Home Coronavirus Outbreak ଆତ୍ମନିର୍ଭରଶୀଳରୁ ପରନିର୍ଭରଶୀଳ ହେଲାଣି ଭାରତ

ଆତ୍ମନିର୍ଭରଶୀଳରୁ ପରନିର୍ଭରଶୀଳ ହେଲାଣି ଭାରତ

133

ଭୁବନେଶ୍ୱର ୧୦-୫ (ଓଡିଆ ପୁଅ/ପ୍ରିୟରଂଜନ ସାହୁ) ଭାରତ ବର୍ଷରେ କରୋନାର ସ୍ଥିତି ଏବେ ସାଂଘାତିକ। ଦୈନିକ ସଂକ୍ରମଣ ଓ ମୃତ୍ୟୁ ହାରରେ ଭାରତ ସାରା ବିଶ୍ୱରେ ରେକର୍ଡ କରି ଚାଲିଛି। କରୋନାର ଦ୍ୱିତୀୟ ଲହରକୁ ରୋକିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏବେ ଅସମର୍ଥ। ଏକ ପ୍ରକାର ହାତ ଟେକି ଦେଇଛନ୍ତି କହିଲେ ଚଳେ। ହସପିଟାଲ୍‌ରେ ବେଡ ନାହିଁ, ଅକ୍ସିଜେନ ନାହିଁ, ପର୍ଯ୍ୟାପ୍ତ ପରିମାଣରେ ଔଷଧ ନାହିଁ, ଟୀକାର ମଧ୍ୟ ଘୋର ଅଭାବ। ଏ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ରୂପ ଆଜି ସାରା ବିଶ୍ୱ ଦେଖୁଛି।

