Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣି ଦର୍ଶନ ପାଇଁ ଏସ୍‌ଓପି ଜାରି , ୨୮/୨୯ ରେ ସେବାୟତ, ୩୦/୩୧ ରେ ସ୍ଥାନୀୟ...

ଆଖଣ୍ଡଳମଣି ଦର୍ଶନ ପାଇଁ ଏସ୍‌ଓପି ଜାରି , ୨୮/୨୯ ରେ ସେବାୟତ, ୩୦/୩୧ ରେ ସ୍ଥାନୀୟ ଅଂଚଳବାସୀ ଓ ୩ ରେ ସର୍ବସାଧାରଣ ଦର୍ଶନ

14

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କରୋନା ପାଇଁ ଦୀର୍ଘ ୯ ମାସରୁ ଉର୍ଦ୍ଧ୍ୱ ହେବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଥିବାରୁ ଅଗଣିତ ଶ୍ରଦ୍ଧାଳୁଭକ୍ତ ବାବାଙ୍କ ଦର୍ଶନରୁ ବଂଚିତ ଥିଲେ । ଭକ୍ତଙ୍କ ଦର୍ଶନ ଓ ମନ୍ଦିର ଖୋଲିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଦାବି ହେବା ପରେ ଆସନ୍ତା ଜାନୁଆରୀ ୩ ରୁ ମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୋହର ବାଜିବା ପରେ ଆଜି ଜିଲାପାଳ ଡ. ଜ୍ଞାନ ଦାସଙ୍କ ପରାମର୍ଶ ଅନୁଯାୟୀ ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ଆଖଣ୍ଡଳମଣିଙ୍କ କାର୍ଯ୍ୟାଳୟ ପରିସରରେ ସେବାୟତଙ୍କ ସହ ଏକ ବୈଠକ ବସିଥିଲା । ଉକ୍ତ ବୈଠକରେ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ କୋଭିଡ୍ କଟକଣା ମଧ୍ୟରେ କିପରି ମନ୍ଦିର ଖୋଲାଯିବ ସେ ବାବଦରେ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ । ପ୍ରଥମେ ସେବାୟତ ପରିବାରଙ୍କ ଦର୍ଶନ ପାଇଁ ଆସନ୍ତା ୨୮ ଓ ୨୯ ରେ ମନ୍ଦିର ଖୋଲିବା ସହ ସ୍ଥାନୀୟ ୪ଟି ପଂଚାୟତ ଓଳଗ, ଆରଡି, ସୁନ୍ଦରପୁର, ନାନ୍ଦପୁର ଅଂଚଳର ଲୋକଙ୍କ ଦର୍ଶନ ପାଇଁ ୩୦ ଓ ୩୧ ରେ ଖୋଲିବ । ହେଲେ ଏହି ଲୋକଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ ରହିବ ବୋଲି ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଟ୍ରଷ୍ଟି ଶ୍ରୀ ସାମଲ କହିଥିଲେ । ଆସନ୍ତା ଜାନୁଆରୀ ୧ ଓ ୨ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ରହିବା ସହିତ ୩ ରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲିବ । ଏଥିପାଇଁ ଏସ୍‌ଓପି ଜାରି କରାଯାଇଛି । ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ସକାଳ ୭ଟା ଠାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଦର୍ଶନ କରିବେ । ବାକି ସମୟ ମନ୍ଦିର ପୂର୍ବ ପରି ବନ୍ଦ ରହିବ । ଦର୍ଶନାର୍ଥୀମାନେ ମନ୍ଦିର ମଧ୍ୟକୁ ଫୁଲ, ଦୀପ, ଭୋଗ ଓ କୌଣସି ପୂଜା ସାମଗ୍ରୀ ନେଇପାରିବେ ନାହିଁ । ତାହାସହ ମନ୍ଦିର ମଧ୍ୟରେ ଅଧିକ ସମୟ ଧରି ଯାତ୍ରୀମାନେ ରହିପାରିବେ ନାହିଁ । ସ୍ୱତନ୍ତ୍ର ବ୍ୟାରିକେଟ୍ ମଧ୍ୟରେ ଯାଇ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଯିବାର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯିବ । ତାହା ସହ ସମସ୍ତ ଭକ୍ତଙ୍କର ଥର୍ମାଲ ସ୍କାନିଂ ସହିତ ସାନିଟାଇଜ୍ କରାଯିବ । ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାବେଳେ କୋଭିଡ୍ ଲକ୍ଷଣ ଥିବା ଭକ୍ତଙ୍କର ମନ୍ଦିର ପରିସର ମଧ୍ୟରେ ଥିବା ଅସ୍ଥାୟୀ କ୍ୟାମ୍ପରେ କୋଭିଡ୍ ଟେଷ୍ଟ କରାଯିବ ବୋଲି ବୈଠକରେ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ଶ୍ରୀ ସାମଲ ଜଣାଇଥିଲେ । ସ୍ଥାନୀୟ ଅଂଚଳ ଲୋକଙ୍କ ଦର୍ଶନ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ ରହିବ ବୋଲି ବୈଠକରେ ସ୍ଥିର କରାଯାଇଛି । ବିଶେଷକରି ୧୦ ବର୍ଷରୁ କମ୍ ଓ ୬୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ମୁଣ୍ଡନ କାର୍ଯ୍ୟ ଓ ମାନସିକ ପୂଜା ପୂର୍ବ ପରି ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିପରି କୌଣସି ସ୍ଥାନରେ ଲୋକମାନେ ଗହଳି ଲଗାଇବା ଉପରେ ମଧ୍ୟ ରୋକ ଲଗାଇଛି ପ୍ରଶାସନ । ଏହି ବୈଠକରେ ସ୍ଥାନୀୟ ପୁଲିସ୍‌, ସେବାୟତ ଓ ମନ୍ଦିର ପରିଚାଳନା କମିଟି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.