Home ଜିଲ୍ଲା ପରିକ୍ରମା ଅର୍ଥାଭାବରୁ ଦୀର୍ଘ ୫ ବର୍ଷର ଜଞ୍ଜିର ବନ୍ଧା ଜୀବନ ଜୀଉଁଛି ପ୍ରକାଶ

ଅର୍ଥାଭାବରୁ ଦୀର୍ଘ ୫ ବର୍ଷର ଜଞ୍ଜିର ବନ୍ଧା ଜୀବନ ଜୀଉଁଛି ପ୍ରକାଶ

123

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯେଉଁ ବୟସରେ ଭେଣ୍ଡିଆ ପୁଅଟିଏ ବୃଦ୍ଧ ପିତା-ମାତାଙ୍କର ସାହାରା ହୋଇଥାନ୍ତା, ସେହି ସମୟରେ ସେ ସେମାନଙ୍କର ବୋଝର କାରଣ ହୋଇଛି । ତାର ଚିକିତ୍ସା ପାଇଁ ବୁଢା ବାପା, ମା ବିଭିନ୍ନ ଡାକ୍ତରଖାନା ବୁଲାଇବା ଭିତରେ ଯାହା ପଇସା ପତ୍ର ଥିଲା ସବୁ ସରିଗଲାଣି । ହେଲେ ଏବେ ପୁଅଟି ତ ଭଲ ହେଲାନାହିଁ । ଦିନକୁ ଦିନ ତାର ପାଗଳାମି ବଢିବାକୁ ଲାଗିଛି । କାହାକୁ ସେ କାମୁଡିଲାଣି ତ କାହାକୁ ପୁଣି ମାରି ଗୋଡାଇଲାଣି । ଶେଷରେ ନିରୁପାୟ ହୋଇ ଯେଉଁ ପୁଅକୁ ଦିନେ ନିଜ ହାତରେ କୋଳେଇ କାଖେଇ ବଡ କରିଥିଲେ ଉଭୟ ପିତା-ମାତା, ସେହି ବୟସରେ ତାର ହାତରେ ଦୀର୍ଘ ୫ ବର୍ଷ ହେବ ଶିକୁଳି ଲଗାଇ ରଖିବାକୁ ବାଧ୍ୟ ହୋଇଛନ୍ତି ସେମାନେ । ଏ ସଂପର୍କରେ ଜାଣିବାକୁ ହେଲେ ଆମକୁ ଯିବାକୁ ପଡିବ ଏହି ଜିଲାର ଚାନ୍ଦବାଲି ବିଜ୍ଞାପିତ ଅଂଚଳ ନୂଆ ଧାମରା ଗାଁକୁ । ଶିକୁଳି ବନ୍ଧା ଜୀବନ ବିତାଉଥିବା ଧାମରା ଗାଁର ଯୁବକ ପ୍ରକାଶ ବେହେରା । ସେ ଘରର ବଡପୁଅ । ପିତା ପରମାନନ୍ଦ ବେହେରା ଓ ମା’ ତାରାମଣୀ ଦେବୀଙ୍କର ସ୍ୱପ୍ନ ଥିଲା ବାର୍ଦ୍ଧକ୍ୟରେ ସେ ତାଙ୍କର ସାହା ହେବ ବୋଲି । ହେଲେ ଏବେ ତା’ ଚିନ୍ତାରେ ସେମାନେ ରୋଗାକ୍ରାନ୍ତ ହେବାକୁ ବସିଲେଣି । ପ୍ରକାଶ ମାନସିକ ରୋଗରେ ଆକ୍ରାନ୍ତ ହେବା ପରେ ତାକୁ ଚିକିତ୍ସା ପାଇଁ ଭଦ୍ରକ ଠାରୁ କଟକର ବଡ ବଡ ଡାକ୍ତରଖାନା ବୁଲାଇଲେ ପିତାମାତା । ହେଲେ ସେ ଭଲ ହେଲାନାହିଁ । ଘର, ବାହାର ଓ ପରିବାରର ଲୋକଙ୍କୁ ମାରି ଗୋଡାଇଲା । କାହାକୁ ବି କାମୁଡି ପକାଇ ରକ୍ତାକ୍ତ କରି ଛାଡିଲା ପ୍ରକାଶ । ଏଣୁ ଘରୁ ବାହାରିବାକୁ ଡରିଲେ ପିତାମାତା । କେତେବେଳେ ଯେ କାହାର ଅଘଟଣ ଘଟାଇବ, ସେହି ଆଶଙ୍କାରେ ବିଗତ ୫ ବର୍ଷ ହେବ ପ୍ରକାଶକୁ ଜଂଜିର ବନ୍ଧା ଜୀବନ ବିତାଇବାକୁ ପଡୁଛି । ସେ ସେଇଠି ଚାଲୁଛି, ସେଇଠି ଖାଉଛି, ସେଇଠି ଶୌଚ ହେଉଛି । ଆଉ ବୃଦ୍ଧା ମା’ ଜଣକ ଭେଣ୍ଡିଆ ପ୍ରକାଶର ସବୁକାର୍ଯ୍ୟ କରିବା ଭିତରେ ଲୁହ ଢାଳୁଛନ୍ତି ।

