Home ଜିଲ୍ଲା ପରିକ୍ରମା ଗୌରାଙ୍ଗପୁର ଏସ୍‌କେପ ମରାମତି ନାଁରେ ଅର୍ଥ ହରିଲୁଟ, ଅଧାରୁ କାମ ଛାଡି ଠିକାଦାର ଫେରାର

ଗୌରାଙ୍ଗପୁର ଏସ୍‌କେପ ମରାମତି ନାଁରେ ଅର୍ଥ ହରିଲୁଟ, ଅଧାରୁ କାମ ଛାଡି ଠିକାଦାର ଫେରାର

60

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ ବୈତରଣୀ ନଦୀ ବନ୍ୟାରେ କ୍ଷତିଗ୍ରସ୍ତ ଏହି ଜିଲାର ଧାମନଗର ବ୍ଲକ୍ ଗୌରାଙ୍ଗପୁର ଏସକେପ୍‌ର ଜଳସେଚନ ବିଭାଗ ମରାମତି କାର୍ଯ୍ୟ କରିଛି । ବନ୍ୟା ମୁକାବିଲା ପାଇଁ ଥିବା ଜରୁରୀକାଳୀନ ପାଣ୍ଠିରୁ ଏହି ଅସ୍ଥାୟୀ ବନ୍ଧ କରାଯାଇଛି । ଏହି ଏସକେପ୍‌ର ପ୍ରୋଟେକସନ ୱାଲ ଠାରୁ ଉପର ନଦୀପାଶ୍ୱର୍କୁ ଏବେ ପ୍ରାୟ ୬ ଶହ ମିଟର ଲମ୍ବର ଗୋଟିଏ ଅସ୍ଥାୟୀ ବନ୍ଧ କରାଯାଇଛି । ଏହି ବନ୍ଧଟି ଡାଙ୍ଗୁଆପାଟଣା ଠାରୁ ଆରମ୍ଭ ହୋଇ ନଦୀପଠାରେ ଯାଇ ଗୌରାଙ୍ଗପୁରରେ ଲାଗିବା କଥା । କିନ୍ତୁ ଏଠାରେ ଦୁଇ ଧାରରେ କାଠବହ୍ଲା ପୋତାଯାଇଛି, ମଝିରେ ବାଲିବସ୍ତା ଭର୍ତ୍ତି କରାଯିବା ସ୍ଥାନରେ ମାଟି ଭର୍ତ୍ତି କରାଯାଇଛି । ତେବେ ଏହି ନିର୍ମାଣ କାମ ନିମ୍ନମାନର ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଦୁର୍ବଳ କାଠବହ୍ଲା ପୋତାଯାଇଥିବାବେଳେ ବସ୍ତା ବି ଦୁର୍ବଳ ରହୁଛି । ଅର୍ଥାତ୍ ବାଲିବସ୍ତାର କଂପାଉଣ୍ଡିଂ ଠିକ୍ ଭାବେ ହେଉନାହିଁ । ଯାହାଫଳରେ ପୁଣି ବନ୍ୟା ଆସିଲେ ବାଲିବସ୍ତା ମଝିରେ ପାଣି ଘଳିଆ ପଡି ବନ୍ଧ ଭାଙ୍ଗିଯିବାର ଆଶଙ୍କା ରହିଛି । କେବଳ ଏତିକି ନୁହେଁ ନିର୍ମାଣ ସ୍ଥଳରେ ବିଭାଗୀୟ ଅଧିକାରୀ କିମ୍ବା କନିଷ୍ଠ ଯନ୍ତ୍ରୀ କେହି ରହିନାହାଁନ୍ତି । ବର୍ଷାଋତୁ ସରିନଥିବାରୁ ବନ୍ୟା ଆଶଙ୍କା ମଧ୍ୟ ଟଳିନାହିଁ ।

ଏଣୁ ଏ ପରିସ୍ଥିତିରେ କେବଳ ନାମକୁ ମାତ୍ର ସ୍ଥିତି ସମ୍ଭାଳିବା ଲାଗି ଏସ୍‌କେପ୍ ମରାମତି ନାମରେ ବ୍ୟାପକ ଅର୍ଥ ହରିଲୁଟ ହେଉଛି ବୋଲି ଅଭିଯୋଗ ଉଠିଛି । ବନ୍ୟାଋତୁ ସରିବା ପରେ ନଭେମ୍ବର-ଡିସେମ୍ବର ମାସରେ ମେଗା ପ୍ରୋଜେକ୍ଟ ଭାବେ ଏହାର ଟେଣ୍ଡର କରାଯାଇ କାମ ହୋଇପାରେ ବୋଲି କୁହାଯାଉଥିଲା । ତେବେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ଏହି ମରାମତି କାର୍ଯ୍ୟ ହେଉଥିବାବେଳେ ନିମ୍ନମାନର କାମ ସହ ଅଧାପନ୍ତରିଆ କରି ଠିକାଦାର ସେଠାରୁ ଫେରାର ହୋଇଯାଇଛନ୍ତି । ସେପଟେ ସଂପୂର୍ଣ୍ଣ ଭାବେ କାମ ସରିନଥିବାରୁ ନଦୀରେ ବନ୍ୟା ଆସିଲେ ଲୋକେ ପୁଣି ଭୟଭୀତ ଅବସ୍ଥାରେ ବିପନ୍ନ ହେବାର ଆଶଙ୍କା ଥିବାର ଠିକାଦାର ତାର ସମସ୍ତ ସାମଗ୍ରୀ ନେଇ ପଳାଇବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଗୋଟିଏ ପଟେ ମରାମତି ନାମରେ ଠିକ୍ କାର୍ଯ୍ୟ ନକରି ଠିକାଦାର ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରୁଥିବାବେଳେ ଅନ୍ୟପଟେ କିଛିସ୍ଥାନରେ ଆଡିବନ୍ଧ ଫୁଟେ/ଦୁଇଫୁଟ ଉଚ୍ଚରେ ନିର୍ମାଣ ହେବା ଫଳରେ ସାମାନ୍ୟ ବନ୍ୟାରେ ତାହା ଧୋଇଯିବାର ସମ୍ଭାବନାକୁ ବଳବତ୍ତର କରିଛି । କେତେକ ଚାଷଜମିରେ ଠିକାଦାର କିଛି ବାଲିବସ୍ତା ରଖିଥିବାରୁ ଚାଷୀମାନେ ମଧ୍ୟ ସେମାନଙ୍କ ଚାଷକାର୍ଯ୍ୟ କରିପାରୁନାହାଁନ୍ତି । ତେବେ ଗୋଟିଏ ପଟେ ଏ ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଥିବାବେଳେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଯାହା କୁହନ୍ତି କାମ ସଂପୂର୍ଣ୍ଣ ସରିଯାଇଛି, କୌଣସି ନିମ୍ନମାନର ହୋଇନାହିଁ । ମାତ୍ର ସ୍ଥାନୀୟ କଂଗ୍ରେସ ନେତା ଅଭିଷେକ ରାଉତ ଏହି ମରାମତି କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଏ ଦିଗରେ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.