Home ଓଡ଼ିଶା ସୁବାସ ପାଣିଗ୍ରାହୀ ହୋଇପାରନ୍ତି ବିରୋଧି ଦଳ ନେତା

ସୁବାସ ପାଣିଗ୍ରାହୀ ହୋଇପାରନ୍ତି ବିରୋଧି ଦଳ ନେତା

1195

ଭୁବନେଶ୍ୱର ୭-୬ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଓଡ଼ିଶା ବିଧାନସଭାରେ ପ୍ରଥମଥର ପାଇଁ ଭାରତୀୟ ଜନତା ପାର୍ଟୀ ବିରୋଧି ଦଳର ମାନ୍ୟତା ପାଇଛି। ଭାରତୀୟ ଜନତା ପାର୍ଟୀର ତେଇଶି ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି। ତେଣୁ ବିଧାନସଭାରେ ବିରୋଧିଦଳ ନେତା କିଏ ହେବ ଏଥିପାଇଁ ଚାଲିଛି ରାଜନୈତିକ କସରତ। ବିଭିନ୍ନ ଗଣ ମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଛିଯେ, ବିରୋଧି ଦଳ ନେତା ପାଇଁ ଜୟ ନାରାୟଣ ମିଶ୍ର, ପ୍ରଦୀପ୍ତ ନାୟକ, ବିଷ୍ଣୁ ସେଠୀ, ମୋହନ ମାଝୀ ପ୍ରମୁଖ ଦୌଡ଼ରେ ଅଛନ୍ତି। ମାତ୍ର ଡାର୍କ ହର୍ସ ଭାବରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ନାମ ଚୁଡ଼ାନ୍ତ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରୀହୀ ପଶ୍ଚିମ ଓଡ଼ିଶାର ବିଜେଡ଼ିର ଜଣେ ଟାଣୁଆ ନେତା ଓ ସଂଗଠକ। ଏହି ପାଳିକୁ ମିଶାଇ ଚାରି ଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି। ପଶ୍ଚିମ ଓଡ଼ିଶାର ସେ ଜନତାଙ୍କ ନେତା ହିସାବରେ ପରିଗଣିତ। ଦ୍ୱିତୀୟତଃ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପିତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଅତି ଘନିଷ୍ଠ। ପୁରୁଖା ରାଜନେତା ହିସାବରେ ଧର୍ମେନ୍ଦ୍ର ପ୍ରଧାନଙ୍କର ପ୍ରଥମ ପସନ୍ଦ ସୁବାସ ପାଣିଗ୍ରାହୀ। ମାତ୍ର ଏଥିରେ ଏକ ବ୍ୟତିକ୍ରମ ପରିଲକ୍ଷିତ ହେଉଛି ବୋଲି ସୂତ୍ରରୁ ଜଣାପଡ଼ିଛି। ସୁବାସ ବାବୁ କୌଣସି ସାମ୍ବିଧାନିକ ପଦପଦବୀକୁ ଗ୍ରହଣ କରିବାକୁ ଇଚ୍ଛାପ୍ରକାଶ କରୁନାହାଁନ୍ତି। ତାଙ୍କ ମତ ହେଲା ଯଦି ମୁଁ କୌଣସି ପଦ ପଦବୀରେ ରହିଯାଏ ତେବେ ମୋତେ ଭୋଟ ଦେଇ ଆସୁଥିବା ଦେବଗଡ଼ବାସୀଙ୍କ ପାଇଁ ମୁଁ କିଛି କରିପାରିବି ନାହିଁ। ଯଦି ଏହି ନିଷ୍ପତ୍ତିରେ ସେ ଅଟଳ ରୁହନ୍ତି ତେବେ ଦ୍ୱିତୀୟ ପସନ୍ଦ ଭାବରେ ଭବାନୀ ପାଟଣା ବିଧାୟକ ପ୍ରଦୀପ୍ତ ନାୟକଙ୍କ ନାମ ବିରୋଧିଦଳ ନେତା ହିସାବରେ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂତ୍ର କହୁଛି। ଚର୍ଚ୍ଚାରେ ଥିବା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଏହି ପଦବୀରେ ନ ବସାଇବାର ଅନେକ କାରଣ ସୃଷ୍ଟି ହୋଇଛି। ପ୍ରଥମ କାରଣ ହେଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ତାଙ୍କ ସମ୍ପର୍କ ସେତେଟା ସୁଦୃଢ଼ ନାହିଁ। ଦ୍ୱିତୀୟତଃ ଯଦି ଜୟନାରାୟଣ ମିଶ୍ର ବିରୋଧିଦଳ ନେତା ହୁଅନ୍ତି ତେବେ ବିଜୁ ଜନତା ଦଳ ତାଙ୍କ ଠାରୁ ପରାଜିତ ହୋଇଥିବା ଡ. ରେଶେସ୍ୱରୀ ପ୍ରାଣିଗ୍ରାହୀଙ୍କୁ ରାଜ୍ୟସଭା ପଠାଇବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଏହାଦ୍ୱାରା ପଶ୍ଚିମ ଓଡ଼ିଶାର ରାଜଧାନୀ କୁହାଯାଉଥିବା ସମ୍ବଲପୁରରେ ରାଜନୈତିକ ନିୟନ୍ତ୍ରଣ ସୃଷ୍ଟି ହୋଇପାରିବ। ଅନ୍ୟ ଏକ ପ୍ରମୁଖ କାରଣ ହେଲା ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ଜୟନାରାୟଣ ମିଶ୍ର ଏତେବଡ଼ ପଦବୀକୁ ସମ୍ଭାଳିପାରିବେ ନାହିଁ ବୋଲି ବିଜେପି ଅନ୍ଦର ମହଲରେ ଚର୍ଚ୍ଚା। ଚର୍ଚ୍ଚାରେ ଥିବା ଅନ୍ୟ ଦୁଇ ନାମ ମୋହନ ମାଝୀ ଓ ବିଷ୍ଣୁ ସେଠୀଙ୍କ ନାମରେ ବିରୋଧି ଦଳ ନେତା ମୋହର ବାଜିବା ରାସ୍ତା ବହୁତ କ୍ଷୀଣ।