ଗତ ବର୍ଷ କରୋନାର ପ୍ରଥମ ଲହର ସାରା ବିଶ୍ୱକୁ ଗ୍ରାସ କରିଥିଲା। ଭାରତ ମଧ୍ୟ ଏଥିରୁ ବାଦ୍ ପଡି ନଥିଲା। ଲକ୍‌ଡାଉନ ଓ ସଟ୍‌ଡାଉନ ପରି କଠୋର ପଦକ୍ଷେପମାନ ନେବାକୁ ପଡିଥିଲା। ନଭେମ୍ବର ଶେଷ ଆଡକୁ କରୋନାର ପ୍ରକୋପ କମିଥିଲା ମାତ୍ର ସଂପୂର୍ଣ୍ଣ ରୂପେ ମୂଳପୋଛ ହୋଇନଥିଲା। ଅନେକ ପ୍ରଗତିଶୀଳ ରାଷ୍ଟ୍ର କରୋନାକୁ ମାତ୍ ଦେବା ପାଇଁ ଟୀକା ପ୍ରସ୍ତୁତିରେ ଲାଗି ପଡିଲେ। ବହୁ ଗବେଷଣା ପରେ ଭାରତରେ ସେରମ ଇନଷ୍ଟିୁ୍ଚ୍ୟୁଟ୍ କୋଭିସିଲ୍ଡ ଓ ଭାରତ ବାୟୋଟେକ୍ କୋଭାକ୍‌ସିନ୍ ଟୀକା ପ୍ରସ୍ତୁତ କଲା। ଭାରତରେ ଏହି ଦୁଇଟି ଟୀକା ବାହାରିବା ପରେ ସରକାରଙ୍କ ପ୍ରଥମ କାର୍ଯ୍ୟ ନିଜ ଦେଶବାସୀଙ୍କୁ ସଂପୂର୍ଣ୍ଣ ଟୀକା କରଣ କରାଇବା। ମାତ୍ର ଆନ୍ତରାଷ୍ଟୀୟ ସ୍ତରରେ ବାହାବା ନେବା ପାଇଁ ଆମ ଦେଶର ପ୍ରଧାନମନ୍ତ୍ରୀ ଆମ ଟୀକାକୁ ବିଭିନ୍ନ ଦେଶକୁ ରପ୍ତାନୀ କରିବା ଆରମ୍ଭ କରି ଦେଲେ। ନିଜ ଦେଶରେ ଟୀକା କରଣ କରିବା ଅପେକ୍ଷା ବିଦେଶକୁ ରପ୍ତାନୀ କରିବା ଆମ ସରକାର ଉଚିତ୍ ମନେ କଲେ। ଯାହାର ପରିଣାମ ଆଜି ପ୍ରତିଟି ଭାରତୀୟଙ୍କୁ ଭୋଗିବାକୁ ପଡୁଛି। ଭାରତରେ ଟୀକାକରଣ ସୂଚାରୁ ରୂପେ ହୋଇ ପାରୁ ନାହିଁ। ଆବ୍ୟଶକ ସମୟ ଭିତରେ ଏତେ ପରିମାଣର ଟୀକା ଊତ୍ପାଦନ କରିବାରେ ଏହି ଦୁଇଟି କଂପାନୀ ଅକ୍ଷମତା ପ୍ରକାଶ କଲେଣି। ଏପରିକି ପ୍ରଥମ ଡୋଜ ଟୀକା ନେବା ପରେ ଦ୍ୱିତୀୟ ଡୋଜ ଟୀକା ନେବା ସମ୍ବବ ପର ହୋଇ ପାରୁ ନାହିଁ।
କରୋନାର ପ୍ରଥମ ଲହର ପରେ ସବୁ କଟକଣାକୁ ହୁଗୁଳା କରି ଦେଇଥିଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର। ସଚେତନତା ଅଭାବରୁ ଲୋକମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ସାନିଟାଇଜ ହେବା ଏକ ପ୍ରକାର ଭୁଲି ଯାଇଥିଲେ। ୪ ଗୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ରାଜ୍ୟରେ ନିର୍ବାଚନ ଘୋଷଣା ହେଲା। ବିଭିନ୍ନ ଦଳ ଲକ୍ଷ ଲକ୍ଷ ଲୋକଙ୍କୁ ଧରି ସଭାସମିତି ଓ ରାଲି କଲେ। ଖୋଦ ଦେଶର ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ମାଳ ମାଳ କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଲକ୍ଷ ଲକ୍ଷ ଜନତାଙ୍କୁ ଧରି ରାଲି କଲେ। ପଶ୍ଚିମବଙ୍ଗ ଦଖଲ କରିବା ପାଇଁ ଖୋଦ ନରେନ୍ଦ୍ର ମୋଦି ସରକାର ଭୁଲିଗଲେ ଯେ ଏ ଦେଶରେ କରୋନା ହୋଇଥିଲା ବୋଲି। ତା ସହିତ ହରିଦ୍ୱାରରେ କୁମ୍ଭ ମେଳା ପାଇଁ ମଧ୍ୟ ସରକାର ଅନୁମତି ଦେଇଦେଲେ। ଦେଶର ବିଭିନ୍ନ ପ୍ରାନ୍ତରରୁ ୬୦ ଲକ୍ଷ ହିନ୍ଦୁ ଆସି ଗଙ୍ଗାରେ ବୁଡ ପକାଇଲେ। ନେଡି ଗୁଡ କହୁଣିକୁ ବୋହିଗଲା। ସାରା ବିଶ୍ୱ ସ୍ତବଧ ହୋଇଗଲା। ଏ ସରକାର ନିଜସ୍ୱ ସ୍ୱାର୍ଥ ପାଇଁ ଦେଶର ୧୩୫ କୋଟି ଲୋକଙ୍କ ଜୀବନକୁ ମରଣ ମୁହଁକୁ ଠେଲି ଦେଲା। କେନ୍ଦ୍ରରେ ନେତୃତ୍ୱାଧିନ ଭାଜପା ସରକାର ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କଲା। କରୋନା ହୁହୁ ହୋଇ ବଢିବାକୁ ଲାଗିଲା। ଦେଶର ସ୍ୱାସ୍ଥ୍ୟ ସେବା ନିୟଂତ୍ରଣ ବାହାରକୁ ଚାଲିଗଲା। ହସପିଟାଲରେ ବେଡ ଓ ଅକ୍ସିଜେନ ନ ପାଇ ପୋକମାଛି ପରି ଲୋକ ମରିବା ଆରମ୍ଭ କଲେ। ଟୀକାର ଘୋର ଅଭାବ ଦେଖା ଦେଲାଣି। ସାଧାରଣ ଜନତା ଟୀକାକୁ ଚାତକ ପରି ଅନାଇ ବସିଛନ୍ତି। ଏହି ଭୁଲ ଯୋଗୁଁ ଭାରତକୁ ସାରା ବିଶ୍ୱରେ ସମାଲୋଚନାର ଶୀକାର ହେବାକୁ ପଡୁଛି। ଛୋଟ ଛୋଟ ଦେଶ ଆଜି ଭାରତ ଉପରେ ହସୁଛି। ଭାରତର ଏପରି ଅବସ୍ଥା ପାଇଁ ଭାରତ ସରକାର ଓ ଖୋଦ ପ୍ରଧାନମନ୍ତ୍ରୀ ଦାୟି ବୋଲି ବିଭିନ୍ନ ବିଦେଶୀ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଜ୍ଞାନିକ ଡାଃ ସୌମ୍ୟା ସ୍ୱାମିନାଥନ ମଧ୍ୟ ମୋଦି ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାବମୂର୍ତୀ ଏବେ ରସାତଳଗାମୀ। ଏକ ବୃହତ ଗଣତାନ୍ତ୍ରୀକ ରାଷ୍ଟ୍ର ଯେପରି ଧ୍ୱଂସ ନ ପାଉ ସେଥିପାଇଁ ବିଭିନ୍ନ ରାଷ୍ଟ୍ରରୁ ସହାନଭୁତିର ହାତ ଛୁଟିଛି ଭାରତକୁ। ଭାରତ ନିଜ ଦେଶର ଜନତାଙ୍କୁ ଅଣଦେଖା କରି ଟୀକା ରପ୍ତାନୀ କଲା ମାତ୍ର ବିଭିନ୍ନ ଦେଶ ଏବେ ଭାରତ ଉପରେ ଦୟା ଦେଖାଉଛନ୍ତି।

