Home ଜିଲ୍ଲା ପରିକ୍ରମା ଉଦ୍‌ଘାଟନର ଦୁଇବର୍ଷ ନପୁରୁଣୁ ହାଟ ଫଳକ ଭାଙ୍ଗିଲା : ଭେଣ୍ଡିଂ ଜୋନ୍ ନିର୍ମାଣ ଆଳରେ ହରିଲୁଟ

ଉଦ୍‌ଘାଟନର ଦୁଇବର୍ଷ ନପୁରୁଣୁ ହାଟ ଫଳକ ଭାଙ୍ଗିଲା : ଭେଣ୍ଡିଂ ଜୋନ୍ ନିର୍ମାଣ ଆଳରେ ହରିଲୁଟ

109

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉଦ୍‌ଘାଟନ ହେବାର ମାତ୍ର ୨ ବର୍ଷ ନପୁରୁଣୁ ହାଟ ଫଳକ ଭାଙ୍ଗି ପଡିଲା। ଭେଣ୍ଡିଂଜୋନ୍ ନିର୍ମାଣ ଆଳରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଇଥିବା ଅଭିଯୋଗ ହୋଇଛି। ନିମ୍ନମାନର କାମ ଏବଂ ପିସି କାରବାର ଯୋଗୁଁ ହାଟଫଳକ ଭାଙ୍ଗି ଅକାମୀ ହୋଇଗଲା ବୋଲି କୁହାଯାଉଛି। ଭଦ୍ରକ ସହର ପୁରୁଣାବଜାର ଅଂଚଳରେ ରହିଛି ଭଦ୍ରକର ଇତିହାସ ପ୍ରସିଦ୍ଧ ବୁଧବାର ହାଟ। ବ୍ରିଟିସଶ ଅମଳରୁ ପ୍ରତିଷ୍ଠା କରାଯାଇଥିବା ଏହି ହାଟ ସପ୍ତାହରେ ଦୁଇଦିନ ବସିଥାଏ। ବୁଧବାର ଏବଂ ରବିବାର ଦୁଇଦିନ ଧରି ଏହି ହାଟ ବସୁଥିଲେ ମଧ୍ୟ ବୁଧବାର ଦିନ ବସୁଥିବା ଏହି ହାଟର ସ୍ୱତନ୍ତ୍ରତା ଯୋଗୁଁ ଏହି ହାଟର ନାମ ବୁଧବାର ହାଟ ବୋଲି ନାମିତ କରାଯାଇଥିଲା। ପ୍ରାୟ ଅଢେଇ ଏକର ପରିମିତ ଜମି ଉପରେ ବସୁଥିବା ଏହି ହାଟର ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ମିଳୁଥିବା ସମସ୍ତ ସାମଗ୍ରୀ ଉପଲବ୍ଧ ହେଉଥିଲା। ଭଦ୍ରକ ସହରବାସୀଙ୍କ ସହିତ ପାଖାପାଖି ଅଂଳଚର ହଜାର ହଜାର ଲୋକେ ଏହି ହାଟ ଉପରେ ନିର୍ଭରଶୀଳ ହେଉଥିଲେ। ଘରକରଣା ଜିନିଷ ଠାରୁ ଆରମ୍ଭ କରି ଲୁଗାପଟା-ମାଛ-ମାଂସ, ପନିପରିବା, ରାସନ ଏବଂ ବିବିଧ ପୂଜାସାମଗ୍ରୀ ପର୍ଯ୍ୟନ୍ତ ଏହି ହାଟରେ ଉପଲବ୍ଧ ହେଉଥିଲା ଏହା ଛଡା ଏଠାକାର ଗୋରୁ ହାଟ ଭାବେ ବିବେଚିତ ହେଉଥିଲା। ଲୋକେ ଦୈନନ୍ଦିନ ଆବଶ୍ୟକତା ସହିତ କର୍ମକର୍ମାଣି ମାର୍କେଟିଂ ଏହି ହାଟରୁ କରୁଥିଲେ। ହେଲେ ସମୟ ବଦଳିବା ସହିତ ଲୋକେ ହାଟ ଛାଡି ବଜାର ଏବଂ ସହରମୁହାଁ ହୋଇଥିଲେ। ଫଳରେ ହାଟର ଚାହିଦା ହ୍ରାସ ପାଇବାରେ ଲାଗିଥିଲା।

ଏହାର ସୁଯୋଗ ନେଇ ଜମି ମାଫିଆମାନେ ହାଟର ଏକର ଏକର ସଂପତ୍ତିକୁ ମାଡି ବସିବା ଯୋଗୁଁ ଏବେ ମାତ୍ର କେଇ ଡେସିମିଲ ଜମିରେ ଏହି ହାଟ ବଂଚି ରହିଛି। ଗତ ପ୍ରାୟ ଦୁଇବର୍ଷ ତଳେ ଭଦ୍ରକ ପୌରପାଳିକା ପକ୍ଷରୁ ହାଟର ପୁନରୁଦ୍ଧାର ଆରମ୍ଭ ହୋଇଥିଲା। ଜବରଦଖଲକାରୀଙ୍କ କବଳରୁ ହାଟ ଜମି ପୁନରୁଦ୍ଦାର କରାଯିବା ପରିବର୍ତ୍ତେ ବଂଚୁଥିବା ମାତ୍ର କେଇ ଡେସିମିଲ୍ ଜମିରେ ପୌରପାଳିକା ପକ୍ଷରୁ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇଥିଲା। ହଜାର ହଜାର ଟଙ୍କା ଖର୍ଚ୍ଚ କରାଯାଇ ହାଟଫଳକ ବସାଯିବା ସହିତ ୪୮ଟି ଭେଣ୍ଡିଂ ଜୋନ୍ ନିର୍ମାଣ କରି ବ୍ୟବସାୟୀଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା। ହାଟକୁ ସଂଯୋଗ କରୁଥିବା ରାସ୍ତାଘାଟ ଏବଂ ଭେଣ୍ଡିଂ ଜୋନ୍ ନିର୍ମାଣରେ ପୌରପାଳିକା ପକ୍ଷରୁ ଅନ୍ୟୁନ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଥିଲା। ତେବେ ନିମ୍ନମାନର କାମ ଯୋଗୁଁ ହାଟ ପୁନରୁଦ୍ଧାର ହେବାର ମାତ୍ର କେଇ ମାସ ମଧ୍ୟରେ ହାଟ ସଂଯୋଗୀକରଣ ରାସ୍ତା ସଂପୂର୍ଣ୍ଣ ଭାବେ ନଷ୍ଟଭ୍ରଷ୍ଟ ହୋଇ ପଡିଥିବାବେଳେ ଏବେ ହାଟ ଫଳକ ଭାଙ୍ଗି ମାଟିରେ ମିଶିଯାଇଛି। ହାଟ ପୁନରୁଦ୍ଧାରରେ ଏହି ଧରଣର ଆର୍ଥିକ ଅନିୟମିତତାକୁ ନେଇ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଥିବା ବେଳେ ବିଶିଷ୍ଟ ସମାଜସେବୀ ଲକ୍ଷ୍ମୀ ମହାପାତ୍ର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.