ସେ ଯାହା ହେଲେ ମଧ୍ୟ ବହୁ ଭାବିଚିନ୍ତି ବିଜେପି ବିରୋଧି ଜଳ ନେତା ପଦରେ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ବସାଇବ ବୋଲି ରାଜନୈତିକ ବ୍ୟକ୍ତି ବିଶେଷ ମତ ପ୍ରକାଶ କରିଛନ୍ତି। ଗତ ସରକାରରେ କଂଗ୍ରେସ ଦଳ ତରଫରୁ ବିରୋଧି ଦଳ ନେତା ଭାବରେ ଦାୟୀତ୍ତ୍ୱ ତୁଲାଇଥିଲେ ନରସିଂହ ମିଶ୍ର। ଓଡ଼ିଶା ରାଜନୀତିର ସେ ଜଣେ ପୋଖତ ରାଜନେତା। ବିଧାନସଭାରେ ତାଙ୍କର ଉପସ୍ଥାପନା ଶୈଳୀ ଅନେକ ସମୟରେ ସରକାରକୁ ଅଡ଼ୁଆରେ ପକାଇବାର ନଜିର ମଧ୍ୟ ରହିଛି। ତେଣୁ ଏହି ଅନୁପାତରେ ଭାରତୀୟ ଜନତା ପାର୍ଟି ଜଣେ ସୃଜନାତ୍ମକ ବ୍ୟକ୍ତି ବିଶେଷଙ୍କୁ ବିରୋଧି ଦଳ ନେତା ପଦବୀରେ ବସାଇବ ବୋଲି ରାଜ୍ୟବାସୀ ଆଶା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.