Home Coronavirus Outbreak ଏକ ନମ୍ବର ଲକ୍ଷ୍ୟରେ ଧ୍ୱଂସ ମୁହାଁ ଓଡିଶା !

ଏକ ନମ୍ବର ଲକ୍ଷ୍ୟରେ ଧ୍ୱଂସ ମୁହାଁ ଓଡିଶା !

421

ଗତ କାଲି କଟକରୁ ୭୦ଲକ୍ଷ ଟଙ୍କାର ନକଲି ଫାଭିଫରାଭିରି ଔଷଧ ଜବତ ହୋଇଛି। କାଲି ସିନା ଏହି ନକଲି ଔଷଧ ଧରାପଡିଲା ମାତ୍ର କେବେ ଠାରୁ ଏହି ନକଲି ଔଷଧ ଖାଇ କେତେ ରୋଗୀ ମରିଛନ୍ତି ତାର ହିସାବ କିଛି ନାହିଁ। କି ଜଙ୍ଘନ୍ୟ କାରବାର। ଆମ ରାଜ୍ୟ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସର୍ବଦା ଗୋଟିଏ ସ୍ଲୋଗାନ ରାଜ୍ୟର ସାଢେ ଚାରି କୋଟି ଜନତା ମୋ ପରିବାରର ସଦସ୍ୟ। ଏମାନଙ୍କ ସମସ୍ୟା ମୋର ନିଜସ୍ୱ ସମସ୍ୟା। ମାତ୍ର ବାସ୍ତବ ଚିତ୍ର ଆଜି ସଂପୂର୍ଣ୍ଣ ଅଲଗା। ମୁଖ୍ୟମନ୍ତ୍ରୀଙ୍କର ସ୍ଲୋଗାନ କେବଳ କାଗଜ କଲମରେ ସିମୀତ ରହି ଯାଇଛି ବୋଲି ରାଜ୍ୟବାସୀ ହୃଦୟଙ୍ଗମ କରୁଛନ୍ତି। ସାରା ରାଜ୍ୟକୁ ଏବେ ମହାମାରୀ କରୋନା ଗ୍ରାସ କରିଛି। ଦୀର୍ଘ ଦୁଇ ବର୍ଷ ହେଲା ସାରା ବିଶ୍ୱ ଆଜି ଏହି ମହାମାରୀ ସହିତ ଲଢେଇ କରୁଛି। ଓଡିଶା ଅବସ୍ଥା ମଧ୍ୟ ସମାନ। ଲକ୍ଷାଧିକ ଜନତା କରୋନା ଦ୍ୱାରା ଆକ୍ରାନ୍ତ ହୋଇ ସାରିଲେଣି। ଶହ ଶହ ଜନତା ମୃତ୍ୟୁ ମୁଖରେ ପଡି ସାରିଲେଣି। ଓଡିଶା ଏକ ଗରୀବ ରାଜ୍ୟ। ଏହି ମହାମାରୀ କରୋନା କବଳରୁ ରକ୍ଷା ପାଇବା ପାଇଁ ସାଧାରଣ ଜନତା ସେମାନଙ୍କର ଘରଦ୍ୱାର, ଜମିବାଡି ଆଦି ବିକ୍ରି କରି ତଳିତଳାନ୍ତ ହୋଇ ସାରିଲେଣି। ମାତ୍ର ସରକାରୀ ସ୍ୱାସ୍ଥ୍ୟ ସେବା କେବଳ କାଗଜକଲମ ଓ ବିଜ୍ଞାପନରେ ସିମୀତ। ସାଧାରଣ ଜନତା ସୁଲଭ ଚିକିତ୍ସା ଗଣ୍ଡେ ପାଇବା ଦୁଃସ୍ୱପ୍ନ ହୋଇ ଗଲାଣି। ବର୍ତମାନ ପରିସ୍ଥିତି ଏପରି ଯାହା ଜଣା ପଡୁଛି ସରକାରୀ କଳ କେବଳ ଧନୀ ଅବା ବଡବଡିଆଙ୍କ ପାଇଁ ବେଶୀ ଚିନ୍ତିତ।

ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ସରକାରୀ କୋଭିଡ ଡାକ୍ତରଖାନାର ଅବସ୍ଥା ନ କହିବା ଭଲ। ଏଠି କେବଳ ସାଧାରଣ ଲୋକ ଚିକିତ୍ସିତ ହେଉଛନ୍ତି। ସରକାର ଏଠାରେ ଚିକିତ୍ସିତ ହେଉଥିବା କୋଭିଡ ରୋଗିଙ୍କର ମାଗଣାରେ ଚିକିତ୍ସା କରାଉଛନ୍ତି। ଏହି ସରକାରୀ ଅନୁବନ୍ଧିତ କୋଭିଡ ଡାକ୍ତରଖାନାର କଳାର ରୂପ ବାରମ୍ବାର ବିଭିନ୍ନ ମିଡିଆରେ ପ୍ରକାଶ ପାଉଛି। ଏଠାରେ ଜଣେ କୋଭିଡ ରୋଗୀ ପ୍ରବେଶ କଲେ ଘରକୁ ଫେରିବାର ଆଶା କମ୍। ତା ଛଡା ଘରୋଇ ଡାକ୍ତରଖାନାରେ ମଧ୍ୟ କୋଭିଡ ରୋଗୀ ଚିକିତ୍ସା କରାଇ ପାରିବେ। ଏଥିପାଇଁ ସରକାର ନିର୍ଦ୍ଦିଷ୍ଟ ଦର ନିର୍ଦ୍ଦାରଣ କରିଛନ୍ତି। ମାତ୍ର ତାହାର ଧଜିଆ ଉଡୁଛି। ଘରୋଇ ଡାକ୍ତରଖାନାରେ ଯେଉଁପରି ଭାବରେ ସାଧାରଣ କରୋନା ରୋଗୀକୁ ଲୁଟୁଛନ୍ତି ତାହା ଅବର୍ଣ୍ଣନୀୟ। ସରକାରୀ ବାବୁ ଓ ପ୍ରଭାବଶାଳୀ ଲୋକଟିଏ କରୋନାରେ ଆକ୍ରାନ୍ତ ହୋଇ ଘରୋଇ ଡାକ୍ତରଖାନାକୁ ଗଲେ ସରକାରଙ୍କର ନୀତି ନିୟମ ପାଳନ ହେଉଛି। ମାତ୍ର ସାଧାରଣ ଲୋକଟିଏ ଗଲେ ଘରଦ୍ୱାର, ଜମିବାଡି ବିକିବା ପର୍ଯ୍ୟନ୍ତ କଥା ଯାଉଛି। କରୋନାରେ ମୃତ୍ୟୁ ହୋଇଗଲେ ମୃତ ଦେହ ମଧ୍ୟ ହସ୍ତାନ୍ତର କରୁ ନାହାଁନ୍ତି ଘରୋଇ ଡାକ୍ତରଖାନାମାନେ। ଯେ ପର୍ଯ୍ୟନ୍ତ ପୁରା ପ୍ରାପ୍ୟ ଦାଖଲ ହୋଇ ନାହିଁ।

ଦ୍ୱିତୀୟ ଲହରୀର କରୋନାରେ ମନୁଷ୍ୟର ଫୁସଫୁସ ବେଶୀ ମାତ୍ରାରେ ସଂକ୍ରମିତ ହେଉଛି। ଫୁସଫୁସ ପ୍ରତିରୋପଣ ବା ଇକମୋ ପଦ୍ଧତିର ଚିକିତ୍ସା ଓଡିଶାରେ ନାହିଁ। ଗୁରୁତର ରୋଗୀ ଚିକିତ୍ସା ହେବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି। କୋଟିଏ ଉପରେ ଖର୍ଚ୍ଚ ଏହି ଚିକିତ୍ସା ପାଇଁ। କେବଳ ବଡ ବଡିଆ ଓ ଉଚ୍ଚପଦସ୍ଥ ସରକାରୀ ବାବୁ ଏୟାର ଲିଫ୍ଟ ହୋଇ ବାହାର ରାଜ୍ୟକୁ ଯାଉଛନ୍ତି ଚିକିତ୍ସା ହେବା ପାଇଁ। ସରକାର ଏହି ରୋଗୀମାନଙ୍କ ପାଇଁ କେତେ ଚିନ୍ତିତ ତାହା ରାଜ୍ୟବାସୀ ହୃଦୟଙ୍ଗମ କରୁଛନ୍ତି। ପୁରା ସରକାରୀ କଳ ଲାଗିଯାଉଛି ସେମାନଙ୍କ ଚିକିତ୍ସାପାଇଁ। ମାତ୍ର ସାଧାରଣ ରୋଗୀ ଭାଗ୍ୟକୁ ଆଦରି ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ପରିସ୍ଥିତି ଏପରି ହେଲାଣି ଗୁରୁତର କରୋନା ରୋଗୀଙ୍କର ପରିବାର ବିଭିନ୍ନ ମିଡିଆରେ ହାତ ପତେଇ ଅର୍ଥ ମାଗିବା ପର୍ଯ୍ୟନ୍ତ କଥା ଗଲାଣି। କାରଣ ଓଡିଶାରେ ଗୋଟିଏ ବା ଦୁଇଟି ଘରୋଇ ଡାକ୍ତରଖାନାରେ ଇକମୋ ମେସିନ ରହିଛି। ତେଣୁ ଶହା ଶହ ସଂଖ୍ୟାରେ ରୋଗୀ ଏହି ଚିକିତ୍ସାରୁ ବଂଚିତ। କରୋନା ମହାମାରୀକୁ ସୁଚାରୂ ରୂପେ ଓଡିଶା ସରକାର ତୁଲାଇ ପାରୁଛନ୍ତି ବୋଲି କୋଟି କୋଟି ଟଙ୍କା ବିଜ୍ଞାପନ ବାବଦରେ ଖର୍ଚ୍ଚ ହେଉଛି। ମାତ୍ର ଏହାର ନଗ୍ନ ବାସ୍ତବତା ରାଜ୍ୟବାସୀ ହୃଦୟଙ୍ଗମ କରୁଛନ୍ତି।