 

 

ପ୍ରକାଶଙ୍କ ପିତା ପରମାନନ୍ଦ ଜଣେ ଦିନ ମଜୁରିଆ, ଯାହା ମୂଲ ଲାଗନ୍ତି, ସେଥିରେ ଘରର ଚାରି ପ୍ରାଣୀ କୁଟୁମ୍ବ ଚଳନ୍ତି । ଜ୍ୟେଷ୍ଠପୁତ୍ର ପ୍ରକାଶ ମାନସିକ ରୋଗାକ୍ରାନ୍ତ ହେବା ପରେ ପିତା ପରମାନନ୍ଦ ଆଉ କାମଧନ୍ଦାକୁ ଯାଇପାରିଲେ ନାହିଁ । ପୁଅକୁ ଏହି ଡାକ୍ତରଖାନାରୁ ସେ ଡାକ୍ତରଖାନା ନେବା ମଧ୍ୟରେ ମାସ ମାସ ଧରି ରହିବା ଭିତରେ ସଂଚିତ ଅର୍ଥ ଶେଷ ହୋଇଗଲାଣି । ଗୋଟିଏ ପଟେ ପରିବାର ଚିନ୍ତା, ଅନ୍ୟପଟେ ପୁତ୍ରର ଚିନ୍ତା । ମାସକୁ ୩ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ହେଉଛି ପ୍ରକାଶ ପିଛା । କେଉଁଠୁ ଆସିବ ଏତେଟଙ୍କା । ନିରୁପାୟ ହୋଇ ଚିକିତ୍ସା ବଦଳରେ ଏମିତି ୫ ବର୍ଷ ହେବ ଘରେ ବାନ୍ଧି ରଖିଛନ୍ତି ପରମାନନ୍ଦ । ଗାଁ ଲୋକ ବି ଚିକିତ୍ସା ପାଇଁ ସହାୟତା କରିଛନ୍ତି, ହେଲେ ତାହା ସମୁଦ୍ରକୁ ଶଙ୍ଖେ ପାଲଟିଛି । ପ୍ରକାଶଙ୍କ ସଂପର୍କରେ ଚାନ୍ଦବାଲି ଡାକ୍ତରଖାନାର ଇନ୍‌ଚାର୍ଜ ଡାକ୍ତର ବିଷ୍ଣୁପ୍ରସାଦ ସାହୁ ନିଜକୁ ଅସହାୟ ମଣିଛନ୍ତି । ସେ ଏ ଦିଗରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରକାଶଙ୍କ ଚିକିତ୍ସା କରାଯିବ ବୋଲି କହିଛନ୍ତି ଏ ପ୍ରତିନିଧିକୁ । ଦେଖାଯାଉ କେବେ ପ୍ରକାଶ ଜଂଜିର ବନ୍ଧା ଜୀବନରୁ ମୁକ୍ତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.