ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଷଷ୍ଠୀ ତିଥିରେ ବିଲ୍ୱବରଣ ଏବଂ ମହାସପ୍ତମୀ ପୂଜା ସହ ଧରବତାରଣ କରିଛନ୍ତି ମା”ମହାମାୟା।ଏଥିପାଇଁ ସମସ୍ତ ପୂଜା ମଣ୍ଡପ ଉତ୍ସବ ମୁଖର ହୋଇ ଉଠିଛି।ଧାମନଗର ବ୍ଲକରେ ହେଉଥିବା ପ୍ରମୂଖ ଦୁର୍ଗା ପୂଜା ମଧ୍ୟରୁ ଅସୁରାଳି ଉଚ୍ଚପଦା ଛକ ନିକଟ ଆଇଟିଆଇ ଅନୁଷ୍ଠାନ ଅନ୍ୟତମ।ସ୍ଥାନୀୟ ଆଇଟିଆଇ ଠାରେ ହେଉଥିବା ଦୁର୍ଗା ପୂଜାକୁ ଇତିମଧ୍ୟରେ ୪୬ ବର୍ଷ ପୁରୁଛି।ହେମ ଭାଇଙ୍କ ଦୁର୍ଗା ପୂଜା ନାଁ’ରେ ସ୍ଥାନୀୟ ଅଂଚଳରେ ପରିଚିତ ଏହି ମାତୃପୂଜାକୁ ୧୯୮୦ ମସିହାରେ ଆରମ୍ଭ କରିଥିଲେ ତତ୍କାଳୀନ ବ୍ୟବସାୟୀ ସ୍ୱର୍ଗତ ବାଞ୍ଛାନିଧି ସାହୁ।ପରବର୍ତୀ ସମୟରେ ପୂଜାର ସମସ୍ତ ଦାୟିତ୍ୱ କାନ୍ଧକୁ ନେଇଥିଲେ ବାର୍ଷିଆନ ସମାଜସେବୀ ହେମେନ୍ଦ୍ର ସାହୁ।ଯାହା ଆଜି ଯାଏଁ ନିରବଚ୍ଛିନ୍ନ ଭାବରେ ଚାଲି ଆସିଛି।ଏହି ଅନୁଷ୍ଠାନ ଦେବୀଙ୍କ ଆଗମନ ଠାରୁ ବିସର୍ଜନ ପର୍ଯ୍ୟନ୍ତ ରୀତିନୀତି ତଥା ପରମ୍ପରାଗତ ପୂଜାବିଧିକୁ ସର୍ବଦା ଗୁରୁତ୍ୱ ଦେଇ ଆସିଛି।ପୂର୍ବରୁ ଏଠାରେ ଦଶହରା ଦିନ ହେଉଥିବା ବଳଦ ଶୋଭାଯାତ୍ରା ବେଶ ପରିଚିତ ଲାଭ କରିଥିଲା।ସମୟ କ୍ରମେ ଏହା ବନ୍ଦ ହେବା ପରେ ଆୟୋଜକ ଏକ ନୂଆ ପରମ୍ପରା ସୃଷ୍ଟି କରିଛନ୍ତି।ବିଜୟା ଦଶମୀ ଦିନ ଏଠାରେ ଏକ ସ୍ୱତନ୍ତ୍ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୁଏ।ସମାଜର ସବୁବର୍ଗର ଲୋକେ ଏକାଠି ହୁଅନ୍ତି।ପରସ୍ପର ଭାବର ଆଦାନ ପ୍ରଦାନ ମଧ୍ୟରେ ଭାଇଚାରାର ସମ୍ପର୍କ ସ୍ଥାପିତ ହୁଏ।ଏହି ଅଭିନବ ପ୍ରୟାସ ପୂଜାର ସ୍ୱତନ୍ତ୍ରତା ଭାବେ ପରିଚୟ ସୃଷ୍ଟି କରିଛି।ଏଥର ଧୂଷୁରୀ ନିକଟ ବମକୁରା ଗ୍ରାମର ଶିଳ୍ପୀ ଭୀମସେନ ପଣ୍ଡା ଦେବୀଙ୍କ ପ୍ରତିମୂର୍ତି ନିର୍ମାଣ କରିଛନ୍ତି।ପୂଜା ପାଇଁ ସ୍ଥାୟୀ ମଣ୍ଡପ ସମେତ ପାର୍ଶ୍ୱବର୍ତୀ ଅଂଚଳ ରଙ୍ଗୀନ ଆଲୋକର ସାଜସଜ୍ଜାରେ ସଜେଇ ହେଉଥିବା ଦେଖିବା ପାଇଁ ମିଳିଛି।ମଣ୍ଡପରେ ଆଜି ଶାସ୍ତ୍ରୀୟ ବିଧାନ ମତେ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି।ପଣ୍ଡିତ ବଟକୃଷ୍ଣ ପଣ୍ଡା,ଶଶିକାନ୍ତ ପାଣିଗ୍ରାହୀ କାହ୍ନୁ ପଣ୍ଡା ପୂଜକ ଦାଇତ୍ୱ ନିର୍ବାହ କରୁଥିବା ବେଳେ କର୍ତା ରୂପେ ନିରାକାର ସାହୁ ଏବଂ ସଂଯୁକ୍ତା ସାହୁ କାର୍ଯ୍ୟ ସମ୍ପାଦନ କରୁଛନ୍ତି।ଯୁବ ସମାଜସେବୀ ଇଂ ସନ୍ତୋଷ କୁମାର ସାହୁ ପୂଜାର ସମସ୍ତ ପରିଚାଳନା ଦାଇତ୍ୱ ବହନ କରୁଥିବା ଜଣାଯାଇଛି।