ବାହାଦୁରୀ ନେବା ପାଇଁ ରାଜ୍ୟ ସରକାର ଟୀକାର ଗ୍ଲୋବାଲ ଟେଣ୍ଡର ଡାକିଲେ। ସାରା ବିଶ୍ୱରେ ଏବେ ଟୀକାର ଘୋର ଅଭାବ। ବଡ ବଡ ଟୀକା ନିର୍ମାତା କଂପାନୀମାନେ ନଗଦ ଅର୍ଥ ନେଇ ସମୟାନୁସାରେ ବିଭିନ୍ନ ଦେଶକୁ ଟୀକା ଯୋଗାଇବାରେ ଅସମର୍ଥ। ତେଣୁ ଟେଣ୍ଡରରେ ସେମାନେ କାହିଁକି ବା ଅଂଶ ଗ୍ରହଣ କରିବେ। ଶୀତତାପ ନିୟଂତ୍ରୀତ କୋଠରୀରେ ବସି କିଛି ମୁଷ୍ଟିମେୟ ପ୍ରଶାସନିକ ଅଧିକାରୀ ଓଡିଶାକୁ ବିଶ୍ୱସ୍ତରୀୟ ରାଜ୍ୟରେ ପରିଣତ କରାଇବା ପାଇଁ ଯେଉଁ ପ୍ରୟାସ ଚଳାଇଛନ୍ତି ତାହା ସଂପୂର୍ଣ୍ଣ ହାସ୍ୟାସ୍ପଦ। ମିଛକୁ ଘୋଡାଇବାକୁ ଯାଇ ରାଜ୍ୟ ସରକାର ବାରମ୍ବାର ମିଛ କହି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ଟେଣ୍ଡର ପ୍ରକ୍ରିୟା ଚାଲିଛି, କିଛିଟା ସଂଶୋଧନ କରି ଟେଣ୍ଡର ତାରିଖ ଘୁଂଚା ଯାଇଛି, ଶେଷକୁ କହିଲେ ଦୁଇଟା କଂପାନୀ ଟେଣ୍ଡରରେ ଅଂଶ ଗ୍ରହଣ କରିଛନ୍ତି। ଆମେ ତର୍ଜ୍ଜମା କରୁଛୁ। ଏ ପ୍ରକ୍ରୀୟା ଚଳଚିତ୍ରର କାହାଣୀ ଠାରୁ କୌଣସି ମତେ କମ୍ ନୁହଁ। ପରିଶେଷରେ କେନ୍ଦ୍ରସରକାର ଘୋଷଣା କଲେ ଆସନ୍ତା ଜୁନ ୨୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ଭାରତୀୟଙ୍କୁ କେନ୍ଦ୍ର ସରକାର ମଗେଣାରେ ଟୀକା ଦେବେ। କୌଣସି ରାଜ୍ୟ ଏଥିପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏହା ପରେ ମଧ୍ୟ ଓଡିଶା ସରକାର ନିଜ ଫଟା ବାହାଦୁରି ପଣିଆକୁ ମାନିବା ପରିବର୍ତେ ଘୋଷଣା କରୁଛି ଟୀକା ଟେଣ୍ଡର ପ୍ରକ୍ରୀୟାକୁ କିଛି ଦିନ ପାଇଁ ଘୁଂଚାଗଲା। କଥାରେ ଅଛି ଅନ୍ଧ ଦେଶେ ଗଲି ଦର୍ପଣ ବିକି। ସେହି ନ୍ୟାୟରେ ଚାଲୁଛି ଓଡିଶା ସରକାର।

କରୋନାର ତୃତୀୟ ଲହରୀ ଆସିବ ବୋଲି ଆକଳନ କରାଯାଉଛି। ଶିଶୁମାନେ ଏଥିରେ ବେଶୀ ପ୍ରଭାବିତ ହେବେ ବୋଲି ବିଶ୍ୱର କିଛି ପ୍ରଗତିଶୀଳ ରାଷ୍ଟ୍ର ଅନୁମାନ କରୁଛନ୍ତି। ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଆକଳନ କେହି କରି ପାରି ନାହାଁନ୍ତି। ମାତ୍ର ଆମ ରାଜ୍ୟ ଓଡିଶା ତୃତୀୟ ଲହରୀରୁ ଶିଶୁମାନଙ୍କୁ ବଂଚାଇବା ପାଇଁ ଏବେ ଠାରୁ ମାଷ୍ଟରପ୍ଲାନ ପ୍ରସ୍ତୁତ କରି ସାରିଲାଣି। ଆଙ୍ଗନବାଡି କର୍ମୀ ଗାଁକୁ ଗାଁ ବୁଲି ପିଲାଙ୍କ ଥର୍ମାଲ ସ୍କ୍ରିନିଂ, ହାତ ସାନିଟାଇଜ କରିବା, ମାସ୍କ ପିନ୍ଧାଇବା ଆଦି କାମରେ ଲାଗି ପଡିଲେଣି। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ବାରମ୍ବାର କହୁଛି ତୃତୀୟ ଲହରୀରେ ଶିଶୁମାନେ ଆକ୍ରାନ୍ତ ହେବେ ବୋଲି କୌଣସି ବି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ଏପରିକି ଶିଶୁମାନଙ୍କୁ ମାସ୍କ ପିନ୍ଧାଇଲେ ତାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ମଧ୍ୟ ଦେଇ ସାରିଲାଣି। ମାତ୍ର ଆମ ରାଜ୍ୟର ବିଭିନ୍ନ ମିଡିଆରେ ଦେଖା ଯାଉଥିବା ୪/୫ ଜଣ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଶୀତତାପ କୋଠରୀରେ ବସି କରୋନା ନିୟଂତ୍ରଣ କରୁଥିବା ବାବୁମାନେ କାଗଜକଲମରେ କରୋନାରେ ତୃତୀୟ ଲହରୀରେ ଶିଶୁ ମାନଙ୍କଏକ ପ୍ରକାର ଆକ୍ରାନ୍ତ କରାଇ ସାରିଲେଣି।

କରୋନାର ପ୍ରଥମ ଓ ଦ୍ୱିତୀୟ ଲହରୀରେ ଧ୍ୱଂସ୍ତବିଧ୍ୱଂସ୍ତ ଜନଜୀବନକୁ ସଜାଡିବାର କୌଣସି ଯୋଜନା ସରକାରଙ୍କ ପାଖରେ ନାହିଁ। ରାଜ୍ୟର ଆର୍ଥିକ ଓ ସ୍ୱାସ୍ଥ୍ୟ ସେବା ରସାତଳଗାମୀ ହେଲାଣି। ମାତ୍ର ସରକାରଙ୍କର ସେଥିପ୍ରତି ନିଘା ନାହିଁ ବୋଲି ବୁଦ୍ଧିଜୀବୀମାନେ ମତପୋଷଣ କରୁଛନ୍ତି। କେବଳ ଏକ ନମ୍ବର ରାଜ୍ୟ ଓ ଓଡିଶାର ମୁଖ୍ୟମନ୍ତ୍ରୀ କିପରି ବିଶ୍ୱର ଏକ ନମ୍ବର ଜନନାୟକ ହେବେ ସେଥିପାଇଁ ପ୍ରଶାସନିକ କଳ ଲାଗି ପଡିଛି। ସାଧାରଣ ଗରୀବର ଜୀବନ ଯାଉ ଚୁଲିକୁ। କଥାରେ ଅଛି ମହାମାରୀ କାହାପାଇଁ ସର୍ବନାଶ ତ କାହାପାଇଁ ପୁଷମାସ।

ଫ୍ରିୟରଂଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.