Home ଓଡ଼ିଶା ଦୁଷ୍କର୍ମ ପୀଡିତା ଗର୍ଭବତୀ ନାବାଳିକାକୁ ଥଇଥାନ କରିବ ପ୍ରଶାସନ

ଦୁଷ୍କର୍ମ ପୀଡିତା ଗର୍ଭବତୀ ନାବାଳିକାକୁ ଥଇଥାନ କରିବ ପ୍ରଶାସନ

991

କୋରାପୁଟ ; ତା୦୩-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ଥିବା ଜଣେ ନାବାଳିକାର ଥଇଥାନ ନିମନ୍ତେ ହାତ ବଢାଇଛି ଜିଲା ପ୍ରଶାସନ। ଶନିବାର ଜିଲା ଶିଶୁ ସୁରକ୍ଷା ବିଭାଗର ନିର୍ଦ୍ଦେଶରେ ୱାର୍ଡ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୀଡିତାକୁ ପିଉସୀ ଘରୁ ଉଦ୍ଧାର କରି କୋରାପୁଟ ଶିଶୁ ମଙ୍ଗଳ କମିଟିରେ ହାଜର କରାଇବା ପରେ ଥଇଥାନ କେନ୍ଦ୍ରକୁ ନେଇଛନ୍ତି। ସୂଚନା ଥାଉକି, ଡୁମ୍ବାଗୁଡାର କୁମ ବିଷୟୀ ସ୍ତ୍ରୀ ଓ ୪ଝିଅଙ୍କୁ ନେଇ ସଂସାର ଚଳାଉଥିଲେ। କୁମ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇବାର କିଛି ଦିନ ପରେ ସ୍ତ୍ରୀ ମଧ୍ୟ ଆର ପାରିକୁ ଚାଲି ଯାଇଥିଲେ। ତେବେ ବାପା ମାଁଙ୍କ ମୃତ୍ୟୁ ପରେ ୪ ଅନାଥ ନାବାଳିକାଙ୍କ ସାହା ଭରସା ଥିଲେ ସେମାନଙ୍କ ପିଉସୀ। ପିଉସୀ ୪ ନାବାଳିକା ଅନାଥ ଝିଅଙ୍କୁ ଲାଳନ ପାଳନ କରୁଥିଲେ। ଏହା ମଧ୍ୟରେ ଡୁମ୍ବାଗୁଡା ଗ୍ରାମର ଦର୍ଶନ ସାହୁ ନାମକ ଜଣେ ବିବାହିତ ଯୁବକ ବିବାହର ପ୍ରଲୋଭନ ଦେଖାଇ ଅନାଥ ନାବାଳିକାଙ୍କ ମଧ୍ୟରୁ ବଡ ଭଉଣୀ ରଂଜିତା(ଛଦ୍ମନାମ) ସହ ଶାରିରୀକ ସମ୍ପର୍କ ରଖି ଆସୁଥିଲା। ପରବର୍ତି ସମୟରେ ରଂଜିତା ଗର୍ଭବତୀ ହେବା ପରେ ଦର୍ଶନ ତାକୁ ବାହା ହେବାକୁ ମନା କରି ଦେଇଥିଲା। ନାବାଳିକା ପୀଡିତା ପିଉସୀକୁ ଘଟଣା ସମ୍ପର୍କରେ ଜଣାଇବା ପରେ ପିଉସୀ ଦଶମନ୍ତପୁର ଥାନାରେ ଅଭିଯୋଗ କରିଥିଲେ ଓ ପୁଲିସ୍ ଦର୍ଶନକୁ ଜାନୁଆରୀ ୩୦ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପିଉସୀ ଜଣକ ବହୁ କଷ୍ଟରେ ଦିନ ମଜୁରିଆ ଭାବେ କାମ କରି ୪ ନାବାଳିକା ଅନାଥ ଭଉଣୀକୁ ଲାଳନ ପାଳନ କରୁଥିଲେ। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ଘଟଣାର ଖୋଳତାଡ କରି ଗର୍ଭବତୀ ନାବାଳିକା ସମେତ ବାପାମା ଛେଉଣ୍ଡ ୪ଭଉଣୀଙ୍କୁ ଉଦ୍ଧାର କରିବାକୁ ଜିଲା ଶିଶୁ ସୁରକ୍ଷା ସମିତି ଓ ଶିଶୁ ମଙ୍ଗଳ କମିଟିକୁ ନିର୍ଦ୍ଦେଶ ଦେଇଥିଲା। ନିର୍ଦ୍ଦେଶମତେ ଶନିବାର ୱାର୍ଡ ସଂସ୍ଥାର ବାବୁଲା କୁମାର ଦାଶ ଓ ମୋନାଲି ପଟ୍ଟନାୟକ ଡୁମ୍ବାଗୁଡା ପହଂଚି ଦୁଷ୍କର୍ମ ପୀଡିତା ନାବାଳିକା ଗର୍ଭବତୀକୁ ଥଇଥାନ କେନ୍ଦ୍ରକୁ ନେଇଛନ୍ତି। ଆଉ କିଛି ଦିନ ପରେ ପୀଡିତାର ଅନ୍ୟ ତିନି ଭଉଣୀଙ୍କୁ ମଧ୍ୟ ଥଇଥାନ କେନ୍ଦ୍ରକୁ ନିଆଯିବ ବୋଲି ଜଣା ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.