Home ଅପରାଧ ଢ଼େଙ୍କାରେ ଚାଲିଛି ଚୋରା ଦେଶୀମଦ ପ୍ରସ୍ତୁତି, କିଡ୍‌ନି ରୋଗର ଶୀକାର ହେଉଛନ୍ତି ଲୋକେ

ଢ଼େଙ୍କାରେ ଚାଲିଛି ଚୋରା ଦେଶୀମଦ ପ୍ରସ୍ତୁତି, କିଡ୍‌ନି ରୋଗର ଶୀକାର ହେଉଛନ୍ତି ଲୋକେ

147

ହାଟଡ଼ିହି, ୧୯/୯/ :(ଓଡିଆପୁଅ/ ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଢ଼େଙ୍କା ଅଞ୍ଚଳରେ ଏବେ ଚୋରା ଦେଶୀମଦର ପ୍ରସ୍ତୁତି ବ୍ୟାପକ ହୋଇଛି । ଗାଁ ଗାଁରେ ଅନେକ ଲୋକ ଏହି ଦେଶୀମଦ ପ୍ରସ୍ତୁତକରି ଜିଲ୍ଲା ବାହାରକୁ ଚୋରାଚାଲାଣ କରିବାରେ ଲାଗିଛନ୍ତି । ସତେ ଯେପରି ଏହା ଏବେ ଏ ଅଞ୍ଚଳ ପାଇଁ କୁଟୀର ଶିଳ୍ପ ପାଲଟିଛି । ଘରେ ଘରେ ପ୍ରତିଯୋଗୀତା ଭିତିରେ ଏହି ମଦ ପ୍ରସ୍ତୁତ କରାଯାଉଛି । ଢ଼େଙ୍କା, ପୁରୁଣାପାଣି, ହାଟସାହି, ପଥରଗଦା, ଡଙ୍ଗାଚୁଆ ଆଦି ଗ୍ରାମମାନଙ୍କରେ ଅନେକ ଦେଶୀମଦ କାରଖାନା ଖୋଲାଯାଇଛି । ଦୈନିକ ହଜାରେ ଲିଟରରୁ ଉର୍ଦ୍ଧ ମଦ ପ୍ରସ୍ତୁତ କରାଯାଇ ଏଠାରେ ବିକ୍ରି କରାଯିବା ସହିତ ବାହାରକୁ ଚାଲାଣ କରାଯାଉଛି । ବିଶେଷକରି ଏହି ଦେଶୀମଦକୁ ଅଧିକ ନିଶାଯୁକ୍ତ କରିବାପାଇଁ ଏଥିରେ ରାସାୟନିକ ସାମଗ୍ରୀ ମିଶ୍ରଣ କରାଯାଉଥିବାରୁ ତାହା ବିଷାକ୍ତ ହୋଇଯାଉଛି । ଏପରିକି ବାହାରୁ ଆସୁଥିବା ଏକ ନକଲି ଗୁଡ ଦ୍ୱାରା ଏହି ମଦ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ହେଉଛି । ଏହିମଦ ପିଇ ଏ ଅଞ୍ଚଳର ଶହଶହ ଲୋକମାନେ କିଡିନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ଏବେ ରାଇନଟା, ଛୁଆଳିଆ, ଢ଼େଙ୍କା ସୁନ୍ଦରପୁର ଆଦି ଗ୍ରାମରେ ଅନେକ ଲୋକ କିଡିନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଗତ ବର୍ଷକ ମଧ୍ୟରେ ସୁନ୍ଦରପୁର ଗ୍ରାମରେ କେବଳ ୧୦ରୁ ଉର୍ଦ୍ଧ ଲୋକ କିଡିନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ସ୍ଥାନୀୟ ଲୋକମାନେ ଏନେଇ ବାରମ୍ବାର ଅବକାରୀ ବିଭାଗ ଓ ସୋସୋ ପୁଲିସର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ସେମାନେ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି । ଫଳରେ ଚୋରାରେ ବିକ୍ରୀ ହେଉଥିବା ଏହି ଦେଶୀ ମଦ ଏବେ ଖୁଲାମଖୁଲା ରାଜରାସ୍ତାରେ ମଧ୍ୟ ବିକ୍ରୀ ହେଲାଣି । ବିଶେଷକରି ଆଦିବାସୀ ଯୁବକମାନେ ଏହାର ଶୀକାର ହେଉଛନ୍ତି । ଏଣୁ ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.