Home ଜିଲ୍ଲା ପରିକ୍ରମା ପ୍ରଶାସନର ଅବହେଳା, ଭତା ପାଇଁ ୮୨ ବର୍ଷର ବୃଦ୍ଧା ମା’କୁ ଭାରରେ ବୋହିଲେ ପୁଅ

ପ୍ରଶାସନର ଅବହେଳା, ଭତା ପାଇଁ ୮୨ ବର୍ଷର ବୃଦ୍ଧା ମା’କୁ ଭାରରେ ବୋହିଲେ ପୁଅ

4

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ସମ୍ମୁଖରେ ସୋମବାର ମଧ୍ୟାହ୍ନରେ ଗଣଧାରଣାର ତୃତୀୟ ଦିନରେ ଏକ ଚକିତ ଘଟଣା ଦେଖିବାକୁ ମିଳିଛି । ପ୍ରଶାସନର କଦର୍ଯ୍ୟ ରୂପ ବ୍ୟବସ୍ଥାର ଅବହେଳା ଓ ପ୍ରଶାସନର ଅନ୍ଧକାନୁନ ଆଗରେ ପୁଣି ଜଣେ ଶ୍ରବଣ କୁମାରଙ୍କ ଜନ୍ମ ହୋଇଛି । ଆଜିର ଆଧୁନିକ ଡିଜିଟାଲ୍ ଯୁଗରେ ଯେଉଁଠି ସରକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ସେଠି ନିଜର ମୌଳିକ ଅଧିକାର ଟିକକ ପାଇଁ ଜଣେ ପୁଅକୁ ନିଜ ୮୨ ବର୍ଷର ବୃଦ୍ଧା ମା’ ଚନ୍ଦ୍ରମଣୀକୁ ଭାରରେ ବୋହି ପଂଚାୟତ କାର୍ଯ୍ୟାଳୟ ଆଗକୁ ଆଣିବାକୁ ପଡ଼ିଛି । ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ସମ୍ମୁଖରେ ଚାଲିଥିବା ଗଣଧାରଣାର ତୃତୀୟ ଦିନରେ ଏଭଳି ଏକ ଚକିତ ତଥା ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି । ରାମଚନ୍ଦ୍ରପୁର ପଂଚାୟତ ୬ନଂ ୱାର୍ଡର ସ୍ୱର୍ଗତ ଚୈତନ ମାଝୀଙ୍କ ପୁଅ ବନମାଳୀ । ସରକାରଙ୍କ ଆବାସ ଯୋଜନା ଏବଂ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତା ପାଇବାରୁ ତାଙ୍କର ୮୨ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କା ମା’ ସମ୍ପୂର୍ଣ୍ଣ ବଂଚିତ ହୋଇ ରହିଛନ୍ତି । ସ୍ଥାନୀୟ ପ୍ରଶାସନ ଓ ପଂଚାୟତ କର୍ତୃପକ୍ଷଙ୍କୁ ବାରମ୍ବାର ଗୁହାରି ଏବଂ ଆବେଦନ କରିବା ସତ୍ୱେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ ବ୍ୟବସ୍ଥା ଉପରେ ଅତିଷ୍ଠ ହୋଇ ଚନ୍ଦ୍ରମଣି ନିଜ ମା’ଙ୍କୁ ଏକ ଭାରରେ ବସାଇ କାନ୍ଧରେ ବୋହି ଆନ୍ଦୋଳନ ସ୍ଥଳକୁ ନେଇ ଆସିଥିଲେ। କାନ୍ଧରେ ମା’ଙ୍କୁ ବୋହି ଆଣୁଥିବା ବେଳେ ପଛରେ ପାଣି ହାଣ୍ଡି ଓ ରୋଷେଇ ସାମଗ୍ରୀର ଭାର ମଧ୍ୟ ଝୁଲୁଥିବାର ଦେଖାଯାଇଥିଲା, ଯାହା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି । ବ୍ୟାପକ ଅନିୟମିତତା ଅଭିଯୋଗ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ଏବଂ ପ୍ରକୃତ ହିତାଧିକାରୀଙ୍କୁ ବଂଚିତ କରାଯାଉଥିବା ନେଇ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଗଣଧାରଣା ଆୟୋଜିତ ହୋଇଛି । ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ଗରିବ ଶ୍ରେଣୀର ଲୋକଙ୍କୁ ବାଦ୍ ଦିଆଯାଇଛି। ବୃଦ୍ଧାବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗମାନଙ୍କୁ ସେମାନଙ୍କର ପ୍ରାପ୍ୟ ଭତା ଯୋଗାଇବାରେ ଚରମ ଅବହେଳା ପ୍ରଦର୍ଶନ କରାଯାଉଛି । ୮୦ ବର୍ଷରୁ ଊର୍ଦ୍ଧ୍ୱ ଅନେକ ହିତାଧିକାରୀ ଏବେ ମଧ୍ୟ ଭତାରୁ ବଂଚିତ। ପଂଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଆର୍ôଥକ ହେରଫେର୍ ହୋଇଥିବା ପ୍ରତିବାଦକାରୀମାନେ ଦାବି କରିଛନ୍ତି । ଏହି ପ୍ରତିବାଦ ସଭାରେ ପଂଚାୟତର ପାନପଦୀ, ବର୍ଚ୍ଚିକୟାଁ, ବରପଦୀ ଓ ଗୋବିନ୍ଦପୁର ଭଳି ବିଭିନ୍ନ ଗ୍ରାମର ଶତାଧିକ ମହିଳା, ପୁରୁଷ ଏବଂ ଦିବ୍ୟାଙ୍ଗ ସାମିଲ ହୋଇଛନ୍ତି । ଖରାର ପ୍ରକୋପ ସତ୍ୱେ ଲୋକେ ଟେଂଟ ତଳେ ବସି ନିଜର ଦାବି ଉପସ୍ଥାପନ କରୁଛନ୍ତି । ବର୍ତମାନ ଏହି “କଳିଯୁଗର ଶ୍ରବଣ କୁମାର”ଙ୍କ ଚିତ୍ର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଂଚଳରେ ପ୍ରଶାସନ ବିରୋଧରେ ଆକ୍ରୋଶ ଓ ତୀବ୍ର ନିନ୍ଦାର ପାତ୍ର ହୋଇଛି । ଏ ସଂପର୍କରେ ବିଭାଗୀୟ ଭତା ପ୍ରଦାନ ଅଧିକାରୀ ପ୍ରକାଶ ସାହୁ କହନ୍ତି ସଂପୃକ୍ତ ବୃଦ୍ଧା ଜଣକ ୨୦୧୯-୨୦ ମସିହାରେ ଆବାସ ଗୃହ ପାଇଛନ୍ତି। ତାଙ୍କ ଆକାଉଂଟକୁ ପ୍ରତ୍ୟେକମାସ ଏକ ହଜାର ଟଙ୍କା ଇନ୍ଦିରାଗାନ୍ଧି ବାର୍ଦ୍ଧକ୍ୟ ଭତା ଯାଉଛି। ବର୍ଦ୍ଧିତ ଭତା ପାଇଁ ସେ ଆବଶ୍ୟକ କାଗଜପତ୍ର ଯୋଗାଇଦେଲେ ଆମେ ତାକୁ ବର୍ଦ୍ଧିତ ଭତା ଯୋଗାଇଦେବୁ। ଯେହେତୁ ବୃଦ୍ଧା ଜଣକ ତାଙ୍କର ତିନୋଟି ପୁତ୍ରଙ୍କ ମଧ୍ୟରୁ ଯାଜପୁରରେ ରହୁଥିବା ମଝିଆ ପୁତ୍ରଙ୍କ ନିକଟରେ ରହୁଥିବାରୁ ଉପରୋକ୍ତ ସମସ୍ୟା ଉପୁଜିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.