ଏବେ ରସାତଳଗାମୀ ଭାବମୂର୍ତୀକୁ ବଂଚାଇବାକୁ ଭାରତୀୟ ଜନତାପାର୍ଟୀ ଓ ତାର ନେତୃବୃ୍‌ଦ ଜୋରସୋରରେ ଲାଗି ପଡିଛନ୍ତି। ମାତ୍ର ବିଭିନ୍ନ ମିଡିଆରେ ଏମାନଙ୍କୁ ଭର୍ସିତ ହେବାକୁ ପଡୁଛି। ଭାରତୀୟ ଜନତା ପାର୍ଟୀ ତାର ଅଫିସିଆଲ ଟୁଇଟରରେ ଉଲ୍ଲେଖ କରିଛି – କରୋନା ମହାବିପତ୍ତି ସମୟରେ ଭାରତ ସରକାର ବିଭିନ୍ନ ଦେଶକୁ ଟୀକା ଓ ଔଷଧ ପଠାଇ ବିପଦର ବନ୍ଧୁ ସାଜିଥିଲା। ତେଣୁ ସାରା ବିଶ୍ୱରୁ ସହାୟତାର ସୁଅ ଛୁଟିଛି ଭାରତକୁ। ସାଧାରଣ ଜନତା ପ୍ରଶ୍ନ ପଚାରୁଛନ୍ତି – ବିଦେଶକୁ ରପ୍ତାନୀ ହୋଇଥିବା ଟୀକା ଯଦି ଭାରତୀୟଙ୍କୁ ଦିଆ ଯାଇଥାନ୍ତା ତେବେ ଲକ୍ଷ ଲକ୍ଷ ସାଧାରଣ ଜନତାଙ୍କ ଜୀବନ ଆଜି ବଂଚି ପାରିଥାନ୍ତା। ଆନ୍ତରାଷ୍ଟ୍ରୀୟ ବାହାବା ନେବାକୁ ଯାଇ ଭାରତ ଆଜି ଆତ୍ମ ନିର୍ଭରଶୀଳରୁ ପର ନିର୍ଭରଶୀଳ ହେଇ ଯାଇଛି ଏଥିରେ ସନ୍ଦେହ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.