Home ଜିଲ୍ଲା ପରିକ୍ରମା ଧାମନଗର ସଶସ୍ତ୍ର ଗହଣା ଲୁଟ୍ ମାମଲା: ୨ ଗିରଫ କୋର୍ଟ ଚାଲାଣ, ଜାମିନ ନାମଞ୍ଜୁର ପାଇଁ...

ଧାମନଗର ସଶସ୍ତ୍ର ଗହଣା ଲୁଟ୍ ମାମଲା: ୨ ଗିରଫ କୋର୍ଟ ଚାଲାଣ, ଜାମିନ ନାମଞ୍ଜୁର ପାଇଁ କୋର୍ଟରେ ପୋଲିସର ଗୁହାରି, ମାଷ୍ଟରମାଇଣ୍ଡ ସହ ୩ ଫେରାର, ବାଇକ୍ ଓ ମାରଣାସ୍ତ୍ର ଜବତ

4

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ସାନବଜାର ଅଞ୍ଚଳରେ ଜଣେ ସୁନା ବ୍ୟବସାୟୀ ଙ୍କୁ ମରଣାନ୍ତକ ଆକ୍ରମଣ କରି ସୁନା ଓ ରୂପା ଗହଣା ଲୁଟ୍ ଘଟଣାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ସଂଗଠିତ ସଶସ୍ତ୍ର ଡକାୟତି ମାମଲାରେ ପୋଲିସ ୨ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ଧାମନଗର ଜେଏମଏଫସି କୋର୍ଟରେ ହାଜର କରିଛି। ଏଥିସହ ମାମଲାର ଚୂଡ଼ାନ୍ତ ରିପୋର୍ଟ ଦାଖଲ ହେବା ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର କରି ସେମାନ ଙ୍କୁ ଅନ୍ତରୀଣ ଜେଲ୍ ହାଜତକୁ ପଠାଇବା ପାଇଁ ପୋଲିସ କୋର୍ଟରେ ଲିଖିତ ପ୍ରାର୍ଥନା କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ପୂର୍ବକୋଟ ଗ୍ରାମର ଜଗନ୍ନାଥ ରାଓ ଙ୍କ ପୁଅ କୁଶ ରାଓ ଓରଫ ଆନାମ (୨୮) ଏବଂ ସେହି ଗ୍ରାମର ସଙ୍କର୍ଷଣ ରାଓଙ୍କ ପୁଅ ଦାନବୀର ରାଓ (୨୫)। ବିଏନଏସର ଧାରା ୩୧୦(୨) ଅନୁଯାୟୀ ସେମାନଙ୍କୁ ଗତ ୨୪.୦୫.୨୦୨୬ ତାରିଖ ଅପରାହ୍ନ ୩.୩୦ ମିନିଟରେ ଗିରଫ କରାଯାଇଥିଲା ଏବଂ କୋର୍ଟ ଙ୍କ ସମ୍ମୁଖକୁ ପଠାଯାଇଛି।ପୋଲିସ ତଦନ୍ତରୁ ଏହି ସଶସ୍ତ୍ର ଲୁଟ୍‌ର ଏକ ଚାଂଚଲ୍ୟକର ଅପରାଧ ଷଡ଼ଯନ୍ତ୍ର ପଦାକୁ ଆସିଛି। ଧାମନଗର ନିକଟସ୍ତ ସୟଦଜାଫର (ଗୁଡ଼ିପୋଖରୀ) ଗ୍ରାମର କାସିମୁଦ୍ଦିନ ସାହା (୪୮) ସାନବଜାର ଠାରେ ‘କାଦିର ଜୁଏଲାରୀ’ ନାମକ ଏକ ଗହଣା ଦୋକାନ କରିଛନ୍ତି। ଧାମନଗର ଥାନା ଅନ୍ତର୍ଗତ ମୁସ୍ତଫାପୁର ପଂଚାୟତ ନୂଆପଡ଼ା ଗ୍ରାମର ରାଜେଶ ଦାସ ନାମକ ଜଣେ ସ୍ଥାନୀୟ ଯୁବକ ପ୍ରତିଦିନ କାସିମୁଦ୍ଦିନଙ୍କ ଗତିବିଧି, ବ୍ୟବସାୟ ଓ ରାତିରେ ଦୋକାନ ବନ୍ଦ କରି ସ୍କୁଟିରେ ଫେରିବା ସମୟ ଉପରେ ତୀକ୍ଷ୍ଣ ନଜର ରଖୁଥିଲା। ରାଜେଶ ହିଁ ବ୍ୟବସାୟୀଙ୍କୁ ଲୁଟିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲା ଏବଂ ଏଥିପାଇଁ ସେ ଯାଜପୁରର କୁଶ ରାଓ, ଦାନବୀର ରାଓ ଏବଂ ଅନ୍ୟ ଦୁଇ ସହଯୋଗୀ ଓମ୍ ପ୍ରଧାନ ଓ ଅନ୍ତେଶ ପ୍ରଧାନଙ୍କ ସହ ମିଶି ଏକ ବଡ଼ ଅପରାଧିକ ଷଡ଼ଯନ୍ତ୍ର ରଚିଥିଲା। ଗତ ମେ’ ୧୮ ତାରିଖରେ ଏହି ୫ ଜଣ ଯାକ ସଶସ୍ତ୍ର ଅଭିଯୁକ୍ତ ବ୍ୟବସାୟୀଙ୍କ ଉପରେ ନଜର ରଖିବା ପାଇଁ ଦୁଇଟି ମୋଟର ସାଇକେଲ (ଗୋଟିଏ କଳା ରଙ୍ଗର ପଲସର- ବିଆର-୦୨-କ୍‌୍ୟୁ-୪୧୨୦ ଏବଂ ଅନ୍ୟଟି ବିନା ନମ୍ବର ବିଶିଷ୍ଟ ଆପାଚି ବାଇକ୍‌)ରେ ସାନବଜାର ଅଂଚଳରେ ବୁଲୁଥିଲେ। ରାତି ପ୍ରାୟ ୯.୩୦ ସମୟରେ କାସିମୁଦ୍ଦିନ ନିଜ ଦୋକାନ ବନ୍ଦ କରି କିଛି ସୁନା ଓ ରୂପା ଗହଣା ଧରି ନିଜ ସ୍କୁଟିରେ ଘରକୁ ଫେରୁଥିଲେ। ରାତି ପ୍ରାୟ ୧୦ ଟା ବେଳେ ବନ୍ଧଟିଆ-ଝାଟିଆ ସାହି ରାସ୍ତାର ଏକ ନିଛାଟିଆ ସ୍ଥାନରେ ଅଭିଯୁକ୍ତମାନେ ପଛପଟୁ ବାଇକ୍‌ରେ ଆସି ବ୍ୟବସାୟୀଙ୍କ ରାସ୍ତା ଓଗାଳିଥିଲେ। କିଛି ବୁଝିବା ପୂର୍ବରୁ ସେମାନେ କାସିମୁଦ୍ଦିନଙ୍କୁ କଟୁରୀ (ଧାରୁଆ ମାରଣାସ୍ତ୍ର)ରେ ଆକ୍ରମଣ କରି ଲୁଟ କରିଥିଲେ। ଅଭିଯୋଗକୁ ଭିତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ‘ଦୋବଲ କାଉଂଟର’ ନିକଟରୁ କଳା ରଙ୍ଗର ପଲସର ବାଇକ୍ ସହ କୁଶ ରାଓ ଏବଂ ଦାନବୀର ରାଓଙ୍କୁ କାବୁ କରିଥିଲା। ଜେରା ସମୟରେ ଦୁହେଁ ନିଜର ଅପରାଧ ସ୍ୱୀକାର କରିବା ସହ ଫେରାର ଥିବା ତିନି ସହଯୋଗୀ ରାଜେଶ ଦାସ, ଓମ୍ ପ୍ରଧାନ ଏବଂ ଅନ୍ତେଶ ପ୍ରଧାନଙ୍କ ନାମ ପ୍ରକାଶ କରିଥିଲେ। ତେବେ ଅନ୍ୟ ଅଭିଯୁକ୍ତ ଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ଧାମନଗର ଥାନା ଅଧିକାରୀ ଶୁଭ୍ରଜିତ ଦାଶ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.