Home ଜିଲ୍ଲା ପରିକ୍ରମା ବିନା ସୂଚନା ଫଳକରେ ଚାଲିଛି ଗୃହ ନିର୍ମାଣ

ବିନା ସୂଚନା ଫଳକରେ ଚାଲିଛି ଗୃହ ନିର୍ମାଣ

76

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଅନୁଦାନରେ ଯେକୌଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟସ୍ଥଳ ନିକଟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରି ସେଥିରେ ସବିଶେଷ ସୂଚନା ଲେଖାଯିବାର ନିୟମ ଥିଲେ ସୁଦ୍ଧା ଭଦ୍ରକ ଜିଲା ବନ୍ତ ପଂଚାୟତ ସମିତି ପକ୍ଷରୁ ହେଉଥିବା ଉନ୍ନୟନ କାର୍ଯ୍ୟରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି। ଓଡ଼ିଶା ସରକାରଙ୍କ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଆମ ଗାଁ ଓ ଆମ ବିକାଶ ଯୋଜନାରେ ପଂଚାୟତ ସମିତି ବନ୍ତ ପକ୍ଷରୁ ବିଭିନ୍ନ ପଂଚାୟତରେ କମ୍ୟୁନିଟି ସେଣ୍ଟରମାନ ନିର୍ମାଣ କରାଯାଉଛି। ଯାହାର ଅଟକଳ ମୂଲ୍ୟ ପାଖାପାଖି ୫ ଲକ୍ଷ ୫୦ ହଜାର ଟଙ୍କା। ୨୦୧୮ ମସିହାରେ ଏହି ଯୋଜନା ରାଜ୍ୟ ସରକାରଙ୍କ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା। ଭଦ୍ରକ ଜିଲା ବନ୍ତ ବ୍ଲକ୍ ବଡବର୍ଚ୍ଚିକୟାଁ ପଂଚାୟତର ବିଭିନ୍ନ ଗ୍ରାମରେ ଏହି ଯୋଜନାରେ ଗୃହ ନିର୍ମାଣ ଚାଲିଛି। ଏହି ପରିପ୍ରେକ୍ଷୀରେ ଉକ୍ତ ପଂଚାୟତର ଆପ୍ତିରା ଗ୍ରାମରେ ଏକ କମ୍ୟୁନିଟି ସେଣ୍ଟର ମଧ୍ୟ ନିର୍ମାଣ ଚାଲିଛି। ଉକ୍ତ ଗୃହର ଗ୍ରେଡ୍‌ବିମ୍ କାର୍ଯ୍ୟ ଚାଲିଥିବାର ଦେଖିବାକୁ ମିଳିଥିଲା। ଫକଳ ନିର୍ମାଣ ହୋଇଥିଲେ ସୁଦ୍ଧା ଏଥିରେ କୌଣସି ସୂଚନା ଲେଖାଯାଇନଥିଲା। ତେଣୁ ସର୍ବସାଧାରଣରେ ସରକାର କେଉଁ ବିଭାଗରୁ ଅର୍ଥ ପ୍ରଦାନ କରିଛନ୍ତି, କେତେ ଅର୍ଥ ଅନୁଦାନ ପ୍ରଦାନ କରିଛନ୍ତି, କାହା ନାମରେ କାର୍ଯ୍ୟାଦେଶ ରହିଛି, କେଉଁ ଅଧିକାରୀ ତଦାରଖ କରୁଛନ୍ତି ଏବଂ କାର୍ଯ୍ୟାଦେଶର ଆରମ୍ଭ ଆଦି ସଂପର୍କରେ ସୂଚନା ଫଳକରେ ଲିପିବଦ୍ଧ ହେବାର ନିୟମ ରହିଛି।

ସରକାର ସୂଚନା ଫଳକ ନିର୍ମାଣ ଓ ସୂଚନା ଲେଖିବା ବାଧ୍ୟତାମୂଳକ କରିଥିବାବେଳେ ପଂଚାୟତ ସମିତି ବନ୍ତର ବିଭାଗୀୟ ଅଧିକାରୀମାନେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଉନ୍ନୟନ କାର୍ଯ୍ୟ କରିଚାଲିଛନ୍ତି। ତେଣୁ ଉକ୍ତ ଗ୍ରାମର ଗ୍ରାମବାସୀମାନେ ସୂଚନା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ କରିବା ସହ କିଛି ମାସ ପୂର୍ବେ ବିଭାଗ ପକ୍ଷରୁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏବଂ ଉକ୍ତ ଗୃହ ଗୋଚର ଜମିରେ ନିର୍ମାଣ ହେଉଥିବାର ଗ୍ରାମବାସୀମାନେ ଅଭିଯୋଗ କରିବାରୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏହି କାର୍ଯ୍ୟ ବନ୍ଦ କରିଦେଇଥିଲେ। କିନ୍ତୁ ପୁନଶ୍ଚ କାହା ଅନୁମତିରେ ଓ କିପରି ଏହି କାର୍ଯ୍ୟ ଆରମ୍ଭ ହୋଇଛି, ସେଥିନେଇ ମଧ୍ୟ ଅଭିଯୋଗ ଆଣିଥିଲେ। ଏହି ସମସ୍ୟାକୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅନିରୁଦ୍ଧ ବିଶ୍ୱାଳଙ୍କୁ ଯୋଗାଯୋଗ କରିବାରୁ ସେ କିଛି ଗ୍ରାମବାସୀ ଉକ୍ତ ସ୍ଥାନରେ ଗୃହ ନିର୍ମାଣକୁ ନେଇ ସହମତି ପ୍ରକାଶ କରିଥିବାର କହିବା ସହ ଯଦି ଆଗାମୀ ଦିନରେ ଏଥିନେଇ କୌଣସି ସମସ୍ୟା ଉପୁଜେ, ତେବେ ଏହି କାର୍ଯ୍ୟର ଅନୁଦାନ ରାଶି ପ୍ରଦାନ କରାଯିବ ନାହିଁ ବୋଲି ଆମ ପ୍ରତିନିଧିଙ୍କୁ କହିଥିଲେ। ସରକାର ଗ୍ରାମର ବିକାଶ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବିକାଶ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ତେଣୁ ଆପ୍ତିରା ଗ୍ରାମର ବିନା ସୂଚନାରେ ନିର୍ମିତ ହେଉଥିବାହ କମ୍ୟୁନିଟି ସେଣ୍ଟରକୁ ନେଇ ଉପୁଜିଥିବା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦୃଷ୍ଟି ଦେବାକୁ ଗ୍ରାମବାସୀମାନଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.