୍ତକୁ ପୁଲିସ ଗିରଫ କରି ଅଧିକ ପଚରାଉଚରା ଜାରି ରଖିଛି । ପ୍ରକାଶ ଯେ ଧାମନଗର ପଂଚାୟତ ସମିତି କାର୍ଯ୍ୟାଳୟ ଫାଟକ ନିକଟରେ ସ୍ଥାନୀୟ ଦକ୍ଷିଣବାଡ ଗ୍ରାମର ସ୍ୱର୍ଗତ ତ୍ରିଲୋଚନ ପଣ୍ଡାଙ୍କ ପୁଅ ସତ୍ୟଜିତ ପଣ୍ଡା (୨୩) ଗତକାଲି ଅପରାହ୍ନ ପ୍ରାୟ ସାଢେ ତିନିଟା ସମୟରେ ମୁମୂର୍ଷ ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଖବରପାଇ ଧାମନଗର ଦମକଳ ବାହିନୀ ଘଟଣା ସ୍ଥଳେ ପହଂଚି ସଂପୃକ୍ତ ଯୁବକକୁ ଉଦ୍ଧାର କରି ଧାମନଗର ଡାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗଦେଇ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଗତକାଲି ମୃତ୍ୟୁ ଘଟିଥିଲା । ଖବରପାଇ ପୁଲିସ ଘଟଣାସ୍ଥଳେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ମୃତକଙ୍କ ପରିବାର ଓ ସଂପର୍କିୟ ମାନେ ଗତକାଲି ସନ୍ଧ୍ୟାରେ କିଛି ସମୟ ଧରି ଥାନା ସମ୍ମୁଖରେ ରାସ୍ତା ଅବରୋଧ କରିଥିଲେ । ଖବରପାଇ ସଦର ଏସଡିପିଓ ସାର୍ଥକ ରାୟ ଓ ଥାନାଧିକାରୀ ବୁଝାସୁଝା କରିବା ସହିତ ଯଥା ଶିଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୃତି ଦେବାରୁ ରାସ୍ତା ଅବରୋଧ ହଟିଥିଲା । ଗତ କିଛି ମାସ ପୂର୍ବେ ସତ୍ୟଜିତଙ୍କ ସହିତ ଉକ୍ତ ଅଂଚଳର କେତେକ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ ହୋଇଥିଲା ।

ଏହି ଘଟଣାକୁ ନେଇ କାଳେ ଅପରପକ୍ଷଙ୍କ ପକ୍ଷରୁ ଆକ୍ରମଣ କରାଯାଇଥିବ ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଏହି ତିନି ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକିଂ କରିଥିବା ବେଳେ ସଂପୃକ୍ତ ତିନି ଅଭିଯୁକ୍ତ ମାନେ ଧୁଷୁରୀ ଥାନା ଅଧିନସ୍ଥ କଟସାହି ପଂଚାୟତ ସହିଦନଗର ଗୋଛାୟତସାହି ଠାରେ ଥିବା ଜଣା ପଡିଥିଲା । ଏସପି ରାଜେଶ ପଣ୍ଡିତଙ୍କ ନିର୍ଦେଶ କ୍ରମେ ଭଦ୍ରକ ସଦର ଏସଡିପିଓ ସାର୍ଥକ ରାୟଙ୍କ ତତ୍ୱାବଧାନରେ ଧାମନଗର ଥାନାଧିକାରୀ ରତିକାନ୍ତ ଗିରି, ଧୁଷୁରୀ ଥାନାଧିକାରୀ ପ୍ରଫୁଲ୍ଲ ସିଂ, ଏସଆଇ ମୋତିଲାଲ ମାରାଣ୍ଡି, ମହାପ୍ରସାଦ ନାୟକ, ଏଏସଆଇ ମହେଶ୍ୱର ପ୍ରଧାନ, ହୃଷିକେଶ ବିଶ୍ୱାଳଙ୍କ ସମେତ ଧାମନଗର ଓ ଧୁଷୁରୀ ଥାନାର ଅନ୍ୟ ପୁଲିସ କର୍ମଚାରୀ ମାନେ ଉକ୍ତ ଅଂଚଳକୁ ଘେରି ଯାଇଥିଲେ । ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣଙ୍କ ସଂପର୍କିୟଙ୍କ ଘରେ ଆଶ୍ରୟ ନେଇଥିବା ପୁଲିସ ଟ୍ରାକିଂରୁ ଜାଣିବାକୁ ପାଇବା ପରେ ପୁଲିସ ବିଳମ୍ବିତ ରାତିରେ ଏହି ଚଢଉ ଆରମ୍ଭ କରିଥିଲା । ଫଳରେ ଗୋଟିଏ ଘରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇପାରିଛି । ପୁଲିସ ପକ୍ଷରୁ ଜଣାପଡିଛି ଯେ ପୂର୍ବ ଶତ୍ରୁତାକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ଓ ମାରପିଟ ହୋଇଥିଲା । ଏହି ଘଟଣାକୁ ନେଇ ଅଭିଯୁକ୍ତ ମାନେ ମୃତ ସତ୍ୟଜିତଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ । ଗତକାଲି ମୃତ ସତ୍ୟଜିତ ତାଳପଦା ଅଂଚଳରୁ କାମ ସାରି ଘରକୁ ଫେରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଏହି ତିନିଜଣ ତାଙ୍କୁ ଅଟକାଇ ଲୁହାରଡରେ ତାଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ । ଘଟଣାସ୍ଥଳେ ତାଙ୍କର ମୃତ୍ୟୁ ହୋଇଯିବା ଭାବି ଅଭିଯୁକ୍ତ ମାନେ ସେଠାରୁ ଏକ ଅଟୋରେ ବସି ଧାମନଗରରୁ କୋଠାର ପର୍ଯ୍ୟନ୍ତ ଯାଇଥିଲେ । ପରେ ଏକ ବାଇକ ସହାୟତାରେ ଗୋଛାୟତସାହିରେ ପହଂଚି ଥିଲେ । ଆଜି ଭୋରୁ ସେମାନେ ଅନ୍ୟତ୍ର ପଳାଇଯିବାର ଯୋଜନା ଥିଲା ବୋଲି ପୁଲିସ ପ୍ରକାଶ କରିଛି । ଏନେଇ ଥାନାରେ କେଶ ନଂ-୨୪୧/୨୦ରେ ଏକ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.