Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଶ୍ୱ କର୍ତ୍ତବ୍ୟ ଦିବସ ପାଳିତ

ଭଦ୍ରକରେ ବିଶ୍ୱ କର୍ତ୍ତବ୍ୟ ଦିବସ ପାଳିତ

130

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେବଳ ଅଧିକାର ନୁହେଁ ବରଂ ମଣିଷର ଆଉ ଏକ ମଣିଷ ପ୍ରତି ଥିବା କର୍ତ୍ତବ୍ୟବୋଧ, ପ୍ରାଣୀଜଗତ, ଇତର କୀଟପତଙ୍ଗ, ବୃକ୍ଷଲତା ତଥା ପରିବେଶ ସୁରକ୍ଷା ପ୍ରତି ମଣିଷ ଦାୟିତ୍ୱବାନ ହେବା ଏବଂ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଦିନଟିଏ ଉତ୍ସର୍ଗ କରିବା ପାଇଁ ସମାଜସେବୀ ତଥା ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଜୁନ୍ ୩୦ ତାରିଖକୁ ବିଶ୍ୱରେ ସର୍ବପ୍ରଥମ “ବିଶ୍ୱ କର୍ତ୍ତବ୍ୟ ଦିବସ”ର ପରିକଳ୍ପନା କରି ତା’ର ସଫଳ ରୂପାୟନ ଭଦ୍ରକ ଜିଲ୍ଲାରେ କରିଛନ୍ତି । ଆଜିକାଲି ସମସ୍ତେ ସ୍ୱପ୍ନରେ ଦୁନିଆରେ ମତୁଆଲାରେ ହୋଇ ଜୀବନକୁ ବିଳାସମୟ ଭାବେ ଜୀଇଁବାକୁ ଚାହାନ୍ତି । ଯାହାଫଳରେ ନିଜର ଅଧିକାର ଜାହିର କରିବା ସମୟରେ ଅନ୍ୟମାନଙ୍କ ପ୍ରତି ନିଜର କର୍ତ୍ତବ୍ୟ ପ୍ରତି ଆଖିବୁଜି ଦେବା ପରିତାପର ବିଷୟ । ସମାଜ ପାରସ୍ପରିକ ସମ୍ପର୍କରୁ ଆରମ୍ଭ ହୋଇଥାଏ ଏବଂ ପିଲାଦିନରୁ ଏ ପର୍ଯ୍ୟନ୍ତ ନିଜର ପରିବାର, ଗାଁ, ସହର, ଜିଲ୍ଲା, ରାଜ୍ୟ, ଦେଶ ଓ ସର୍ବୋପରି ମାଟି ମା ପ୍ରତି ଥିବା ମାୟା-ମମତାରୁ ହିଁ କର୍ତ୍ତବ୍ୟବୋଧ ଆରମ୍ଭ । ସମସ୍ତେ ଅଧିକାର ଜାହିର କରୁଥିବାବେଳେ କର୍ତ୍ତବ୍ୟବୋଧ ଭୁଲିଯାଉଛନ୍ତି । “କର୍ତ୍ତବ୍ୟ ପାଇଁ ଦିନଟିଏ” ଏହି ପ୍ରକାର ମହନୀୟ ଚିନ୍ତାଧାରାକୁ ଚରିତାର୍ଥ କରିବା ପାଇଁ ଶ୍ରୀ ତ୍ରିପାଠୀ ଆରମ୍ଭ କରିଛନ୍ତି “ବିଶ୍ୱ କର୍ତ୍ତବ୍ୟ ଦିବସ” । ଜୁନ୍ ୩୦ ତାରିଖ, ଗୋଟିଏ ବର୍ଷର ଠିକ୍ ଅଧା ବୟସ । ତେଣୁ ଏହି ଦିବସଟିକୁ ସମଗ୍ର ବିଶ୍ୱବାସୀ କର୍ତ୍ତବ୍ୟ ଦିବସ ହିସାବରେ ପାଳନ କଲେ ଏହାର ପ୍ରାସଙ୍ଗିକତା ରହିବ । ଶ୍ରୀ ତ୍ରିପାଠୀ ସର୍ବପ୍ରଥମେ ମାନସିକ ବିକାରଗ୍ରସ୍ତ ମାନଙ୍କୁ ସେବା ଆରମ୍ଭ କରିବା ସହିତ ସେମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ । ତା’ପରେ ତଳଗୋପବିନ୍ଧା ଗ୍ରାମ ପଞ୍ଚାୟତରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଯୁବ ସମାଜସେବୀ ମାନେ ଏଥିରେ ତାଙ୍କୁ ସହାୟତା କରିଥିଲେ । ପରେ ଅର୍ଣ୍ଣପାଳ ପଞ୍ଚାୟତର ଭକ୍ତିବ୍ରହ୍ମପୁରରେ ଥିବା ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ରରେ ସଫେଇ କରାଯାଇ “ସ୍ୱଚ୍ଛତା ମିଶନ” ଏବଂ କର୍ତ୍ତବ୍ୟବୋଧ ଉପରେ ଆଲୋଚନା କରାଯାଇ ଏହି ଦିବସଟି ପାଳନ କରାଯାଇଥିଲା । ଅପରାହ୍ନରେ ଭଦ୍ରକ-ରାନ୍ଦିଆ ପଞ୍ଚାୟତସ୍ଥ ଡଗମୁଣ୍ଡ କୁଷ୍ଠ କଲୋନୀରେ ସାମାଜିକ ଦାୟିତ୍ୱବୋଧ ପାଇଁ ସରକାରୀ ସ୍ତରରୁ ବେସରକାରୀ ସ୍ତରର ଅନୁଷ୍ଠାନମାନେ କିପରି ଅନ୍ତର୍ଭୁକ୍ତ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ଏବଂ ଉକ୍ତ କଲୋନୀ ବାସୀ ଶ୍ରୀ ତ୍ରିପାଠୀଙ୍କ ଉଦ୍ୟମକୁ ପ୍ରଶଂସାକୁ କରିଥିଲେ ।

