ଭଦ୍ରକ, ୨୯ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକର ଶିକ୍ଷା କେନ୍ଦ୍ର କୁହାଯାଉଥିବା ଅସୁରାଳିରେ କ୍ରୀଡ଼ା ଭିତିଭୂମି ଦୃଢ଼ ଏବଂ ବିକଶିତ ହେବ।ସାତ ବର୍ଷ ଧରି କେବଳ ଦୁଇ ପାର୍ଶ୍ୱର ପାଚେରୀରେ ସୀମିତ ଥିବା ପ୍ରସ୍ତାବିତ ଶହୀଦ ସ୍ମାରକୀ ଷ୍ଟାଡିୟମକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ପୂର୍ତ ବିଭାଗ ପକ୍ଷରୁ ୨ କୋଟି ୪୯ ଲକ୍ଷ ୫୯ ହଜାର ଟଙ୍କାର ଆର୍ôଥକ ସହାୟତା ମଞ୍ଜୁର ସହିତ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ଜଣାପଡିଛି।କାର୍ଯ୍ୟାଦେଶ ମିଳିବା ପରେ ଏନେଇ ଠିକା ସଂସ୍ଥା ସହ ଆବଶ୍ୟକ ଚୁକ୍ତି ମଧ୍ୟ ସରିଥିବା ଜଣାଯାଇଛି।ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଆଶା ଓ ଆଶ୍ୱସ୍ତି ପ୍ରକାଶ ପାଇଛି।ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥ ପାର୍ଶ୍ୱସ୍ଥ ସ୍ଥାନୀୟ ଆଂଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମୁଖରେ ଥିବା ପ୍ରାୟ ପାଂଚ ଏକର ଜାଗାରେ ଏହି ପ୍ରକଳ୍ପ ପରିକଳ୍ପନା କରାଯାଇଛି।୨୦୧୯ ମସିହା ଫେବୃଆରୀ ମାସରେ ଅତ୍ୟନ୍ତ ତରବରିଆ ଭାବେ ଏଠାରେ ଏକ ଷ୍ଟାଡିୟମ ପାଇଁ ତତ୍କାଳୀନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିଲା।ଯାହା କେବଳ କେତେକାଂଶରେ ପାଚେରୀ ନିର୍ମାଣରେ ହିଁ ଅଟକି ରହିଥିଲା।ତେବେ ସୂଚନା ଫଳକ ନଥିବାରୁ ନିର୍ମାଣ ହୋଇଥିବା ପାଚେରୀ ପାଇଁ କେଉଁ ବିଭାଗ ଏବଂ କେତେ ଅର୍ଥ ଖର୍ଚ୍ଚ ହୋଇଥିଲା ଏନେଇ କୌଣସି ସ୍ପଷ୍ଟତା ଜଣାଯାଇନଥିଲା।ପରବର୍ତୀ ସମୟରେ ଧାମନଗର ବିଧାୟକ ତଥା ବର୍ତମାନର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହା ଉପରେ ଧ୍ୟାନ ଦେଇଥିଲେ ଏବଂ ତତ୍କାଳୀନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ଦିନ ପୂର୍ବେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।ନିକଟରେ ଷ୍ଟାଡିୟମକୁ ପୂର୍ଣ୍ଣାଙ୍ଗ ପରିଚୟ ଦେବା ପାଇଁ ଆରଏନବି ପକ୍ଷରୁ ନକ୍ସା ପ୍ରସ୍ତୁତ ସଂଗେ ସଂଗେ ଅନୁଦାନ ମିଳିଛି।ଠିକାଦାର ରବୀନ୍ଦ୍ର ପ୍ରସାଦ ବାରିକ ଏହାର କାର୍ଯ୍ୟାଦେଶ ପାଇଥିବା ବେଳେ ଏଠାରେ ଫୁଟବଲ କ୍ରିକେଟ ଭଲି ଆଦି ଖେଳ ପାଇଁ ଭିତିଭୂମି ବିକାଶ କାର୍ଯ୍ୟ ସହିତ ଜିମ ସେଣ୍ଟର ଆଦି ସୁବିଧା ହେବ।ଏଥି ସହିତ ସ୍ୱତନ୍ତ୍ର ଗ୍ୟାଲେରୀ ରିଫ୍ରେସ ହଲ ପାନୀୟ ଜଳ ବ୍ୟବସ୍ଥା ଅର୍ଦ୍ଧ ନିର୍ମିତ ପାଚେରୀକୁ ନିର୍ମାଣ ପ୍ରସ୍ତାବ ରହିଛି।ଅସୁରାଳିର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଦୈନିକ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଆସୁଥିବା ବେଳେ ଷ୍ଟାଡିୟମ ଦ୍ୱାରା ସେମାନଙ୍କ କ୍ରୀଡ଼ା ଦକ୍ଷତା ବିକଶିତ ହେବା ସହ ଆଂଚଳିକସ୍ତରରେ ଯୁବକଯୁବତୀମାନେ ମଧ୍ୟ ଖେଳକୁଦ ପ୍ରତି ଆଗ୍ରହୀ ହୋଇ ପାରିବେ।ଏଥି ସହ ଷ୍ଟାଡିୟମରେ ଏକାଧିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହୋଇ ପାରିବ।ଆର୍ôଥକ ମଞ୍ଜୁରୀ ଏବଂ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ ହେବା ଶହୀଦ ସ୍ମାରକୀ ଷ୍ଟାଡିୟମ ପ୍ରକଳ୍ପର ରୂପରେଖକୁ ନେଇ କ୍ରୀଡ଼ାବିତ କ୍ରୀଡା ପ୍ରେମୀ ଯୁବଗୋଷ୍ଠୀ ଏବଂ ବୁଦ୍ଧିଜୀବୀ ମହଲରେ ଆନନ୍ଦ ପ୍ରକାଶ ପାଇଛି।








