Home ଜିଲ୍ଲା ପରିକ୍ରମା ବର୍ଷାଋତୁ ଆସିଲା, ସାଳନ୍ଦୀ ନଦୀରେ ଟିକିରା-ଶ୍ରୀରାମପୁର ବିଜୁ ସେତୁ ନିର୍ମାଣ ହୋଇପାରିଲା ନାହିଁ ବିପଦ ସଂକୁଳ...

ବର୍ଷାଋତୁ ଆସିଲା, ସାଳନ୍ଦୀ ନଦୀରେ ଟିକିରା-ଶ୍ରୀରାମପୁର ବିଜୁ ସେତୁ ନିର୍ମାଣ ହୋଇପାରିଲା ନାହିଁ ବିପଦ ସଂକୁଳ ପରିସ୍ଥିତିରେ ନଦୀ ପାର ହେଉଛନ୍ତି ଲୋକେ

255

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବର୍ଷାଋତୁ ଆସିଲା ତଥାପି ଭଦ୍ରକ ଜିଲା ବନ୍ତ ବ୍ଲକ୍ ଆଗରପଡାସ୍ଥିତ ଟିକିରା-ଶ୍ରୀରାମପୁର ଗ୍ରାମକୁ ସଂଯୋଗୀକରଣ ନିମନ୍ତେ ସାଳନ୍ଦୀ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହେଉଥିବା ବିଜୁ ସେତୁ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିଲା ନାହିଁ । ଯଦ୍ୱାରା ବର୍ତ୍ତମାନ ସଂକୁଳ ପରିସ୍ଥିତିରେ ଲୋକେ ନଦୀପାର ହେଉଥିବା ଦେଖିବାକୁ ମିଳୁଛି । ଏଠାରେ ପ୍ରକାଶ ଥାଉକି ଟିକିରା-ଶ୍ରୀରାମପୁର ଅଂଚଳର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଆଗରପଡା । କିନ୍ତୁ ସାଳନ୍ଦୀ ନଦୀ ଏଥିପାଇଁ ବାଧକ ସୃଷ୍ଟି ହେଉଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ଦାବି ଫଳରେ ସ୍ୱର୍ଗତ ତତ୍‌କାଳୀନ ସାଂସଦ ଅର୍ଜୁନ ଚରଣ ସେଠୀ ଓ ବିଧାୟକଙ୍କ ସହଯୋଗରେ ବିଜୁ ସେତୁ ନିର୍ମାଣ ପାଇଁ ୪ କୋଟି ୨୧ ଲକ୍ଷ ୯୨ ହଜାର ୪୨୦ ଟଙ୍କାର ପ୍ରକଳ୍ପ ମଂଜୁର ହୋଇଥିଲା । ଏହାର ଲମ୍ବ ୬୦.୧୫ ମିଟର ଓ ପ୍ରସ୍ଥ ୮.୩୫ ମିଟର । ବିଜୁ ସେତୁ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଉକ୍ତ କାର୍ଯ୍ୟର ଫଳକକୁ ଉଦ୍‌ଘାଟନ କରିଥିଲେ । ୨୦୧୬ ଫେବୃୟାରୀ ୪ ତାରିଖରେ ନିର୍ମାଣ ହୋଇ ୨୦୧୭ ଅକ୍ଟୋବର ୩ରେ କାର୍ଯ୍ୟ ଶେଷ ହେବାର ଥିଲା । କିନ୍ତୁ ଇତିମଧ୍ୟରେ ବିଜୁ ସେତୁ ନିର୍ମାଣକୁ ୪ ବର୍ଷ ୪ ମାସ ପୂରିବା ସହ ନିର୍ମାଣ ଅବଧି ସରିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ବିଜୁ ସେତୁ ସଂପୂର୍ଣ୍ଣ ହେବାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଭାବ ପ୍ରକାଶ ପାଇଛି । ଶ୍ରୀରାମପୁର, ସାହୁପଡା, ଗୋପୀନାଥପୁର, ମାର୍କଣ୍ଡପୁର ଆଦି ଗ୍ରାମବାସୀମାନେ ସେତୁ ନିର୍ମାଣ ହୋଇନଥିବାରୁ ଯାତାୟତ କରିବାରେ ନାନାଦି ଦୁର୍ଦ୍ଦଶାରେ ଗତି କରୁଛନ୍ତି । ଅଧିକ ରାସ୍ତା କାଣ୍ଡବା ସେତୁ ଦେଇ ଦୈନନ୍ଦିନ ଯାତାୟତ କରୁଛନ୍ତି ନହେଲେ ବିପଦ ସଂକୁଳ ପରିସ୍ଥିତିରେ ନଦୀ ଉପରେ ଅସ୍ଥାୟୀ ଖୁମ୍ବରେ ପଡିଥିବା ବାଉଁଶ ଚାରାରେ ଯାତାୟତ କରୁଛନ୍ତି । ଲୋକମାନଙ୍କ ସମେତ ରୋଗୀମାନେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘବର୍ଷ ପରେ ସ୍ଥାନୀୟ ଗ୍ରାମବାସୀଙ୍କର ଜିଲା ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଠାରେ ଅଭିଯୋଗ ପରେ ଉକ୍ତ ସେତୁ ନିର୍ମାଣ ହେବା ଦ୍ୱାରା ବହୁଦିନର ସ୍ୱପ୍ନ ପୂରଣ ହେଲା ବୋଲି ବିବେଚନା କରାଯାଉଥିଲା । ହେଲେ ଦୁର୍ଭାଗ୍ୟର ବିଷୟ ଯେ ଅବଧି ସରିଯାଇଥିଲେ ସୁଦ୍ଧା ଠିକାଦାର ଓ ବିଭାଗୀୟ ଉଚ୍ଚପଦସ୍ଥ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଆଜିଯାଏ ଏହି ସେତୁ ନିର୍ମାଣକାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିଲା ନାହିଁ । ବର୍ତ୍ତମାନ ବର୍ଷାଋତୁ ଆସିଯାଇଥିବାରୁ ଉକ୍ତ କାର୍ଯ୍ୟ ସଂପୂର୍ଣ୍ଣକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.