Home ଜିଲ୍ଲା ପରିକ୍ରମା ଜମି ବିବାଦର ସମାଧାନ ନହେଉଣୁ ଚାଲିଲା ବୁଲଡୋଜର,ବାସହରା ହେବା ଆଶଙ୍କାରେ ଆଦିବାସୀ ପରିବାର

ଜମି ବିବାଦର ସମାଧାନ ନହେଉଣୁ ଚାଲିଲା ବୁଲଡୋଜର,ବାସହରା ହେବା ଆଶଙ୍କାରେ ଆଦିବାସୀ ପରିବାର

1

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜମିବାଡ଼ି ବିବାଦକୁ ନେଇ ଦୁଇ ପକ୍ଷ ଇନ୍ଦ୍ରଜିତ ସିଙ୍ଗ ଓ ଅକ୍ଷୟ କୁମାର ବେହେରାଙ୍କ ମଧ୍ୟରେ ଦୀର୍ଘଦିନ ଧରି ଲାଗିରହିଛି ବିବାଦ। ମାମଲା କୋର୍ଟରେ ବିଚାରାଧୀନ ଥିବା ଦାବି କରାଯାଉଥିବା ବେଳେ ରାତିରେ ବୁଲଡୋଜର ଲଗାଇ ସେଠାରେ ରହୁଥିବା କିଛି ଆଦିବାସୀ ପରିବାରଙ୍କ ଅସ୍ଥାୟୀ ବାସସ୍ଥାନ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ଭଦ୍ରକ ପୌରାଂଚଳ ଅଧୀନ ୧୬ ନମ୍ବର ୱାର୍ଡର ବାଇପାସ୍ ଛକ ନିକଟରେ ଘଟିଛି।ସୂଚନା ଅନୁଯାୟୀ, ଉକ୍ତ ସ୍ଥାନରେ ଦୀର୍ଘଦିନ ଧରି କିଛି ଆଦିବାସୀ ପରିବାର ଛପର ଓ ପାଲ ଟାଣି ଅସ୍ଥାୟୀ ଭାବେ ବସବାସ କରିଆସୁଥିଲେ। ଅନ୍ୟପଟେ ସମ୍ପୃକ୍ତ ଜମିର ମାଲିକାନାକୁ ନେଇ ଦୁଇ ପକ୍ଷ ମଧ୍ୟରେ ବିବାଦ ରହିଥିବା ସହ ମାମଲା କୋର୍ଟରେ ବିଚାରାଧୀନ ଥିବା କୁହାଯାଉଛି।ତେବେ ସୋମବାର ରାତି ପ୍ରାୟ ୯ଟା ସମୟରେ ଦ୍ୱିତୀୟ ପକ୍ଷ ଅକ୍ଷୟ କୁମାର ବେହେରାଙ୍କ ପକ୍ଷରୁ ବୁଲଡୋଜର ଲଗାଇ ସେଠାରେ ଭଙ୍ଗାରୁଜା କରାଯାଇଥିବା ନେଇ ଇନ୍ଦ୍ରଜିତ ସିଙ୍ଗଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ପୋଲିସ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ତୁରନ୍ତ କୌଣସି ସୁଫଳ ମିଳିନଥିବା ମଧ୍ୟ ଅଭିଯୋଗ ହୋଇଛି। ଏବେ ପ୍ରଶ୍ନ ଉଠୁଛି, ଯଦି ଜମିକୁ ନେଇ ବିବାଦ ରହିଛି ଏବଂ ମାମଲା କୋର୍ଟରେ ବିଚାରାଧୀନ ଅଛି, ତେବେ ରାତିରେ କେଉଁ ପରିସ୍ଥିତିରେ ବୁଲଡୋଜର ଲଗାଇ ଭଙ୍ଗାରୁଜା କରାଗଲା। ଏଥିପାଇଁ କୌଣସି ପ୍ରଶାସନିକ କିମ୍ବା ଆଇନଗତ ଅନୁମତି ରହିଥିଲା କି। ଆଉ ମୁଣ୍ଡ ଗୁଞ୍ଜିବାକୁ ଅସ୍ଥାୟୀ ଛପରକୁ ଭରସା କରିଥିବା ପରିବାରଗୁଡ଼ିକ ଏବେ ନିଜ ପିଲାଛୁଆଙ୍କୁ ଧରି ଯିବେ କୁଆଡ଼େ। ତେବେ ଜମିର ପ୍ରକୃତ ମାଲିକାନା କାହାର, କୋର୍ଟରେ ମାମଲାର ବର୍ତମାନ ସ୍ଥିତି କଣ ଏବଂ ଭଙ୍ଗାରୁଜା ପଛରେ କେଉଁ ପରିସ୍ଥିତି ରହିଥିଲା—ଏନେଇ ଉଭୟ ପକ୍ଷ ଓ ପ୍ରଶାସନର ସ୍ପଷ୍ଟୀକରଣ ପରେ ହିଁ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.