Home ଜିଲ୍ଲା ପରିକ୍ରମା କେନ୍ଦ୍ର ସାହିତ୍ୟ ଏକାଡେମୀ ବିଜ୍ଞାନ-ସଂପାନରେ କମଳାକାନ୍ତ ଜେନା

କେନ୍ଦ୍ର ସାହିତ୍ୟ ଏକାଡେମୀ ବିଜ୍ଞାନ-ସଂପାନରେ କମଳାକାନ୍ତ ଜେନା

46

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଦିଲ୍ଲୀଠାରେ ଚଳିତ ମାର୍ଚ୍ଚ ୧୦ ରୁ ୧୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସାହିତ୍ୟ ଏକାଡେମୀର ବାର୍ଷିକ ସାହିତ୍ୟ ଉତ୍ସବ ‘ଫେଷ୍ଟିଭାଲ ଅଫ୍ ଲେଟର୍ସ୍‌’ ପାଳିତ ହେବ। ଏହି ଉତ୍ସବର ବିଜ୍ଞାନ-ସମ୍ପାନରେ ଯୋଗଦେବା ପାଇଁ ବିଶିଷ୍ଟ ଜନପ୍ରିୟ ବିଜ୍ଞାନ ଲେଖକ ତଥା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରଫେସର କମଳାକାନ୍ତ ଜେନାଙ୍କୁ ନିମନ୍ତ୍ରଣ କରାଯାଇଛି। ପ୍ରଫେସର ଜେନା ୧୩ ତାରିଖ ରବିବାର ଦିନ ସେଠାରେ ନିଜର ବକ୍ତବ୍ୟ ରଖିବେ। ଦିଲ୍ଲୀସ୍ଥିତ ରବୀନ୍ଦ୍ର ଭବନ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ଆଲୋଚନା ଚକ୍ରରେ ତାଙ୍କ ବକ୍ତବ୍ୟର ଶୀର୍ଷକ ରହିବ – “ଫାନ୍‌ଟାସୀ ଆଣ୍ଡ୍ ସାଇନ୍ସ ଫିକ୍ସନ୍ ଇନ୍ ଓଡ଼ିଆ ଲାଙ୍ଗୁଏଜ୍ ସିନ୍‌ସ୍ ୧୯୪୭” (୧୯୪୭ ମସିହା ପରେ ଓଡ଼ିଆ ଭାଷାରେ କଳ୍ପବିଜ୍ଞାନ)। ତାଙ୍କ ସହିତ ଭାରତର ଆଉ ଯେଉଁ ୫ ଜଣ ବିଶିଷ୍ଟ ଲେଖକ ଏହି ଆଲୋଚନା ଚକ୍ରରେ ଭାଗ ନେବେ, ସେମାନେ ହେଲେ – ରତ୍ନା ତାମୁଲି (ଅସାମିୟା), ରଜତ ଚୌଧୁରୀ (ଇଂରାଜୀ), ଜୋସେଫ୍ ତୁସକାନୋ (ମରାଠୀ), ଜନାର୍ଦ୍ଦନ ହେଗଡ଼େ (ସଂସ୍କ୍‌ୃତ) ଓ ଇରା ନଟରାସନ୍ (ତାମିଲ)। ଅଦ୍ୟାବଧି ବିଭିନ୍ନ ପତ୍ରପତ୍ରିକାରେ ପ୍ରଫେସର ଜେନାଙ୍କର ୧୨୦୦ରୁ ଅଧିକ ବିଜ୍ଞାନପାଠ ଓ ୩୨ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି। ୨୦୧୨ ମସିହାରେ ଜାତୀୟ ବିଜ୍ଞାନ କଂଗ୍ରେସ୍‌ରେ ବିଶିଷ୍ଟ ବିଜ୍ଞାନ ଲେଖକ ଭାବରେ ସେ ଓଡିଶାର ପ୍ରତିନିଧିତ୍ୱ କରିଥିଲେ। ଜନପ୍ରିୟ ବିଜ୍ଞାନ ରଚନା ପାଇଁ ତାଙ୍କୁ ୨୦୧୧ ମସିହାରେ ‘ଓଡିଶା ବିଜ୍ଞାନ ଏକାଡେମୀ’ ପୁରସ୍କାର ପ୍ରଦାନ କରାଯାଇଥିଲା।

ଓଡିଶା ସରକାରଙ୍କର ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ତାଙ୍କୁ ୨୦୦୭ ମସିହାରେ ‘ପ୍ରକୃତି ବନ୍ଧୁ’ ପୁରସ୍କାର ଦିଆଯାଇଥିଲା। ଆକାଶବାଣୀରେ ତାଙ୍କର ୮୦ରୁ ଅଧିକ ବିଜ୍ଞାନ ଭିତିକ ଆଲୋଚନା ଓ ଆଜିର ପ୍ରସଙ୍ଗ ପ୍ରସାରିତ ଏବଂ ଦୂରଦର୍ଶନରେ ୧୮ଟି ବିଜ୍ଞାନ ଭିତିକ ଆଲୋଚନା ପ୍ରସାରିତ। ଲଘୁଗଳ୍ପ ସଂକଳନ-୨୦୧୬ ପାଇଁ “କେନ୍ଦ୍ର ସାହିତ୍ୟ ଅକାଦେମି” ଦ୍ୱାରା ତାଙ୍କର ବ୍ୟଙ୍ଗଗଳ୍ପ ମନୋନୀତ ଓ ଓଡିଆ ଶିଶୁଗଳ୍ପ ସଂକଳନ-୨୦୧୫ ପାଇଁ “ଓଡିଶା ସାହିତ୍ୟ ଏକାଡେମୀ” ଦ୍ୱାରା ତାଙ୍କର ବିଜ୍ଞାନଗଳ୍ପ ମନୋନୀତ। ୨୦୧୮ ମସିହାରେ ତାଙ୍କର ରେଡିଓ ନାଟକ ‘ଅଜ୍ଞ-ବିଜ୍ଞ-ବିଜ୍ଞାନ’ ସର୍ବଭାରତୀୟ ସ୍ତରରେ ପ୍ରଥମ ପୁରସ୍କାର ଲାଭ କରିଥିଲା। ସାରସ୍ୱତ କୃତି ନିମନ୍ତେ ସେ ଗୁରୁଗୌରବ ସମ୍ମାନ, ସଂସାର ସମ୍ମାନ, ଶ୍ରୀକ୍ଷେତ୍ର ଶିଶୁସାହିତ୍ୟ ସମ୍ମାନ, ତେଲିଙ୍ଗିବାଜା ବିଜ୍ଞାନ ସମ୍ମାନ, ଇନ୍‌ଟାକ୍ ବିଜ୍ଞାନ ସମ୍ମାନ ଓ ଗଂଗାଧର ଶିଶୁସାହିତ୍ୟ ସମ୍ମାନର ଅଧିକାରୀ। ସେ ଉତ୍କଳ ସାହିତ୍ୟ ସମାଜ, ବିଜ୍ଞାନ ପ୍ରଚାର ସମିତି, ରାଜ୍ୟ ଯୁବ ରେଡକ୍ରସ, କେନ୍ଦ୍ରୀୟ ବିଦ୍ୟାଳୟ, ଇସ୍ପାତ ସାହିତ୍ୟ ସଂସଦ, ରୋଟାରୀ କ୍ଲବ ଓ ଏକାଧିକ ସଂସ୍ଥା ଦ୍ୱାରା ସମ୍ବର୍ଦ୍ଧିତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.