Home ଓଡ଼ିଶା ମାଲକାନଗିରି ମାଟ୍ରୀକ ପରୀକ୍ଷାରେ ବିଭ୍ରାଟ, ପଡିଆ ହାଇସ୍କୁଲ କେନ୍ଦ୍ରରୁ ୧୦୮ଜଣ ପରିକ୍ଷାର୍ଥୀଙ୍କ ଗଣିତ ଉତ୍ତରଖାତା ଗାଏବ,...

ମାଲକାନଗିରି ମାଟ୍ରୀକ ପରୀକ୍ଷାରେ ବିଭ୍ରାଟ, ପଡିଆ ହାଇସ୍କୁଲ କେନ୍ଦ୍ରରୁ ୧୦୮ଜଣ ପରିକ୍ଷାର୍ଥୀଙ୍କ ଗଣିତ ଉତ୍ତରଖାତା ଗାଏବ, ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ, ୫ଜଣ ଥାନାରେ ଅଟକ

962

ମାଲକାନଗିରି, ୩ା୩(ଓଡିଆ ପୁଅ ) ଚଳିତ ବର୍ଷ ମାଟ୍ରୀକ ପରୀକ୍ଷାରେ ବାରମ୍ବାର ପ୍ରଶ୍ନପତ୍ର ଭାଇରାଲ ହେବାପରେ ଆଉଏକ ବିଭ୍ରାଟ ଦେଖାଦେଇଛି ମାଲକାନଗିରି ଜିଲ୍ଲା ପଡିଆ ହାଇସ୍କୁଲରେ ଗଣିତ ବିଷୟର ଓଏମଆର ସିଟ ଗାଏବ ହେବା ଘଟଣା ସମଗ୍ର ଜିଲ୍ଲା ସହିତ ରାଜ୍ୟରେ ଚହଳ ସୃଷ୍ଟି କରିଛି। ଓଏମଆର ସିଟ ଗାଏବ ଘଟଣାରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଜୋରଦାର ତଦନ୍ତ ଆରମ୍ଭ ହୋଇ ହାଇସ୍କୁଲର ୫ଜଣଙ୍କୁ ଥାନାରେ ଅଟକ ରଖା ଯାଇ ଜେରା ଚାଲିଛି। ଶନିବାର ଦିନ ଥିଲା ଗଣିତ ବିଷୟରେ ପରୀକ୍ଷା, ସବୁଦିନପରି ସେଦିନ ମଧ୍ୟ ପଡିଆ ଅନୁସୁଚିତ ଜନଜାତି ଓ ଅନୁସୁଚିତ ଜାତି ସରକାରୀ ଉଚ୍ଚବିଦ୍ୟାଳୟ (ଏସଏସଡି ହାଇସ୍କୁଲ) କେନ୍ଦ୍ରରେ ୧୦୮ଜଣ ପରୀକ୍ଷାର୍ଥୀ ପ୍ରଥମ ସିଟିଂ ରେ ଗଣିତବିଷୟର ୫୦ ମାର୍କର ସଂକ୍ଷିପ୍ତ ପ୍ରଶ୍ନରେ (ସର୍ଟ ଟାଇପ) ପରୀକ୍ଷା ଦେଇଥିଲେ। ପରୀକ୍ଷା ପରେ କେନ୍ଦ୍ରର ସୁପରିଟେଣ୍ଡେଟଂ ଓ ଅନ୍ୟା ଶିକ୍ଷକ ମାନେ ଖାତଗୁଡିକୁ ସଂଗ୍ରହ କରି ପ୍ରଧାନ ଶିକ୍ଷକଙ୍କ କୋଠରୀରେ ରଖିଦେଇଥିଲେ। ଦ୍ୱିତୀୟ ସିଟିଂରେ ଗଣିତ ବିଷୟର ଲଙ୍ଗଟାଇପ ପ୍ରଶ୍ନର ପରୀକ୍ଷା ହୋଇଥିଲା। ସେ ପରୀକ୍ଷା ସରିବା ପରେ ଖାତା ରଖିବାକୁ ଯାଇ ଦେଖିଲା ବେଳକୁ ପ୍ରଥମ ସିଟିଂର ୧୦୮ଟି ଓଏମଆର ସିଟ ନାହିଁ। ବିଦ୍ୟାଳୟ କର୍ତୁପକ୍ଷ ବହୁତ ଖୋଜା ଖୋଜି କରି ସେଗୁଡିକୁ ନ ପାଇବାରୁ ବାଧ୍ୟ ହୋଇ ୧୦୮ଟି ଓଏମଆର ସିଟ ଗାଏବ ହୋଇ ଯିବା ସଂପର୍କରେ ପଡିଆ ଥାନାରେ ଏତଲା ଦେଇ ଜିଲ୍ଲାପ୍ରଶାସନ ଓ କଟକ ବୋର୍ଡ କର୍ତୁପକ୍ଷଙ୍କୁ ଜଣାଇଥିଲେ। ମାଟ୍ରୀକ ପରୀକ୍ଷାରେ ତ୍ରିସ୍ତରୀୟ ସ୍କାର୍ଡ, ପୁଲିସର କଡାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପରୀକ୍ଷା କେନ୍ଦ୍ରରୁ କିପରି ୧୦୮ଟି ଯାକ ଓଏମଆର ସିଟ ଗାଏବ ହୋଇଗଲା ସେନେଇ ପରୀକ୍ଷାର୍ଥୀ, ସେମାନଙ୍କ ଅଭିଭାବକ ଓ ଜିଲ୍ଲାବାସୀ ପରୀକ୍ଷା କେନ୍ଦ୍ର ଦାଇତ୍ୱରେ ଥିବା ଅଧିକାରୀମାନଙ୍କ ଖମଖିଆଲି ନୀତି ସେମାନଙ୍କ କାର୍ଯ୍ୟ ପ୍ରତି ସନ୍ଦେହ କରିବାସହିତ ଏହାକୁ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଦାବିକରିଛନ୍ତି। ଏ ସଂପର୍କରେ ଜିଲ୍ଲାପ୍ରଶାସନ ଜାଣିବା ପରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳେ ପଡିଆ ହାଇସ୍କୁଲକୁ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଅତିରିକ୍ତ ଏସପି ଉଧବଚରଣ ନାୟକ ଙ୍କ ନେତୃତ୍ୱରେ ଦୁଇଟି ସ୍ୱତନ୍ତ୍ର ଟିମ ସେଠାରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଟିମରେ ପଡିଆ ଥାନା ଅଧିକାରୀ ଓ ପୁଲିସ ସଦଳବଳ ଉକ୍ତ ପରୀକ୍ଷା କେନ୍ଦ୍ରରେ ଖାନତଲାସି ସହିତ ପରୀକ୍ଷା କେନ୍ଦ୍ରର ସୁପରି ଟେଣ୍ଡେଟଂ, ସହକାରୀ ସୁପରିଟେଣ୍ଡେଟଂ ଓ ପରୀକ୍ଷା ପରିଚାଳନା କରୁଥିବା ଅନ୍ୟାନ ଶିକ୍ଷକ ଓ କର୍ମଚାରି ମାନଙ୍କୁ ଜେରା ଆରମ୍ଭ କରିଦେଇଛନ୍ତି। 5ଜଣ ଙ୍କୁ ଥାନାରେ ଅଟକରଖା ଯାଇ ପଚରା ଉଚରା ଚାଲିଛି, ଗାଏବ ହୋଇଯାଇଥିବା ଓଏମଆର ସିଟ ଆଜି ସନ୍ଧ୍ୟାସୁଦ୍ଧା ମିଳିନଥିବାର ଜଣାପଡିଛି। ଗତ ୨୨ତାରିଖ ଠାରୁ ଜିଲ୍ଲାର ୩୧ଟି ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହିତ ପିଲାମାନେ ପରୀକ୍ଷା ଦେଇ ଆସୁଥିବାବେଳେ ଶନିବାର ଦିନ ପଡିଆ ଏସଏସଡି ହାଇସ୍କୁଲରେ ବିଭ୍ରାଟ ହୋଇଯାଇ ୧୦୮ଜଣ ମାଟ୍ରୀକ ପରୀକ୍ଷାର୍ଥୀଙ୍କ ଗଣିତ ଓଏମଆର ସିଟ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଚଳିତ ବର୍ଷ ମାଟ୍ରୀକ ପରୀକ୍ଷାରେ ବାରମ୍ବାର ବିଭ୍ରାଟ ସୃଷ୍ଟି ହେଉଥିବାରୁ ପରୀକ୍ଷାର୍ଥୀ ମାନେ ବିବ୍ରତ ହୋଇପଡିଛନ୍ତି। କାଲିର ଘଟଣାରେ ପଡିଆ ହାଇସ୍କୁଲ କେନ୍ଦ୍ର ରେ ପରୀକ୍ଷା ଦେଉଥିବା ୧୦୮ଜଣ ପରୀକ୍ଷାର୍ଥୀଙ୍କ ଗଣିତ ଉତର ଖତା ଗାଏବ ହୋଇ ଯାଇଥିବାରୁ ସେମାନଙ୍କ ମଧ୍ୟରେ ଅଜଣା ଭୟସୃଷ୍ଟି ହୋଇଛି। ରାତି ଅନିଦ୍ରାହୋଇ କଷ୍ଟକରି ପାଠପଡିଥିବା ଛାତ୍ର ଛାତ୍ରୀମାନେ ଗଣିତ ବିଷୟରେ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ଉତର ଖାତା ପରୀକ୍ଷା କେନ୍ଦ୍ରରୁ ଗାଏବ ହେବା ଓ ତଦନ୍ତ ପରେ ମଧ୍ୟ ତାହାର କିଛି ଖୋଜ ଖବର ନ ମିଳିବା ଘଟଣା ରେ ପରୀକ୍ଷାର୍ଥୀମାନେ ଚିନ୍ତିତ ହୋଇପଡିଛନ୍ତି ପୁଣି ଥରେ ସେହି ବିଷୟରେ ପରୀକ୍ଷା ହେବକି ବୋଲି ଭାବୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.