 

 

ଏଥିରେ ଶ୍ରୀ ତ୍ରିପାଠୀଙ୍କୁ ଦେବାଶିଷ ପଣ୍ଡା, ଅମରେଶ ଜେନା, ସମାଜସେବୀ ଜଗନ୍ନାଥ କର, କାମଦେବ ଖଟୁଆ, ରବି ସିଂ, ବଳିଆ ସିଂ ପ୍ରମୁଖ ସହାୟତା କରିଥିଲେ । ରାଧାକାନ୍ତଙ୍କର ଉକ୍ତ ପ୍ରୟାସ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି । ବିଗତ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟଧରି ସର୍ବୋଚ୍ଚ ଆଇନ ସେବା ବ୍ୟତୀତ ସାମାଜିକ ନ୍ୟାୟ, ପରିବେଶ ତଥା ମାନବାଧିକାରର ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବା ଭିତରେ ଶ୍ରୀଯୁକ୍ତ ତ୍ରିପାଠୀ ପ୍ରତ୍ୟକ୍ଷ ଭାବେ ସମ୍ମୁଖୀନ ହୋଇଥିବା ବଡ଼ ସମସ୍ୟାଟି ହେଉଛି ମଣିଷ ଭିତରେ କର୍ତ୍ତବ୍ୟ ସମ୍ପାଦନ ପାଇଁ ଦେଖାଯାଉଥିବା ଅନିଚ୍ଛା ଏବଂ ଅଜ୍ଞତା । କର୍ତ୍ତବ୍ୟକୁ ଅବହେଳା କରି ଆଡ଼େଇ ଯାଇ ଅଧିକାରକୁ ଉପଭୋଗ କରିବା ଦ୍ୱାରା ଜଣେ ମଣିଷ କେବଳ ପାଇ ଚାଲେ ମାତ୍ର କିଛି ଦିଏ ନାହିଁ ଏବଂ ସ୍ୱାର୍ଥନ୍ୱେଷୀ ମନୋଭାବ ସମାଜର ସକଳ ଦୁଃଖ, ଦୁର୍ଦ୍ଦଶା ତଥା ଅପରାଧିକ ତତ୍ତ୍ୱର ମଧ୍ୟ ମୂଳ କାରଣ । ତେଣୁ ମଣିଷ ନଜକୁ ଶ୍ରେଷ୍ଠ, ସଭ୍ୟ ଓ ଶିକ୍ଷିତ ପ୍ରମାଣ କରିବାକୁ ହେଲେ କେବଳ ଅଧିକାରରକୁ ଉପଭୋଗ କରିବାର ମାନସିକତାରୁ ନିଜକୁ ମୁକ୍ତ କରି କର୍ତ୍ତବ୍ୟ ସମ୍ପାଦନର ମାନସିକତାକୁ ଆପଣେଇବାକୁ ପଡ଼ିବ । ଏହାହିଁ ଏହି ଦିବସର ପ୍ରତିଷ୍ଠାତା ଶ୍ରୀ ତ୍ରିପାଠୀଙ୍କର କ୍ରାନ୍ତିକାରୀ ଉଦ୍ଦେଶ୍ୟ । ମାନବ କର୍ତ୍ତବ୍ୟ ଆଇନକୁ ସଫଳ ରୂପାୟନ କରିବାର ଏ ଦିବସ ପାଳନର ଅନ୍ୟ ଏକ ଦିଗନ୍ତ । ତେବେ ସମଗ୍ର ବିଶ୍ୱ ସ୍ତରରେ ଜାତିସଂଘ ଦ୍ୱାରା ଆନ୍ତର୍ଜାତୀୟ ମାନବ କର୍ତ୍ତବ୍ୟ ଘୋଷଣାନାମା ପ୍ରସ୍ତୁତ କରି ସବୁ ସଦସ୍ୟ ରାଷ୍ଟ୍ରମାନଙ୍କୁ ଅନୁରୂପ ଆଇନ ପ୍ରଣୟନ କରାଇବାକୁ ଶ୍ରୀ ତ୍ରିପାଠୀ ସ୍ୱପ୍ନ ଦେଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.